ହାର୍ଡକୋର ମାଓବାଦୀ ହିଡ୍ମା ଗିରଫ

ଭୁବନେଶ୍ବର: ଗୁରୁବାର ଭୋର୍ରୁ ବୈପାରୀଗୁଡ଼ା ଥାନାର ପେଟିଗୁଡ଼ା ଗ୍ରାମ ନିକଟ ଜଙ୍ଗଲରୁ ଜଣେ ହାର୍ଡକୋର୍ ଏସିଏମ୍ ର଼୍ୟାଙ୍କର ମାଓବାଦୀ ମୋହନ ତଥା କୁଞ୍ଜମ ହିଡ୍ମାକୁ କୋରାପୁଟ ଡିଭିଏଫ୍ ପୋଲିସ ଗିରଫ କରିବାରେ ସଫଳ ହୋଇଥିବା ଅପରାହ୍ନରେ ସ୍ଥାନୀୟ ଏସ୍ପି କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍ପି ରୋହିତ ବର୍ମା ସୂଚନା ଦେଇଛନ୍ତି। ବୈପାରୀଗୁଡ଼ା ଥାନାର ପେଟିଗୁଡ଼ା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଜୟପୁର ପୋଲିସ ଏସ୍ଡିପିଓ ପାର୍ଥ କଶ୍ୟପ ଓ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଦିବ୍ୟ ପ୍ରସାଦ ପରିଡ଼ାଙ୍କ ନେତୃତ୍ୱରେ କୋରାପୁଟ ଜିଲା ଡିଭିଏଫ୍ ପୋଲିସ ସର୍ଚ୍ଚ ଅପେରଶନ କରୁଥିବାବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ଏବଂ ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ଯବାନମାନେ କହିଥିଲେ କିନ୍ତୁ ଏହାକୁ ନଶୁଣୀ ମାଓବାଦୀ ପକ୍ଷରୁ ହଠାତ୍ ପୋଲିସ ଉପରକୁ ଗୁଳି ଚଳାଇବା ଆରମ୍ଭ କରାଯାଇଥିଲା। ପୋଲିସ ଏହାର ପାଲଟା ଜବାବ ଦେଇଥିଲା। ଏହିସମୟରେ ମାଓବାଦୀ ମୋହନ ସମେତ ତା’ର ୩ ସହଯୋଗୀ ଆନ୍ଧ୍ରକୁ ଖସି ଚାଲିଯିବାକୁ ଚେଷ୍ଟା କରୁଥିବା ବେଳେ ମୋହନକୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିଲେ। ଗିରଫ ମୋହନଙ୍କ ନିକଟରୁ ଏକେ ୪୭ ରାଇଫଲ ସହ ୩୫ ରାଉଣ୍ଡ ଗୁଳି, ଏକ ମାଗାଜିନ,୨୭ଟି ଇଲୋକ୍ଟ୍ରୋନିକ୍ ଡିଟୋନେଟର ସହ ବହୁ ବିସ୍ଫୋରକ ଓ ମାଓବାଦୀ ସାମଗ୍ରୀ ଜବତ କରିଥିଲେ। ମୋହନଙ୍କ ନାମରେ କୋରାପୁଟ ଜିଲାରେ ୪ଟି ମାମଲା ଓ ମାଲକାନଗିରି ଜିଲାରେ ୩ଟି ମାମଲା ରହିଥିବା ବେଳେ ଛତିଶଗଡ଼ ରାଜ୍ୟରେ ବହୁ ଘଟଣାରେ ଜଡ଼ିତ ବୋଲି ଏସ୍ପି କହିଛନ୍ତି।