ସ୍ୱର୍ଗତଃ ନାରାୟଣ ପତିଙ୍କ ବିୟୋଗରେ ଶୋକସଭା

ଭୁବନେଶ୍ୱର: ଭୁବନେଶ୍ୱରର ସୁପ୍ରତିଷ୍ଠିତ ନାଟ୍ୟସଂସ୍ଥା ଇଣ୍ଟରନ୍ୟାସନାଲ ଥିଏଟର ଅଫିସ୍ ଗୃହରେ ବିଶିଷ୍ଟ ନାଟ୍ୟବିତ, ନାଟ୍ୟ କଳାକାରଙ୍କ ଉପସ୍ଥିତିରେ ସ୍ୱର୍ଗତଃ ନାରାୟଣ ପତିଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକ ତାଙ୍କର ସ୍ମୃତିଚାରଣ କରି ସ୍ୱର୍ଗତଃ ପତିଙ୍କର ନାଟକ ପ୍ରତି ପ୍ରତିବଦ୍ଧତା ଏବଂ ନାଟ୍ୟ ଅନୁଭୂତି ଉପରେ ଅନେକ ତଥ୍ୟ ପ୍ରକାଶ କରିଥିଲେ । ଆଜି ପିଢ଼ିର ଯୁବ କଳାକାର ତାଙ୍କର ବ୍ୟକ୍ତିତ୍ୱ ଉପରେ ଅନେକ କଥା ଜାଣିବାର ସୁଯୋଗ ପାଇଥିଲେ । ଭୁବନେଶ୍ୱର ଉତ୍କଳ ସଂଗୀତ ମହା ବିଦ୍ୟାଳୟରେ ପ୍ରଥମ ବ୍ୟାଚ ଭାବେ ନାଟକ ବିଭାଗରେ ଯୋଗଦେଇ ନାଟ୍ୟ ଜଗତରେ ପ୍ରବେଶ କରି ପରବର୍ତ୍ତୀ କାଳରେ ଏନ୍ଏସ୍ଡିରେ ପାଠ ପଢ଼ିବାର ସୁଯୋଗ ପାଇ ନାଟକ ତଥା ଚଳଚ୍ଚିତ୍ର, ଦୂରଦର୍ଶନ ଜଗତରେ ବେଶ୍ ସୁନାମ ଅର୍ଜନ କରିଥିଲେ ସର୍ବଭାରତୀୟ ସ୍ତରରେ ଓଡିଆ ନାଟକକୁ ପ୍ରଥମେ ପରିବେଷଣ କରି ଏକ ମାଇଲ୍ଖୁଣ୍ଟ ସ୍ଥାପନା କରିଥିଲେ ।
ତାଙ୍କର ସହପାଠୀ (ସଂଗୀତ ମହାବିଦ୍ୟାଳୟର) ତଥା ଇଣ୍ଟରନ୍ୟାସନାଲ ଥିଏଟର ନିର୍ଦ୍ଦେଶକ ମିହିର ମେହେର ପତିଙ୍କର ‘ଇଟ୍’ ସହ ସଂପୃକ୍ତି, ବିଶେଷଭାବେ ମନୋରଂଜନ ଦାସଙ୍କ ଶବ୍ଦଲିପି ନାଟକ (ହିନ୍ଦୀ)ରେ ବିଜୟା ଗୁପ୍ତା, ମିହିର ମେହେର, ଧୀର ମଲ୍ଲିକ, ପ୍ରତାପ ସାମଲ ଆଦିଙ୍କ ସହ ଅଭିନୟ କରି ସମସ୍ତଙ୍କୁ ଆଚମ୍ବିତ କରିଥିଲେ । ତା’ପରେ ତାଙ୍କର ଜୟଯାତ୍ରା ପ୍ରାରମ୍ଭ କରି ବହୁ ପ୍ରଶଂସିତ ହୋଇଥିଲେ । ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରି ଏକ ମିନିଟ୍ର ନିରବ ପ୍ରାର୍ଥନା ସମୁହ ଭାବେ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଉପେନ୍ଦ୍ର ପତି, ଅବିନାଶ ଦଣ୍ଡପାଟ, କୁମାର ଶ୍ରୀ ସୁରଜିତ ପ୍ରସାଦ, ଜିତେନ୍ଦ୍ର ପଟ୍ଟନାୟକ, ଦିଲ୍ଲୀପ ଦାଶଶର୍ମା, ମାନସ ପରିଡା, ସୁରେଶ ନାୟକ, ରେଶମା ସାହୁ, ସମୀର ମେହେର, ରଂଜନ ପଟ୍ଟନାୟକ, ହର ପଟ୍ଟନାୟକ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।