ଆଗତ ହେଲା ବିଲ: ଅପରାଧିକ ମାମଲାରେ ପଦବୀ ଛାଡିବେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ସମ୍ବିଧାନ (ଶହେ ତିରିଶତମ ସଂଶୋଧନ) ବିଲ୍-୨୦୨୫, କେନ୍ଦ୍ରଶାସିତ ଅଞ୍ଚଳ (ସଂଶୋଧନ) ବିଲ୍ -୨୦୨୫ ଏବଂ ଜାମ୍ମୁ ଓ କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍ -୨୦୨୫ ଆଗତ କରିଛନ୍ତି। କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଶାହ ଆଜି ‘ଏକ୍ସ’ରେ ଏକାଧିକ ପୋଷ୍ଟ ଜରିଆରେ କହିଛନ୍ତି, ଦେଶରେ ରାଜନୈତିକ ଦୁର୍ନୀତି ବିରୋଧରେ ମୋଦୀ ସରକାରଙ୍କ ସଂକଳ୍ପବଦ୍ଧତା ଏବଂ ଜନସାଧାରଣଙ୍କ ଆକ୍ରୋଶକୁ ବିଚାର କରି ସେ ଆଜି ଲୋକସଭା ବାଚସ୍ପତିଙ୍କ ସମ୍ମତିରେ ସଂସଦରେ ଏକ ସାମ୍ବିଧାନିକ ସଂଶୋଧନ ବିଲ୍ ଆଗତ କରିଛନ୍ତି। ଏହାଦ୍ୱାରା ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନକ ପଦବୀରେ ଥିବା ବ୍ୟକ୍ତିବିଶେଷ ଜେଲରେ ଥାଇ ସରକାର ଚଳାଇ ପାରିବେ ନାହିଁ। ସେ ଆହୁରି କହିଛନ୍ତି, ଏହି ବିଲ୍ ର ଲକ୍ଷ୍ୟ ହେଉଛି ସାର୍ବଜନୀନ ଜୀବନରେ ହ୍ରାସ ପାଉଥିବା ନୈତିକତାର ସ୍ତରରେ ଉନ୍ନତି ଆଣିବା ଏବଂ ରାଜନୀତିକୁ ପବିତ୍ର କରିବା। ଗିରଫ କିମ୍ବା ଜେଲରେ ଥିବା ସମୟରେ କୌଣସି ବ୍ୟକ୍ତି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କିମ୍ବା କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ମନ୍ତ୍ରୀ ଭାବରେ ଶାସନ ଚଳାଇ ପାରିବେ ନାହିଁ। ଯେତେବେଳେ ସମ୍ବିଧାନ ପ୍ରସ୍ତୁତ ହୋଇଥିଲା, ଏହାର ସ୍ଥପତିମାନେ କଳ୍ପନା ସୁଦ୍ଧା କରିପାରିନଥିଲେ ଯେ ଭବିଷ୍ୟତରେ ଏପରି ରାଜନୈତିକ ବ୍ୟକ୍ତିବିଶେଷ ଆସିବେ ଯେଉଁମାନେ ଗିରଫ ହେବା ପୂର୍ବରୁ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବାକୁ ମନା କରିବେ। ସାମ୍ପ୍ରତିକ ବର୍ଷଗୁଡ଼ିକରେ, ଦେଶରେ ଏକ ଆଶ୍ଚର୍ଯ୍ୟଜନକ ପରିସ୍ଥିତି ସୃଷ୍ଟି ହୋଇଛି ଯେଉଁଥିରେ ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀମାନେ ଇସ୍ତଫା ନ ଦେଇ ଜେଲରୁ ଅନୈତିକ ଭାବରେ ସରକାର ଚଳାଇଛନ୍ତି। ଏହି ବିଲରେ ଏପରି ବ୍ୟବସ୍ଥା ଅନ୍ତର୍ଭୁକ୍ତ ଯାହା ଜଣେ ଅଭିଯୁକ୍ତ ରାଜନେତାଙ୍କୁ ଗିରଫ ହେବାର ୩୦ଦିନ ମଧ୍ୟରେ କୋର୍ଟରୁ ଜାମିନ୍ ଆବେଦନ କରିବାକୁ ମଧ୍ୟ ଅନୁମତି ଦିଏ। ଯଦି ସେମାନେ ୩୦ ଦିନ ମଧ୍ୟରେ ଜାମିନ୍ ପାଇବାରେ ବିଫଳ ହୁଅନ୍ତି, ତେବେ ୩୧ତମ ଦିନରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ କିମ୍ବା ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ସେମାନଙ୍କୁ ସେମାନଙ୍କ ପଦବୀରୁ ବହିଷ୍କାର କରିବେ; ଅନ୍ୟଥା, ସେମାନେ ଆପେ ଆପେ ସେମାନଙ୍କର କର୍ତ୍ତବ୍ୟ ପାଳନ କରିବା ଲାଗି ଆଇନଗତ ଭାବରେ ଅଯୋଗ୍ୟ ହୋଇଯିବେ। ଯଦି ଆଇନଗତ ପ୍ରକ୍ରିୟା ପରେ ଏପରି ନେତାଙ୍କୁ ଜାମିନ୍ ଦିଆଯାଏ, ତେବେ ସେମାନେ ପୁଣି ଥରେ ନିଜ ପଦବୀରେ ରହିପାରିବେ। କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ କହିଛନ୍ତି, ଜେଲରେ ଥିବା ସମୟରେ ଜଣେ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ସରକାର ଚଳାଇବା ଠିକ୍ କି ନାହିଁ ସେ ନିଷ୍ପତ୍ତି ଜନତାଙ୍କୁ ନେବାକୁ ପଡ଼ିବ। ଗୋଟିଏ ପଟେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜକୁ ଆଇନ ପରିସରକୁ ଆଣିବା ପାଇଁ ଏକ ସାମ୍ବିଧାନିକ ସଂଶୋଧନ ଉପସ୍ଥାପନ କରିଛନ୍ତି; ଅନ୍ୟପଟେ ଆଇନ ପରିସର ଠାରୁ ବାହାରେ ରହିବା ଏବଂ ଜେଲରେ ସରକାର ଚଳାଇବା ଏବଂ କ୍ଷମତାର ମୋହ ନଛାଡ଼ିବା ଲାଗି ସବୁ ବିରୋଧୀ ଦଳଗୁଡ଼ିକ ଏକାଠି ଏହାର ବିରୋଧ କରୁଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button