ଗିରଫ ହେଲେ ନକଲି ଡାକ୍ତର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ମହିଳାଙ୍କ ସମ୍ବେଦନଶୀଳ ସ୍ଥାନରେ ହାତ ମାରି ଜଣେ ନକଲି ଡାକ୍ତର ଗିରଫ ହୋଇଛନ୍ତି । ମହିଳା ଜଣଙ୍କ ଡାଇରିଆଜନିତ ରୋଗରେ ପଡ଼ି ଚିକିତ୍ସିତ ହେଉଥିଲେ । ସ୍ଥାନୀୟ ବଡ଼ଆମ୍ବିଲା ଗ୍ରାମର ଦୀପକ ମହାନ୍ତି ଓରଫ ଦୀପୁ ନିଜକୁ ଡାକ୍ତର ପରିଚୟ ଦେଇ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ମହିଳାଙ୍କ ସ୍ୱାମୀ ଆଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ସମ୍ପୃକ୍ତ ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗ ଅନୁସାରେ ତାଙ୍କ ପତ୍ନୀଙ୍କୁ ଗତ ୩୦ ତାରିଖରେ ଝାଡ଼ାବାନ୍ତି ହୋଇଥିଲା । ପରିବାର ଲୋକେ ମହିଳାଙ୍କୁ ସକାଳ ୯ଟାରେ ଆଳି ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବାବେଳେ ରାତ୍ର ୧୧ଟା ୩୦ରେ ଜଣେ ସ୍ୱାସ୍ଥ୍ୟ କର୍ମଚାରୀ ନିଜକୁ ଗୋବିନ୍ଦପୁରର ଡାକ୍ତର ବୋଲି ପରିଚୟ ଦେଇ ମହିଳାଙ୍କ ନିକଟରେ ପହଞ୍ଚି ଚିକିତ୍ସା ଆଳରେ ସମ୍ବେଦନଶୀଳ ଅଙ୍ଗଗୁଡ଼ିକରେ ହାତ ମାରିଥିଲେ । ଏନେଇ ମହିଳାଙ୍କ ସ୍ୱାମୀଙ୍କ ମନରେ ସନ୍ଦେହ ଉପୁଜିବାରୁ ନକଲି ଡାକ୍ତରଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ । ସେ ଉତ୍ତର ଦେଇଥିଲେ ଯେ, ସବୁ ପରୀକ୍ଷା ନିରୀକ୍ଷା ନ କଲେ ରୋଗୀ ଭଲ ହେବ କେମିତି । ମହିଳାଙ୍କ ସ୍ୱାମୀ ଏନେଇ ନର୍ସଙ୍କୁ ଜଣାଇବାରୁ ସମ୍ପୃକ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଅସଲି ମୁଖା ଖୋଲିଯାଇଥିଲା । କୌଶଳକ୍ରମେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏ ନେଇ ମହିଳାଙ୍କ ସ୍ୱାମୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୁଲିସ ଘଟଣାର ତଦନ୍ତ ଚଳାଇଛନ୍ତି ।

Related Articles

Leave a Reply

Your email address will not be published.

Back to top button