ପାର୍ସଲ ବୋମା ବିସ୍ଫୋରଣ ମାମଲା: ଆଜୀବନ କାରାଦଣ୍ଡରେ ଦଣ୍ଡିତ ପୁଞ୍ଜିଲାଲ ମେହେର

ଭୁବନେଶ୍ୱର: ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ ଆଜି ପ୍ରକାଶ ପାଇଛି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଏଡିଜେ କୋର୍ଟରେ ପୁଞ୍ଜିଲାଲ ମେହେର ଦୋଷୀ ସାବ୍ୟସ୍ତ ହୋଇଛି। ପୁଞ୍ଜିଲାଲଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ଏହି ରାୟ ପରେ ମୃତ ସୌମ୍ୟଙ୍କ ବାପା ଓ ମା’ ପ୍ରତିକ୍ରିୟା ରଖିଛନ୍ତି, ସେ କହିଛନ୍ତି, ପୁଞ୍ଜିଲାଲଙ୍କୁ ଫାଶୀ ହେବା ନେଇ ଆଶା ରଖିଥିଲୁ। ହେଲେ କୋର୍ଟଙ୍କ ରାୟରେ ଆମେ କିଛିଟା ସନ୍ତୁଷ୍ଟ ଅଛୁ। ପୁଅର ଆତ୍ମା କିଛିଟା ଶାନ୍ତି ପାଇବ। ପୁଞ୍ଜିଲାଲକୁ ମଣିଷ ବୋଲି କୁହାଯିବ ନାହିଁ। ସେ ଯଦି ଉପରକୋର୍ଟ ଯିବ, ଆମେ ବି ଯିବୁ। ଦୀର୍ଘ ୭ ବର୍ଷ ହେଲା କୋର୍ଟ ଆସୁଥିଲୁ ଆଜି ଏହି ରାୟ ମିଳିଲା। ୨୦୧୮ ଫେବୃଆରୀ ୨୩ରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟି ନବ ବିବାହିତ ଇଞ୍ଜିନିୟର ସୌମ୍ୟଶେଖର ସାହୁ, ତାଙ୍କ ଜେଜେମା ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା। ମୃତ ସୌମ୍ୟ ଶେଖରଙ୍କ ନବବିବାହିତା ସ୍ତ୍ରୀ ରିମାରାଣୀ ଗୁରୁତର ଆହତ ହୋଇଥିଲେ। ଏହି ମାମଲାରେ କ୍ରାଇମବ୍ରାଞ୍ଚ ପାଟଣାଗଡ଼ ନିକଟସ୍ଥ ଭଇଁଷା କଲେଜର ଇଂରାଜୀ ବିଭାଗର ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଏକମାତ୍ର ଓ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରିଥିଲା। କ୍ରାଇମବ୍ରାଞ୍ଚ ଟିମ୍ ୨୦୦୦ ପୃଷ୍ଠା ବିଶିଷ୍ଟ ଚାର୍ଜସିଟ ଦାଖଲ କରିବା ପରେ ପାଟଣାଗଡ଼ ଏଡିଜେ କୋର୍ଟରେ ପ୍ରାୟ ୨ ବର୍ଷ କାଳ ଏହାର ଶୁଣାଣି ଓ ନ୍ୟାୟିକ ପ୍ରକ୍ରିୟା ଚାଲିଥିଲା। ୬୨ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ପରେ ପାଟଣାଗଡ ଏଡିଜେ କୋର୍ଟ ଆଜି ପୁଞ୍ଜିଲାଲ ମେହେରକୁ ଭାରତୀୟ ଦଣ୍ଡବିଧାନ ଆଇନ ଅନୁସାରେ ଇପିସି ସେକ୍ସନ ୩୦୨, ୩୦୭, ୨୦୧ ଏକ୍ସସାଇଜ ଆକ୍ଟ ୩, ଦଫା ୪ ଅନୁସାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ପଚାଶ ହଜ଼ାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button