ସମ୍ମାନିତ ହେଲେ ‘ବିଶ୍ୱ ପୋଲିସ୍ ଏବଂ ଫାୟାର ଗେମ୍ସ-୨୦୨୫’ ରେ ୬୧୩ ପଦକ ଜିତିଥିବା ଭାରତୀୟ ଦଳ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀଠାରେ ଆମେରିକାର ଆଲାବାମା ଅନ୍ତର୍ଗତ ବର୍ମିଂହାମଠାରେ ଆୟୋଜିତ ୨୧ତମ ବିଶ୍ୱ ପୋଲିସ୍‍ ଏବଂ ଫାୟାର ଗେମ୍ସ-୨୦୨୫ରେ ଅଂଶଗ୍ରହଣ କରି ଫେରିଥିବା ଭାରତୀୟ ପୁଲିସ ଏବଂ ଅଗ୍ନିଶମ ବାହିନୀ ଦଳର ସମ୍ମାନିତ ସମାରୋହକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଗୁଇନ୍ଦା ବ୍ୟୁରୋର ନିର୍ଦ୍ଦେଶକ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ (ଆଭ୍ୟନ୍ତରୀଣ ସୁରକ୍ଷା) ଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ୨୧ତମ ବିଶ୍ୱ ପୋଲିସ୍‍ ଏବଂ ଫାୟାର ଗେମ୍ସରେ ଭାରତୀୟ ଦଳ ୬୧୩ ପଦକ ଜିତିଥିବାରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ ଏବଂ ଭାରତୀୟ ପୋଲିସ ଏବଂ ଅଗ୍ନିଶମ ସେବା ଦଳକୁ ସେମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ତଥା ଦେଶକୁ ଗର୍ବିତ କରିଥିବାରୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ ପରବର୍ତ୍ତୀ ବିଶ୍ୱ ପୋଲିସ୍ ଏବଂ ଫାୟାର ଗେମ୍ସ ଭାରତରେ ଅନୁଷ୍ଠିତ ହେବ। ଶ୍ରୀ ଶାହ କହିଥିଲେ ଯେ ଆମର ଲକ୍ଷ୍ୟ ଏହା ସୁନିଶ୍ଚିତ କରିବା ଉଚିତ ଯେ ଅଖିଳ ଭାରତୀୟ ପୋଲିସ୍‍ କ୍ରୀଡ଼ା ନିୟନ୍ତ୍ରଣ ବୋର୍ଡ ଅଧୀନରେ ଥିବା ପ୍ରତ୍ୟେକ ପୋଲିସ୍‍ ବଳରୁ ଅତି କମରେ ଜଣେ ଆଥଲେଟ୍ ପରବର୍ତ୍ତୀ ବିଶ୍ୱ ପୋଲିସ୍‍ ଏବଂ ଫାୟାର ଗେମ୍ସରେ ଅଂଶଗ୍ରହଣ କରିବେ। ଆମର ଅଂଶଗ୍ରହଣ ସମାବେଶୀ ହେବା ଉଚିତ। ସେ ଆହୁରି ମଧ୍ୟ କହିଥିଲେ ଯେ ପ୍ରତ୍ୟେକ ଦଳ ଅତିକମରେ ତିନୋଟି ପଦକ ଜିତିବାର ଲକ୍ଷ୍ୟ ରଖିବା ଉଚିତ। ଏଭଳି ଲକ୍ଷ୍ୟ ହାସଲ କରିବା ଦ୍ୱାରା ୬୧୩ ଟି ପଦକ ଜିତିବାର ରେକର୍ଡ ଆପେ ଆପେ ଭାଙ୍ଗି ଯିବ। ଅମିତ ଶାହ କହିଥିଲେ ଯେ ଆଜି ଭାରତୀୟ ଦଳକୁ ୪,୩୮,୮୫,୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ସେ ଉଲ୍ଲେଖ କରିଥିଲେ ଯେ ପୂର୍ବରୁ ଦେଶରେ ପୋଲିସ୍ ଏବଂ ଫାୟାର ଗେମ୍ସକୁ ବିଶେଷ ଗୁରୁତ୍ୱ ଦିଆଯାଉନଥିଲା। ତେବେ ଅଂଶଗ୍ରହଣ ଦୃଷ୍ଟିରୁ ଅଲିମ୍ପିକ୍ସ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପରେ ଏହା ହେଉଛି ବିଶ୍ୱର ସର୍ବବୃହତ କ୍ରୀଡ଼ା ପ୍ରତିଯୋଗିତା। ଶ୍ରୀ ଶାହ କହିଥିଲେ ଯେ ପ୍ରାୟ ୧୦,୦୦୦ କ୍ରୀଡ଼ାବିତ୍ ଏହି କ୍ରୀଡ଼ାରେ ଅଂଶଗ୍ରହଣ କରିଥାନ୍ତି ଏବଂ ଦେଶର ଦୃଢ଼ ପ୍ରଦର୍ଶନ କାରଣରୁ ଏହା ୧୪୦ କୋଟି ନାଗରିକଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ।

Related Articles

Leave a Reply

Your email address will not be published. Required fields are marked *

Back to top button