ଦିଲ୍ଲୀ, ମୁମ୍ବାଇ, ୟୁପି ପର୍ଯ୍ୟଟନ ସ୍ଥଳରେ ହାଇଆଲର୍ଟ : ବଢିଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି । ଦେଶର ଅନ୍ୟ ପର୍ଯ୍ୟଟନ ସ୍ଥଳୀକୁ ନେଇ ହାଇ ଆଲର୍ଟ ଜାରି କରିଛନ୍ତି ସରକାର । ଦିଲ୍ଲୀ, ଜୟପୁର, ଅମ୍ରିତସରରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା କରି ସ୍ଥାନୀୟ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି । ପୁଲୱାମା ଆଟାକ ପରେ ଘାଟିରେ ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି । ଦିଲ୍ଲୀ ପୋଲିସ ସହରର ସୁରକ୍ଷା ବ୍ୟବସ୍ଥାକୁ ଟାଇଟ୍ କରିଦେଇଥିବା ବେଳେ ବର୍ଡରରେ ଚେକିଂ ଜାରି ରଖିଛି । ମୁମ୍ବାଇରେ ମଧ୍ୟ ସମାନ ପଦକ୍ଷେପ ନେଇଛି ପୋଲିସ । ସହରରେ କଡାକଡ଼ି କରାଯାଇଛି ସୁରକ୍ଷା ବ୍ୟବସ୍ଥା । ସମସ୍ତ ଉଚ୍ଚ ପୋଲିସ ଅଧିକାରୀ ଆଲର୍ଟ ଥିବାବେଳେ ସୁରକ୍ଷା ପରିଚାଳନା ଉପରେ ସମସ୍ତଙ୍କ ନଜର ରହିଛି । ପହଲଗାମ ଆଟାକ ପରେ ଡେରାଡୁନରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି । ସଂପୂର୍ଣ୍ଣ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଜମ୍ମୁ-କଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଯୋଗୁ ୨୬ ଜଣଙ୍କ ମୃତ୍ୟୁ ଘଟିଛି । ଲକ୍ସର-ଇ- ତୋଇବା ଆତଙ୍କୀ ସଙ୍ଗଠନ ଏ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ପରିବାର ସହିତ ବୁଲି ଆସିଥିବା ପର୍ଯ୍ୟଟକଙ୍କୁ ଆକ୍ରମଣ କରିଥିଲେ ଆତଙ୍କୀ । ଲୋକଙ୍କ ନାମ ପଚାରି ପଚାରି ଗୁଳି ମାରିଥିଲେ । ପହଲଗାମର ବୈସରନ ଘାଟିରେ ମଙ୍ଗଳବାର ଦିନ ୨.୪୫ ରେ ହୋଇଥିବା ଆତଙ୍କୀ ଆକ୍ରମଣରେ ୨୦ ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଥିବାର ସୂଚନା ଆସୁଛି । ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ଗୁଳି ମାରିବା ପୂର୍ବରୁ ସେମାନଙ୍କର ନାଁ ପଚାରିଥିଲେ ଏବଂ କଲମା ପଢ଼ିବାକୁ କହିଥିଲେ । ପହଲଗାମ ଆକ୍ରମଣରେ ୨ ଜଣ ପାକିସ୍ତାନୀ ଆତଙ୍କବାଦୀ ଏବଂ ୨ ଜଣ ସ୍ଥାନୀୟ ଆତଙ୍କବାଦୀ ସାମିଲ୍ ଥିଲେ । ଏହି ସମୟରେ ଉରିରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ୨ ଜଣ ଆତଙ୍କୀଙ୍କୁ ସେନା ଯବାନ ଗୁଳି କରି ହତ୍ୟା କରିଛନ୍ତି ।