ପହଲଗାମ ହାମଲା: ୩ ଆତଙ୍କବାଦୀଙ୍କ ସ୍କେଚ ଜାରି କଲା ସୁରକ୍ଷା ଏଜେନ୍ସୀ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଛି । ଆତଙ୍କୀ ସାଧାରଣ ପର୍ଯ୍ୟଟକଙ୍କୁ ଯେଉଁଭଳି ଭାବେ ମାରିଛନ୍ତି, ତାହାର ପ୍ରତିଶୋଧ ନେବାକୁ ସମଗ୍ର ଦେଶ ଚାହିଁ ରହିଛି । ଏହାରି ମଧ୍ୟରେ ୩ ଆତଙ୍କୀଙ୍କ ସ୍କେଚ ଜାରି କରାଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଆଧାରରେ ୩ ଆତଙ୍କବାଦୀଙ୍କ ସ୍କେଚ ପ୍ରସ୍ତୁତ କରାଯାଇଛି । ଆତଙ୍କବାଦୀଙ୍କୁ ଧରିବା ପାଇଁ ତନାଘନା ଚାଲିଛି । ସେନା, ସିଆରପିଏଫ ଏବଂ ଜମ୍ମୁ କଶ୍ମୀର ପୋଲିସ ଆତଙ୍କୀକୁ ଧରିବା ପାଇଁ ଜୋରଦାର ସର୍ଚ୍ଚ ଅପରେସନ ଜାରି କରିଛି । ସେନା ଓ ପୋଲିସ ପୋଷାକରେ ଆସିଥିଲେ ଆତଙ୍କବାଦୀ । ନାଁ ପଚାରି ପର୍ଯ୍ୟଟକଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ । ସୂଚନାଯୋଗ୍ୟ, ପହଲଗାମ ରିସର୍ଟ ସହରଠାରୁ ପ୍ରାୟ ୭ କିଲୋମିଟର ଦୂରରେ ଏକ ସୁନ୍ଦର ଅଞ୍ଚଳ ଏବଂ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଶାନ୍ତ ପରିବେଶ ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ଲୋକପ୍ରିୟ । ଗତକାଲି ଅପରାହ୍ନ ପ୍ରାୟ ୨ଟା ବେଳେ ପହଲଗାମରେ ପର୍ଯ୍ୟଟକଙ୍କ ଏକ ଗ୍ରୁପକୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ । ଅମରନାଥ ଯାତ୍ରା ପୂର୍ବରୁ ଗତକାଲି ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ନୌସେନା ଓ ଜଣେ ଗୁଇନ୍ଦା ଅଧିକାରୀଙ୍କ ସମେତ ୨୭ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି । ଏହି ହମଲା ପଛରେ ଆତଙ୍କବାଦୀ ସଙ୍ଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ବା ଟିଆରଏଫ । ଆତଙ୍କବାଦୀ ଆକ୍ରମଣର ତଦନ୍ତ କରୁଛି NIA । ଏହି ଆକ୍ରମଣ ପରେ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।