ବିହାରକୁ ୭୦୦୦ କୋଟିର ବିକାଶ ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ମୋତିହାରୀରେ ୭୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ପବିତ୍ର ଶ୍ରାବଣ ମାସରେ ବାବା ସୋମେଶ୍ୱର ନାଥଙ୍କୁ ପ୍ରଣାମ କରି ପ୍ରଧାନମନ୍ତ୍ରୀ ବିହାରର ସମସ୍ତ ବାସିନ୍ଦାଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ପାଇଁ ଆଶୀର୍ବାଦ ଲୋଡ଼ିଥିଲେ ଏବଂ ପ୍ରାର୍ଥନା କରିଥିଲେ। ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ ଯେ ଏହା ଚମ୍ପାରଣ ଭୂମି, ଏକ ଇତିହାସ ସୃଷ୍ଟି କରିଥିବା ଭୂମି। ସ୍ୱାଧୀନତା ଆନ୍ଦୋଳନ ସମୟରେ ଏହି ଭୂମି ମହାତ୍ମା ଗାନ୍ଧୀଙ୍କୁ ଏକ ନୂତନ ଦିଗଦର୍ଶନ ଦେଇଥିଲା। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ଭୂମିରୁ ପ୍ରେରଣା ଏବେ ବିହାରର ନୂତନ ଭବିଷ୍ୟତ ଗଢ଼ିବ। ଏହି ବିକାଶ ପଦକ୍ଷେପ ପାଇଁ ସେ ଉପସ୍ଥିତ ସମସ୍ତ ଲୋକଙ୍କୁ ଏବଂ ବିହାରର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଥିଲେ। ଶ୍ରୀ ମୋଦୀ କହିଥିଲେ ଯେ ଏକବିଂଶ ଶତାବ୍ଦୀ ଦ୍ରୁତ ବିଶ୍ୱ ପ୍ରଗତି ଦେଖୁଛି, ପୂର୍ବରୁ ପାଶ୍ଚାତ୍ୟ ଦେଶମାନଙ୍କର ଆଧିପତ୍ୟ ଥିବାବେଳେ ଏବେ ପ୍ରାଚ୍ୟ ଦେଶମାନଙ୍କ ଅଧିପତ୍ୟ ଆରମ୍ଭ ହୋଇଛି, ଯେଉଁମାନଙ୍କ ଭାଗିଦାରୀ ଓ ପ୍ରଭାବ ବି ବଢୁଛି । ସେ ଉଲ୍ଲେଖ କରିଥିଲେ ଯେ ପ୍ରାଚ୍ୟ ଦେଶଗୁଡ଼ିକ ଏବେ ବିକାଶରେ ନୂତନ ଗତି ହାସଲ କରୁଛନ୍ତି। ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେପରି ପ୍ରାଚ୍ୟ ଦେଶଗୁଡ଼ିକ ବିଶ୍ୱ ସ୍ତରରେ ପ୍ରଗତି କରୁଛନ୍ତି, ସେହିପରି ଭାରତରେ ଏବେ ମଧ୍ୟ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଯୁଗ ଆସିଛି। ସେ ସରକାରଙ୍କ ସଂକଳ୍ପକୁ ପୁନଃଦୋହରାଇଥିଲେ ଯେ ଆଗାମୀ ସମୟରେ, ପୂର୍ବରେ ମୋତିହାରୀ ପଶ୍ଚିମରେ ମୁମ୍ବାଇ ପରି ସମାନ ଗୁରୁତ୍ୱ ହାସଲ କରିବ। ଶ୍ରୀ ମୋଦୀ ଗୁରୁଗ୍ରାମ ପରି ଗୟା, ପୁନେ ପରି ପାଟନା ଏବଂ ସୁରଟ ପରି ସନ୍ଥଳ ପରଗନାରେ ଶିଳ୍ପ ବିକାଶ ସୁନିଶ୍ଚିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେ ଆଶା ପ୍ରକାଶ କରିଥିଲେ ଯେ ଜଳପାଇଗୁଡ଼ି ଏବଂ ଯାଜପୁରରେ ପର୍ଯ୍ୟଟନ ଜୟପୁର ପରି ନୂତନ ରେକର୍ଡ ସୃଷ୍ଟି କରିବ ଏବଂ ବୀରଭୂମିର ଲୋକମାନେ ବେଙ୍ଗାଲୁରୁର ଲୋକଙ୍କ ପରି ପ୍ରଗତି କରିବେ। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ, “ପୂର୍ବ ଭାରତକୁ ଆଗକୁ ବଢ଼ିବା ପାଇଁ, ବିହାରକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବାକୁ ପଡିବ। ଆଜି ବିହାରରେ ଦ୍ରୁତ ପ୍ରଗତି ସମ୍ଭବ କାରଣ କେନ୍ଦ୍ର ଏବଂ ରାଜ୍ୟରେ ଉଭୟ ସରକାର ଅଛନ୍ତି ଯେଉଁମାନେ ବିହାରର ବିକାଶ ପାଇଁ ପ୍ରତିବଦ୍ଧ।” ସେ ଏହାର ସମର୍ଥନରେ କେତେକ ତୁନଳାତ୍ମକ ତଥ୍ୟ ରଖିଥିଲେ : ପୂର୍ବବର୍ତ୍ତୀ ସରକାରଗୁଡ଼ିକର ୧୦ ବର୍ଷ ମଧ୍ୟରେ ଯେତେବେଳେ ସେମାନେ କେନ୍ଦ୍ରରେ କ୍ଷମତାରେ ଥିଲେ, ବିହାରକୁ କେବଳ ୨ ଲକ୍ଷ କୋଟି ଟଙ୍କା ମିଳିଥିଲା। ସେ ମନ୍ତବ୍ୟ ଦେଇଥିଲେ ଯେ ଏହା ନୀତିଶ କୁମାରଙ୍କ ନେତୃତ୍ୱାଧୀନ ସରକାରଙ୍କ ବିରୁଦ୍ଧରେ ରାଜନୈତିକ ପ୍ରତିଶୋଧର ଏକ ପ୍ରକାର ଥିଲା। ପ୍ରଧାନମନ୍ତ୍ରୀ ଦୃଢ଼ତାର ସହିତ କହିଥିଲେ ଯେ ୨୦୧୪ରେ କ୍ଷମତାକୁ ଆସିବା ପରେ, ତାଙ୍କ ସରକାର ବିହାର ବିରୁଦ୍ଧରେ ଏହି ପ୍ରତିଶୋଧର ରାଜନୀତିର ଅନ୍ତ ଘଟାଇଛି, ତାଙ୍କ ଶାସନ କାଳରେ ଗତ ୧୦ ବର୍ଷ ମଧ୍ୟରେ ବିହାରର ବିକାଶ ପାଇଁ ପ୍ରାୟ ୯ ଲକ୍ଷ କୋଟି ଟଙ୍କା ଆବଣ୍ଟିତ ହୋଇଛି। ଏହା ପୂର୍ବ ସରକାରଙ୍କ ସମୟରେ ପ୍ରଦାନ କରାଯାଇଥିବା ପରିମାଣର ଚାରି ଗୁଣ , ଯାହାକି ଲୋକଙ୍କ କଲ୍ୟାଣ ଓ ବିକାଶମୂଳକ ପ୍ରକଳ୍ପ ପାଇଁ ବ୍ୟବହାର ହେଉଛି ବୋଲି ସେ କହିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button