ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀରେ ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ପୁରସ୍କାର ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ସମାରୋହ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସ୍ୱଚ୍ଛ ବାୟୁ ସର୍ବେକ୍ଷଣରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ସହରଗୁଡ଼ିକୁ ପୁରସ୍କୃତ କରିଛନ୍ତି। ୩ ଲକ୍ଷରୁ କମ୍‌ ଜନସଂଖ୍ୟା ବର୍ଗରେ ଓଡ଼ିଶାର ଅନୁଗୁଳ ମଧ୍ୟ ପୁରସ୍କୃତ ହୋଇଛି। ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ଅଧୀନରେ ୧୩୦ଟି ସହରରେ ଏହି ସର୍ବେକ୍ଷଣ କରାଯାଇଥିଲା।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଅଗଷ୍ଟ ୨୦୨୦ରେ ଦେଶର ୧୦୦ଟି ସହରକୁ ପ୍ରଦୂଷଣ ମୁକ୍ତ କରିବା ଲାଗି ଆହ୍ୱାନ ଦେଇଥିଲେ । ଏହାପରେ ମନ୍ତ୍ରଣାଳୟ ପକ୍ଷରୁ  ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଥିଲା। ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୫ରେ ୧୩ଟି ସହର ଭାଗ ନେଇଥିଲେ। ଅତ୍ୟନ୍ତ କଠୋର ଏବଂ ବହୁସ୍ତରୀୟ ମୂଲ୍ୟାଙ୍କନ ବ୍ୟବସ୍ଥା ପରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ସହରଗୁଡ଼ିକୁ ଚୟନ କରାଯାଇଛି । ମୋଟ୍‌ ତିନୋଟି ବର୍ଗରେ ସହରଗୁଡ଼ିକୁ ଚୟନ କରାଯାଇଛି । ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବର୍ଗରେ ଇନ୍ଦୋର ୨୦୦ରୁ ସମ୍ପୂର୍ଣ୍ଣ ୨୦୦ ଅଙ୍କ ହାସଲ କରି ପ୍ରଥମ ସ୍ଥାନରେ ରହିଛି । ଏହି ବର୍ଗରେ ଜବଲପୁର ଦ୍ୱିତୀୟ ଏବଂ ଆଗ୍ରା ଓ ସୁରତ ମିଳିତ ଭାବେ ତୃତୀୟ ସ୍ଥାନରେ ରହିଛନ୍ତି । ଏହି ସବୁ ସହରକୁ ଯଥାକ୍ରମେ ଦେଢ଼ କୋଟି, ୧କୋଟି ଏବଂ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି ।୩ରୁ ୧୦ ଲକ୍ଷ ଜନସଂଖ୍ୟା ବର୍ଗରେ ଅମରାବତୀ ପ୍ରଥମ, ଝାନସୀ ଓ ମୋରାଦାବାଦ ମିଳିତ ଭାବେ ଦ୍ୱିତୀୟ ଏବଂ ଅଲୱର ତୃତୀୟ ସ୍ଥାନ ହାସଲ କରିଛି । ପ୍ରଥମ ସ୍ଥାନରେ ଥିବା ସହରକୁ ୭୫ ଲକ୍ଷ ଏବଂ ଅନ୍ୟ ସହରଗୁଡ଼ିକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ମିଳିଛି । ତୃତୀୟ ଅର୍ଥାତ୍‌ ୩ ଲକ୍ଷରୁ କମ ଜନସଂଖ୍ୟା ବର୍ଗରେ ଦେବସ, ପରୱାନୁକୁ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନ ମିଳିଥିବା ବେଳେ ଓଡ଼ିଶାର ଅନୁଗୁଳ ତୃତୀୟ ସ୍ଥାନ ହାସଲ କରିଛି । ଅନୁଗୁଳ ମୋଟ୍‌ ୨୦୦ ଅଙ୍କରୁ ୧୯୧ ଅଙ୍କ ଅର୍ଜନ କରିଛି । ଏହି ସହରକୁ ୧୨ ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର ଯୋଗାଇ ଦିଆଯାଇଛି । ସଡ଼କ ଭିତ୍ତିଭୂମି ଏବଂ ଜନ ସଚେତନତା କ୍ଷେତ୍ରରେ ଅନୁଗୁଳ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି । ସହରଗୁଡ଼ିକର ମେୟର, ଜିଲ୍ଲାପାଳ ଏବଂ ମହାନଗର କମିଶନରମାନେ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ପୁରସ୍କାର ପାଇଥିବା ସହରଗୁଡ଼ିକୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯାଦବ ଶୁଭକାମନା ଜଣାଇଛନ୍ତି । ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ଅଧୀନରେ, ସରକାର ୧୩୦ଟି ସହରକୁ ୨୦,୧୩୦ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ବାୟୁ ପ୍ରଦୂଷଣ ହ୍ରାସ ପଦକ୍ଷେପ କାର୍ଯ୍ୟକାରୀ କରିବା ପାଇଁ ୧୩୦ଟି ସହରକୁ ବାୟୁ ଗୁଣବତ୍ତା ପ୍ରଦର୍ଶନ ସମ୍ପର୍କିତ ୧୩,୨୩୭ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି। ବିଭିନ୍ନ କେନ୍ଦ୍ର ସରକାରୀ ଯୋଜନାର ସମନ୍ୱୟ ଜରିଆରେ ବାୟୁ ପ୍ରଦୂଷଣ ହ୍ରାସ ଦିଗରେ ପଦକ୍ଷେପ ନିଆଯାଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button