ଉପରାଷ୍ଟ୍ରପତି ପଦରୁ ଧନଖଡଙ୍କ ଇସ୍ତଫା: ସ୍ୱାସ୍ଥ୍ୟଗତ ସମସ୍ୟାକୁ କାରଣ ଦର୍ଶାଇଲେ

ନୂଆଦିଲ୍ଲୀ : ସୋମବାର ରାତିରେ ବ୍ୟକ୍ତିଗତ ସ୍ୱାସ୍ଥ୍ୟଗତ ସମସ୍ୟା ତଥା ଚିକିତ୍ସା କାରଣ ଦର୍ଶାଇ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି ୭୪ ବର୍ଷୀୟ ଜଗଦୀପ ଧନଖଡ। ସେ ନିଜ ଇସ୍ତଫାପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରିଛନ୍ତି। ସେ ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, “ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେବା ସହ ଚିକିତ୍ସା ପରାମର୍ଶ ପାଳନ କରିବା ପାଇଁ, ସେ ସମ୍ବିଧାନର ଧାରା ୬୭(କ) ଅନୁଯାୟୀ, ତୁରନ୍ତ ପ୍ରଭାବୀ ଅନ୍ତର୍ଗତ ଭାରତର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଉଛନ୍ତି। ସେ ଭାରତର ରାଷ୍ଟ୍ରପତିଙ୍କ ପ୍ରତି ତାଙ୍କର ଅଟଳ ସମର୍ଥନ ବ୍ୟକ୍ତ କରିଆସିଛନ୍ତି ଏବଂ ଆଗକୁ ମଧ୍ୟ ଏହା ଜାରି ରଖିବେ। ଉପରାଷ୍ଟ୍ରପତି ଭାବେ ନିଜ କାର୍ଯ୍ୟକାଳରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସମସ୍ତ ଦଳୀୟ ନେତା ତଥା ସାଂସଦ, ମନ୍ତ୍ରିପରିଷଦଙ୍କ ଠାରୁ ମିଳିଥିବା ସମର୍ଥନ ତଥା ସୁଖଦ କାର୍ଯ୍ୟ ସମ୍ପର୍କ ପାଇଁ ଧନଖଡ କୃତଜ୍ଞତା ମଧ୍ୟ ଜଣାଇଛନ୍ତି। ଧନଖଡ କହିଛନ୍ତି ଯେ ସେ ନିଜ କାର୍ଯ୍ୟକାଳ ମଧ୍ୟରେ ବହୁତ କିଛି ଶିଖିଛନ୍ତି। ଧନଖଡ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତର ଉଲ୍ଲେଖନୀୟ ଆର୍ôଥକ ପ୍ରଗତି ଏବଂ ଅଭୂତପୂର୍ବ ଘାତକ ବିକାଶକୁ ଦେଖିବା ଏବଂ ଏଥିରେ ଅଂଶଗ୍ରହଣ କରିବା ତାଙ୍କ ପାଇଁ ଅତ୍ୟନ୍ତ ସୌଭାଗ୍ୟ ଏବଂ ସନ୍ତୋଷଜନକ। ଆମ ଦେଶର ଇତିହାସର ଏହି ପରିବର୍ତ୍ତନକାରୀ ଯୁଗରେ ସେବା କରିବା ଏକ ପ୍ରକୃତ ସମ୍ମାନ। ଏତଦ୍ବ୍ୟତୀତ ସେ ଏହି ସମ୍ମାନଜନକ ପଦବୀ ଛାଡିବା ସମୟରେ, ଭାରତର ବିଶ୍ୱସ୍ତରୀୟ ଉତ୍ଥାନ ଏବଂ ଅଦ୍ଭୁତ ସଫଳତା ପାଇଁ ଗର୍ବରେ ପୂର୍ଣ୍ଣ ଏବଂ ଏହାର ଉଜ୍ଜ୍ୱଳ ଭବିଷ୍ୟତ ଉପରେ ଅଟଳ ବିଶ୍ୱାସ ରଖିଥିବା ଦର୍ଶାଇଛନ୍ତି। ପ୍ରକାଶ, ୨୦୨୨ରେ ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଜଗଦୀପ ଧନଖଡ। ଏହାପୂର୍ବରୁ ସେ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ। ଧନଖଡ ଶାସକ ଦଳ ବିଜେପି ପ୍ରତି ସର୍ବାଧିକ ସମର୍ଥନ ବ୍ୟକ୍ତ କରିଆସୁଥିବା ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଆସିଛନ୍ତି। ଫଳରେ ଧନଖଡ ଉଭୟ ରାଜ୍ୟପାଳ ତଥା ଉପରାଷ୍ଟ୍ରପତି ଭାବେ ସର୍ବଦା ବିବାଦ ଘେରରେ ରହିଆସିଥିଲେ।