ସାମ୍ବାଦିକଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ: ୩ ବାଉନ୍ସରଙ୍କୁ ଅଧାଲଣ୍ଡା କରି ବୁଲାଇଲା ପୁଲିସ୍‌

ରାୟପୁର: ଛତିଶଗଡ଼ର ଆମ୍ବେଦକର ହସ୍ପିଟାଲରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରିଥିବା ୩ ବାଉନ୍ସରଙ୍କୁ ସୋମବାର ପୁଲିସ୍ ଗିରଫ କରିବା ସହ ସେମାନଙ୍କୁ ଅଧା ଲଣ୍ଡା କରିବା ପୂର୍ବକ ବିଚ୍ ରାସ୍ତାରେ ଚଲାଇ ଚଲାଇ ନେଇଛି। ରିପୋର୍ଟ ଅନୁସାରେ ରାୟପୁରରେ ଘଟିଥିବା ଏକ ଛୁରାମାଡ଼ ଘଟଣାର ରିପୋର୍ଟ କରିବା ପାଇଁ ରବିବାର ରାତିରେ ଗଣମାଧ୍ୟମ ପ୍ରତିନିଧିମାନେ ଆମ୍ବେଦକର ହସ୍ପିଟାଲରେ ପହଞ୍ଚିଥିଲେ। କିନ୍ତୁ ହସ୍ପିଟାଲରେ ମୁତୟନ ଥିବା ବାଉନ୍ସରମାନେ ସେମାନଙ୍କୁ ଭିତରକୁ ଛାଡ଼ିନଥିଲେ। ବାଉନ୍ସରମାନେ ଛୁରାମାଡ଼ରେ ଆହତ ବ୍ୟକ୍ତି (ପୀଡ଼ିତ)ଙ୍କ ସହ କଥା ହେବାକୁ କିମ୍ବା ରିପୋର୍ଟ ଲେଖିବା ତଥା ଫଟୋ ଉଠାଇବାକୁ ବାରଣ କରିଥିଲେ। ସାମ୍ବାଦିକମାନେ ଏଥିରେ ପ୍ରତିବାଦ କରିବାରୁ ବାଉନ୍ସରମାନେ ବଳପୂର୍ବକ ସାମ୍ବାଦିକଙ୍କୁ ଠେଲାପେଲା କରିବା ସହ ଝଗଡ଼ା କରିଥିଲେ। ସବୁଠୁ ବଡ଼କଥା ହେଉଛି ସାମ୍ବାଦିକମାନଙ୍କ ମଧ୍ୟରେ କିଛି ମହିଳା ପ୍ରତିନିଧି ମଧ୍ୟ ସାମିଲ ଥିଲେ ଯେଉଁମାନଙ୍କ ସହ ବାଉନ୍ସରମାନେ ଅତ୍ୟନ୍ତ ଖରାପ ବ୍ୟବହାର କରିଥିଲେ। ଖବର ପାଇବା ମାତ୍ରେ ରାୟପୁରର ଅନ୍ୟ ସାମ୍ବାଦିକ ଏବଂ ପ୍ରେସ୍ କ୍ଲବର ବରିଷ୍ଠ ଜର୍ଣ୍ଣାଲିଷ୍ଟମାନେ ମଧ୍ୟ ହସ୍ପିଟାଲରେ ପହଞ୍ଚି ଏହାର ପ୍ରତିବାଦ କରିଥିଲେ। ପରେ ବାଉନ୍ସରମାନେ ମଧ୍ୟ ତାଙ୍କ ନିଯୁକ୍ତିଦାତା ସଂସ୍ଥାର ନିର୍ଦ୍ଦେଶକ ୱାସିମ୍ ବାବୁଙ୍କୁ ଏସମ୍ପର୍କରେ ଜଣାଇଥିଲେ। ୱାସିମ୍ କିନ୍ତୁ ଘଟଣାସ୍ଥଳକୁ ଆସିବା ସମୟରେ ନିଜ ସହ ଏକ ପିସ୍ତଲ ଏବଂ ଅନ୍ୟ ୩ ବାଉନ୍ସର ନେଇ ଆସିଥିଲେ। ସେ ଏଠାରେ ପହଞ୍ôଚବା ପରେ କିଛି ଶୁଣିବା ପୂର୍ବରୁ ହିଁ ସାମ୍ବାଦିକମାନଙ୍କୁ ବନ୍ଧୁକ ଦେଖାଇ ପଳାଇଯିବାକୁ କହିଥିଲେ। ସାମ୍ବାଦିକମାନେ ସେଠାରୁ ପଳାଇ ଆସିଥିଲେ ସତ କିନ୍ତୁ ଏଭଳି ଘଟଣାର ପ୍ରତିବାଦରେ ଛତିଶଗଡ଼ର ଏକାଧିକ ସାମ୍ବାଦିକ ସଂଘ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇଙ୍କ ବାସଭବନ ଘେରାଉ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ସାମ୍ବାଦିକଙ୍କୁ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସାମାନ୍ୟ ଶାନ୍ତ ପଡ଼ିଥିଲା। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ୟାମ ବିହାରୀ ଜୈସୱାଲ୍ କହିଛନ୍ତି ଯେ ଯେଉଁମାନେ ସାମ୍ବାଦିକଙ୍କୁ ଧମକ ଦିଅନ୍ତି ଏବଂ ଖରାପ ବ୍ୟବହାର କରନ୍ତି ସେମାନଙ୍କୁ ଅପରାଧୀ ବିବେଚନା କରାଯିବ ଏବଂ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ଆମ୍ବେଦକର ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ସନ୍ତୋଷ ସୋନକର ଆକ୍ରମଣରେ ସମ୍ପୃକ୍ତ ବାଉନ୍ସର ଏଜେନ୍ସି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଟିଏସ ସିଂହଦେବ କହିଛନ୍ତି ଯେ ରାଜ୍ୟର ସବୁଠାରୁ ବଡ଼ ଏବଂ ପ୍ରସିଦ୍ଧ ସରକାରୀ ହସ୍ପିଟାଲ ମେକରା ହସ୍ପିଟାଲରେ ଘଟିଥିବା ଅପ୍ରୀତିକର ଏବଂ ହିଂସାତ୍ମକ ଘଟଣା ଅତ୍ୟନ୍ତ ନିନ୍ଦନୀୟ। ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ନିଜ ପ୍ରତିକ୍ରିୟାରେ କହିଛନ୍ତି, “ବିଷ୍ଣୁ ଦେବ ସାଇଙ୍କ ସୁଶାସନରେ ସାମ୍ବାଦିକମାନେ ସୁରକ୍ଷିତ ନୁହଁନ୍ତି। ଯଦି ସରକାରଙ୍କ ସପକ୍ଷରେ କୌଣସି ଖବର ରହିଛି ତେବେ ସବୁକିଛି ଠିକ୍‌, କିନ୍ତୁ ଯଦି ବ୍ୟବସ୍ଥା ବିରୁଦ୍ଧରେ କିଛି କହିବା କିମ୍ବା ପ୍ରକାଶ କରିବାକୁ ଚେଷ୍ଟା କରାଯାଏ, ତେବେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ହେଉଛି। ସେମାନଙ୍କୁ ନିଜର ସୁରକ୍ଷା ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ଯେଉଁଭଳି ଆକ୍ରମଣ କରାଯାଉଛି ସେ ଏହାକୁ ନିନ୍ଦା କରୁଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button