୧୧ରେ ଲଘୁଚାପ: ୮ରେ ଓଡ଼ିଶା ଛୁଇଁପାରେ ମୌସୁମୀ

ଭୁବନେଶ୍ୱର: ଆସନ୍ତା ୧୧ ତାରିଖରେ ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୦ ତାରିଖରୁ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହେବା। ଯାହା ୧୪ ତାରିଖ ପର୍ଯ୍ୟନ୍ତ ଜାରି ରିହବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ଲଘୁଚାପ ପ୍ରଭାବରେ  ଦକ୍ଷିଣ ପଶ୍ଚିମ ମୌସୁମୀ ସାରା ଓଡ଼ିଶାରେ ପ୍ରବେଶ କରିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ସହ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଥିବା ନେଇ ମଧ୍ୟ ସତର୍କ କରିଛି ପାଣିପାଗ ବିଭାଗ।

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜୁନ୍‌ ୧୦ କିମ୍ବା ୧୧ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଏକ ଡିପ୍ରେସନ୍‌ର ରୂପ ନେବା ସହ ଜୁନ୍‌ ୧୦ ତାରିଖ ରାତିରୁ ଜୁନ୍‌ ୧୧ ତାରିଖ ରାତି ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ବର୍ଷା ହୋଇପାରେ। ଏହାପରେ ଜୁନ୍‌ ୧୪ ତାରିଖ ପର୍ଯ୍ୟନ୍ତ ଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କୁହାଯାଇଛି। ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଏବଂ ୧୨ରୁ ୧୪ ତାରିଖ ମଧ୍ୟରେ ନବରଙ୍ଗପୁର, ନୂଆପଡ଼ା, କନ୍ଧମାଳ, କଳାହାଣ୍ଡି, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସୋନପୁର, ବୌଦ୍ଧ, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।

ସେହିପରି ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରି ସାରିଛି। ଜୁନ୍‌ ୩ ତାରିଖରେ କେରଳ ଛୁଇଁବା ପରେ ମୌସୁମୀ ତାମିଲନାଡୁରେ ସକ୍ରିୟ ହେବା ସହ ଆନ୍ଧ୍ର ପ୍ରଦେଶର କେତେକ ଅଞ୍ଚଳକୁ ଆଚ୍ଛାଦିତ କରିଛି। ତେଣୁ ଏହା ଜୁନ୍ ୮ କିମ୍ବା ୯ ସୁଦ୍ଧା ଦକ୍ଷିଣ ଓଡ଼ିଶାର କେତେକ ଅଂଶକୁ ଛୁଇଁବ ବୋଲି ଆଶା କରାଯାଉଛି। ସେହିପରି ଆସନ୍ତା ୨୪ ଘଣ୍ଟା ଭିତରେ ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୭ ତାରିଖ ଦିନ ନୂଆପଡ଼ା, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେଓଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ବରରେ ମଧ୍ୟ କାଳବୈଶାଖୀ ସମ୍ଭାବନା ରହିଛି। ସେହିପରି ୮ ତାରିଖ ଦିନ ୨୦ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମେତ ବଜ୍ରପାତ ଓ ପବନ ହେବା ନେଇ ସତର୍କ କରିଛି ପାଣିପାଗ ବିଭାଗ। ଏଥିପାଇଁ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Related Articles

Leave a Reply

Your email address will not be published.

Back to top button