କଟକ ଓ ଆଖପାଖ ଅଂଚଳକୁ ଏକ ସମୃଦ୍ଧ ମଡେଲ ଅଂଚଳ ଭାବେ ବିକଶିତ କରାଯିବ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି କଟକ ସାଂସଦ ଭର୍ତ୍ତୃହରି ମହତାବ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି କଟକ ସଂସଦୀୟ କ୍ଷେତ୍ରର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଛନ୍ତି। ବୈଠକରେ, କଟକ ସହରର ଓଏମପି ଅଂଚଳରେ ଭେଣ୍ଡିଙ୍ଗ ଜୋନ, ଏକ ବୃହତ୍‌ କନ୍‌ଭେନସନ ସେଣ୍ଟର ସ୍ଥାପନ, ରାଣୀହାଟ ଅଂଚଳର ଉନ୍ନତିକରଣ, ପ୍ରେସ ଛକ ଅଂଚଳରେ ଏକ ପାର୍କ ନିର୍ମାଣ ସମ୍ପର୍କରେ ଆଲୋଚନା ହୋଇଥିଲା। ଏତଦବ୍ୟତୀତ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଭୂମି ସତ୍ୟଭାମାପୁରର ସମନ୍ୱିତ ବିକାଶ, ସିଏମସି ଏବଂ ସିଡିଏ ଅଞ୍ଚଳ ପାଇଁ ଡ୍ରେନେଜ୍ ମାଷ୍ଟର ପ୍ଲାନ୍, ମହାନଦୀରେ ବ୍ୟାରେଜ୍ ଯୋଜନା, ବଡମ୍ବା ସୁଗାର ମିଲ ଓ ଭଗତପୁର କଟନ ମିଲର ପୁନଃ କାର୍ଯ୍ୟକାରିତା, ଓ ଉପଖଣ୍ଡ ସ୍ତରୀୟ କୋଲ୍ଡ ଷ୍ଟୋରେଜ ନିର୍ମାଣ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ବୈଠକରୁ ଜଣା ପଡିଛି ଯେ, ମୁଖ୍ୟମନ୍ତ୍ରୀ ଏହି ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଉପଯୁକ୍ତ ପଦକ୍ଷେପ ନେବା ଏବଂ ପ୍ରଶାସନିକ ସ୍ତରରେ ପ୍ରତ୍ୟେକ କାର୍ଯ୍ୟ ଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ ସଚିବଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏହି ଆଲୋଚନାରେ, ଅଧିକ ସଂଯୁକ୍ତ ପ୍ରୟାସ ଦ୍ୱାରା କଟକ ଜିଲ୍ଲା ଏବଂ ତାହାର ଉପଖଣ୍ଡ ଅଞ୍ଚଳକୁ ଏକ ଆଧୁନିକ ଓ ସମୃଦ୍ଧ ମଡେଲ୍ କ୍ଷେତ୍ର ବନେଇବା ପାଇଁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ବୈଠକରେ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ଅରିନ୍ଦମ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button