ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ଶୃଙ୍ଖଳିତ ଆୟୋଜନ ନେଇ ଉପମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ବର: ଆସନ୍ତା ୨୭ ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ଶୃଙ୍ଖଳିତ ଆୟୋଜନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟିରେ ନଗର ଉନ୍ନୟନ ମନ୍ତ୍ରୀ, ପରିବହନ ମନ୍ତ୍ରୀ ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହିତ ଆଇନ ବିଭାଗର ପ୍ରଧାନ ଶାସନ ସଚିବ ସାମିଲ ଅଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ କମିଟିର ସଦସ୍ୟମାନେ ପୁରୀ ଗସ୍ତରେ ଆସି ତିନି ରଥର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ରଥ ନିର୍ମାଣ କାର୍ଯ୍ୟ ଢେର ଆଗୁଆ ଚିଲିଛି ବୋଲି କହିଥିଲେ। ସେ ମଧ୍ୟ ପୁରୀ ମେଡିକାଲ ପରିସର ବୁଲି ଦେଖିବା ସହିତ ସ୍ବାସ୍ଥ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ରଥଯାତ୍ରା ସମୟରେ ଅଧିକ ଡାକ୍ତର ନିୟୋଜିତ ହେବା ସହ ୭୪ଟି ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି। ସିସିଟିଭି ନଜରରେ ସଂପୂର୍ଣ୍ଣ ମେଡିକାଲ ରହିଥିବା ବେଳେ ଉତ୍ତମ ଚିକିତ୍ସା ପ୍ରଦାନ ନିମନ୍ତେ ମେଡିକାଲ ଟିମ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ମେଡିକାଲ ବୁଲି ଦେଖିବା ପରେ ସେ ଗୁଣ୍ଡିଚା ମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ।