ବନ୍ଧାହେଲେ କୁବେର ଯନ୍ତ୍ରୀ

ଭୁବନେଶ୍ୱର: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ କୁବେର RW ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କୁ ଶନିବାର ଗିରଫ କରିଛି ଭିଜିଲାନ୍ସ। ଶୁକ୍ରବାର ତାଙ୍କ ଘରୁ ମିଳିଥିଲା ନଗଦ ୨.୫୬ କୋଟି ଟଙ୍କା ମିଳିଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ (ପ୍ଲାନ୍‌ ରୋଡ୍‌ସ) ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଶୁକ୍ରବାର ବୈକୁଣ୍ଠନାଥଙ୍କ ଅନୁଗୋଳ, ଭୁବନେଶ୍ୱର ଓ ପିପିଲି(ପୁରୀ)ର ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଥିଲା ଏସବୁ ସ୍ଥାନ ମଧ୍ୟରେ ଭୁବନେଶ୍ୱରସ୍ଥିତ ଅଫିସ ଚାମ୍ବର ଓ ଅନୁଗୋଳ ଜିଲା ଲୋକେଇପଶି ଗ୍ରାମସ୍ଥିତ ପୈତୃକଘର, ଶିକ୍ଷକପଡାସ୍ଥିତ ସମ୍ପର୍କୀୟଙ୍କ ଘର ଆଦି ରହିଛି। ଯାଞ୍ଚରୁ ବୈକୁଣ୍ଠ ୧୫ କୋଟିରୁ ଅଧିକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠୁଳ କରିଥିବା ସୂଚନା ମିଳିଥିଲା। ତେବେ ଭିଜିଲାନ୍ସ ଟିମ୍‌କୁ ଦେଖି ବୈକୁଣ୍ଠ ଭୁବନେଶ୍ୱର ଡୁମୁଡୁମାସ୍ଥିତ ଫ୍ଲାଟ୍‌ର ଝରକା ବାଟେ ବିଡ଼ା ବିଡ଼ା ୫୦୦ ଟଙ୍କିଆ ନୋଟ୍‌ (କୋଟିଏରୁ ଊଦ୍ଧର୍‌ବ) ଫିଙ୍ଗିଦେଇଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିସହ ଯନ୍ତ୍ରୀ ଦାମୀ ହାତଘଡି ସଉକ ରଖିଥିଲେ ବୋଲି ଜଣାପଡିଛି। ଭିଜିଲାନ୍ସ ସୂଚନା ଅନୁଯାୟୀ, ବୈକୁଣ୍ଠଙ୍କର ଅନୁଗୋଳ କରଡ଼ାଗଡ଼ିଆରେ ୩୨୦୦ ବର୍ଗଫୁଟରେ ଦୁଇ ମହଲା କୋଠା, ମାଟିଆ ସାହିରେ ୧୦୦୦ ବର୍ଗଫୁଟର ଆଉ ଏକ ଦୁଇ ମହଲା କୋଠା, ଭୁବନେଶ୍ୱର ଡୁମୁଡୁମାରେ ଥିବା ଏକ ଆପାର୍ଟମେଣ୍ଟରେ ଫ୍ଲାଟ୍‌ ଏବଂ ପିପିଲିରେ ଆଉ ଏକ ଫ୍ଲାଟ ରହିଛି। ଭୁବନେଶ୍ୱର ଓ ଅନୁଗୋଳ ଉପକଣ୍ଠରେ ୭ଟି ଉଚ୍ଚମୂଲ୍ୟ ପ୍ଲଟ୍‌ ଠାବ ହୋଇଛି। ଏଥିସହ ଘରୁ ମୋଟ ନଗଦ ୨ କୋଟି ୫୬ ଲକ୍ଷ ୨୯ ହଜାର ୨୯୯ ଟଙ୍କା ମିଳିଛି। ଏଥିରୁ କରଡ଼ାଗଡ଼ିଆ ବାସଭବନରେ ଏକ ଛୋଟ କାର୍ଟୁନରେ ଥିବା ୩୦ଲକ୍ଷ ଟଙ୍କା ସମେତ ୧ କୋଟି ୩୪ ଲକ୍ଷ ୩୪ ହଜାର ୨୯୯ ଟଙ୍କା ଏବଂ ଭୁବନେଶ୍ୱର ଡୁମୁଡୁମାସ୍ଥିତ ଫ୍ଲାଟ୍‌ରୁ ୧ କୋଟି ୨୧ ଲକ୍ଷ ୯୫ ହଜାର ରହିଛି। ସେହିପରି ୧୧୪୧.୫ ଗ୍ରାମର ସୁନା ଅଳଙ୍କାର ଓ ୧୫ଟି ଦାମୀ ହାତଘଡି ମିଳିଥିଲା। ଯନ୍ତ୍ରୀଙ୍କ ବ୍ୟାଙ୍କ ଓ ଜୀବନବୀମା ଜମା ୧.୫ କୋଟି ରହିଥିବାବେଳେ ୧୫.୪୪ ଲକ୍ଷ ଟଙ୍କାର ଗୋଟିଏ କାର (ମାରୁତି ସ୍ବିଫ୍ଟ), ଗୋଟିଏ ଦୁଇଚକିଆ ଯାନ ଏବଂ ଘରୋଇ ସାମଗ୍ରୀ ଠାବ ହୋଇଛି। ଅନୁଗୋଳ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ହେଉଥିବା ଏହି ଯାଞ୍ଚରେ ଭିଜିଲାନ୍ସର ୮ ଡିଏସ୍‌ପି, ୧୨ ଇନ୍ସପେକ୍ଟର, ୬ ଏଏସ୍‌ଆଇ ଏବଂ ଅନ୍ୟ ସହକର୍ମଚାରୀ ସାମିଲ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button