ଆଠ ପ୍ରସ୍ତାବରେ କ୍ୟାବିନେଟ୍ ମୋହର, ନୂତନ ଯୋଜନା: ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା – ବିପର୍ଯ୍ୟୟ ପ୍ରତିରୋଧକ ସଡ଼କ’

ଭୁବନେଶ୍ୱର: ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରେ ବିପର୍ଯ୍ୟୟ ସମୟରେ ଓ ପରେ ସଂଯୋଗରେ ସର୍ବନିମ୍ନ ବ୍ୟାଘାତ ସୁନିଶ୍ଚିତ କରି ଜରୁରିକାଳୀନ ସେବାରେ ଯେପରି ବାଧା ସୃଷ୍ଟି ନ ହୁଏ, ସେଥିପାଇଁ ରାଜ୍ୟ ସରକାର ଏକ ନୂତନ ଯୋଜନା ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା – ବିପର୍ଯ୍ୟୟ ପ୍ରତିରୋଧକ ସଡ଼କ’ ଆରମ୍ଭ କରିଛନ୍ତି। ଏଥିପାଇଁ ୨୦୨୫-୨୬ରୁ ୨୦୨୯-୩୦ ବର୍ଷରେ ମୋଟ୍ ଏକ ହଜାର କୋଟି ଟଙ୍କାର ବ୍ୟୟବରାବ ହୋଇଛି। ପ୍ରାୟ ୫୦୦ କିଲୋମିଟର ନୂତନ ରାସ୍ତା ନିର୍ମାଣ ହେବ। ରାଜ୍ୟ କ୍ୟାବିନେଟ୍‌ରେ ଏହି ପ୍ରସ୍ତାବ ଉପରେ ମୋହର ବାଜିଛି। ବୁଧବାର ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ମୋଟ୍ ୫ ବିଭାଗର ୮ ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ୍ ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା – ବିପର୍ଯ୍ୟୟ ପ୍ରତିରୋଧକ ସଡ଼କ’ ଭଳି ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ବିପର୍ଯ୍ୟୟ ସମୟରେ ଏବଂ ପରେ ଅତ୍ୟାବଶ୍ୟକ ପରିବହନରେ ସର୍ବନିମ୍ନ ବ୍ୟାଘାତକୁ ସୁନିଶ୍ଚିତ କରିବା ସହ ସ୍ଥିର ସଡ଼କ ଭିତ୍ତିଭୂମି ନିର୍ମାଣ କରିବା ଉପରେ ଗୁରୁତ୍ୱ ଦେବା ଏବଂ ରାଜ୍ୟର ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରେ ଜରୁରିକାଳୀନ ପ୍ରମୁଖ କାର୍ଯ୍ୟକ୍ଷମ ସେବାରେ ଯେପରି ବାଧା ସୃଷ୍ଟି ନ ହୁଏ ତାହା ସୁନିଶ୍ଚିତ କରିବା। ଶ୍ରୀ ଆହୁଜା କହିଛନ୍ତି ଯେ ବିପର୍ଯ୍ୟୟ ପ୍ରତିରୋଧକ ସଡ଼କ ଯୋଜନାରେ ବନ୍ୟା ଜଳସ୍ତରରୁ ସଡ଼କ ବନ୍ଧକୁ ଉପରକୁ ଉଠାଇବା, ମାଟି ଓ ରାସ୍ତାକ୍ଷୟକୁ ରୋକିବା ପାଇଁ ସୁରକ୍ଷା କାନ୍ଥ ସହିତ ପଥର ବନ୍ଧ ବାନ୍ଧିବା, ସମସ୍ତ ସମ୍ଭାବ୍ୟ ସ୍ଥାନରେ ପର୍ଯ୍ୟାପ୍ତ ପରିମାଣର ନଳା ପୋଲ ଏବଂ ସେତୁ ଇତ୍ୟାଦି ନିର୍ମାଣ କରି ବନ୍ୟା ଜଳର ସଠିକ୍ ନିଷ୍କାସନକୁ ସୁନିଶ୍ଚିତ କରିବା, ଜଳମଗ୍ନ ସେତୁକୁ ଉଚ୍ଚସ୍ତରୀୟ ସେତୁ ସହିତ ବଦଳାଇବା ଏବଂ ପାହାଡ଼ିଆ ରାସ୍ତାର ଜଳ ନିଷ୍କାସନ ପାଇଁ ନାଳ ସହିତ ପାହାଡ଼ କଡ଼ରେ ପାର୍ଶ୍ୱ କାନ୍ଥ ନିର୍ମାଣ କରି ଉନ୍ନତ ସଡ଼କ ନିର୍ମାଣ ଆଦି ଅନ୍ତର୍ଭୁକ୍ତ କରାଯାଇଛି। ରାଜ୍ୟ କ୍ୟାବିନେଟ୍ ଏହି ଯୋଜନାରେ ପାଞ୍ଚଟି ଆର୍ôଥକ ବର୍ଷ ପାଇଁ ପ୍ରସ୍ତୁତ ଯୋଜନାକୁ ଅନୁମୋଦନ ଦେଇଛନ୍ତି। ବିଶେଷକରି ୨୦୨୫-୨୬ରୁ ୨୦୨୯-୩୦ ବର୍ଷରେ ମୋଟ ୧ହଜାର କୋଟି ଟଙ୍କାର ବ୍ୟୟବରାବ କରାଯାଇଛି। ଏଥିରେ ଆନୁମାନିକ ୫୦୦ କିଲୋମିଟର ନୂତନ ରାସ୍ତା ନିର୍ମାଣ କରିବା ପାଇଁ ପ୍ରସ୍ତାବ ରହିଛି। ତାହା କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ପ୍ରତି ନିର୍ବାଚନମଣ୍ଡଳୀ ପାଇଁ ଅର୍ଥ ବ୍ୟବସ୍ଥା ହୋଇଛି। ରାଜ୍ୟ ସରକାର ୩୦ଟି ଜିଲ୍ଲା ଯଥା ୧୪୨ଟି ନିର୍ବାଚନମଣ୍ଡଳୀରେ ଥିବା ଗ୍ରାମାଞ୍ଚଳରେ ସଡ଼କ ନିର୍ମାଣ କରିବା ଏବଂ ସଡ଼କ ଗୁଡିକର ଭନ୍ନତିକରଣ ପାଇଁ ଏକ ନୂତନ ଯୋଜନା ‘ନିର୍ବାଚନମଣ୍ଡଳୀ ୱାରୀ ଅର୍ଥ ବ୍ୟବସ୍ଥା’ ଆରମ୍ଭ କରିଛନ୍ତି। ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ୧୪୨ଟି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗ୍ରାମ୍ୟ ଉନ୍ନୟନ ସଡ଼କଗୁଡ଼ିକର କୌଣସି କାରଣରୁ ରହି ଯାଇଥିବା ଅଂଶ କିମ୍ବା ଉନ୍ନତି ଆବଶ୍ୟକ କରୁଥିବା ଅଂଶର ଉନ୍ନତିକରଣ। ରାସ୍ତାର ଉନ୍ନତିକରଣ ଯୋଗୁଁ ଶିକ୍ଷାନୁଷ୍ଠାନ, ଚିକିତ୍ସା ସୁବିଧା, ବ୍ଲକ, ଗ୍ରାମପଞ୍ଚାୟତ ମୁଖ୍ୟାଳୟ, ବଜାର ସ୍ଥାନ ଏବଂ ପର୍ଯ୍ୟଟନ ସ୍ଥାନ ଇତ୍ୟାଦି ସହିତ ଉତ୍ତମ ସଂଯୋଗୀକରଣ ହୋଇପାରିବ। ଏହା ଦ୍ୱାରା ସ୍ଥାନୀୟ ଜନସାଧାରଣ ଉପକୃତ ହେବେ। ଏହି ଯୋଜନାଟି ୩ ଆର୍ôଥକ ବର୍ଷ ଯଥା ୨୦୨୪-୨୫ ରୁ ୨୦୨୬-୨୭ ମଧ୍ୟରେ ୪୨୬କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଏହି ଯୋଜନାଟି କ୍ୟାବିନେଟ୍‌ରେ ଦ୍ୱାରା ଅନୁମୋଦିତ ହୋଇଛି ବୋଲି ଶ୍ରୀ ଆହୁଜା ସ୍ପଷ୍ଟ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button