ୟୁପିଏସ୍‌ସି ସିଭିଲ୍ ସର୍ଭିସ୍ ରେଜଲ୍ଟ ପ୍ରକାଶ: ପ୍ରୟାଗରାଜର ଶକ୍ତି ଦୁବେ ଟପ୍ପର୍‌

ନୂଆଦିଲ୍ଲୀ : ସଂଘ ଲୋକସେବା ଆୟୋଗ (ୟୁପିଏସ୍‌ସି) ପକ୍ଷରୁ ମଙ୍ଗଳବାର ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି।ୟୁପିଏସ୍‌ସି ପରୀକ୍ଷା ଫଳ ଅନୁସାରେ ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲ୍ଲାର ଶକ୍ତି ଦୁବେ ଆଇଏଏସ୍‌-୨୦୨୪ର ଟପ୍ପର (ନଂ. ୧ ର‌୍ୟାଙ୍କ୍‌) ହୋଇଛନ୍ତି। ସେ ପ୍ରଥମ ପ୍ରୟାସରେ ହିଁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଦ୍ୱିତୀୟ ସ୍ଥାନରେ ହରିଆଣାର ହର୍ଷିତା ଗୋୟଲ ଓ ତୃତୀୟରେ ରହିଛନ୍ତି ବଡୋଦରାରର ଡୋଙ୍ଗ୍‌ରେ ଅର୍ଚ୍ଚିତ ପରାଗ। ଓଡ଼ିଶାର ରୀତିକା ରଥ ୪୮ତମ ସ୍ଥାନରେ ରହିଛନ୍ତି। ସାକ୍ଷାତକାର ରାଉଣ୍ଡ୍‌ରେ ସାମିଲ ହୋଇଥିବା ୨୮୪୫ ପ୍ରାର୍ଥୀଙ୍କ ମଧ୍ୟରୁ ମୋଟ୍ ୧୦୦୯ ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ଚୟନ କରାଯାଇଛି। ଏମାନଙ୍କ ମଧ୍ୟରୁ ୟୁପିଏସ୍‌ସି ପ୍ରଥମ ୧୮୦ଜଣଙ୍କୁ ଆଇଏଏସ୍ ପାଇଁ, ୧୪୭ଜଣଙ୍କୁ ଆଇପିଏସ୍‌, ୫୫ଜଣଙ୍କୁ ଆଇଏଫ୍‌ଏସ୍ ଏବଂ ଗ୍ରୁପ୍ ଏ’ ଏବଂ ଗ୍ରୁପ୍ ବି’ ଭଳି କେନ୍ଦ୍ରୀୟ ସେବା ପାଇଁ ଯଥାକ୍ରମେ ୬୦୫ ଏବଂ ୧୪୨ଜଣଙ୍କୁ ସୁଯୋଗ ଦେବ। ଅର୍ଥାତ୍ ଏହି ୧୦୦୯ଜଣ ପ୍ରାର୍ଥୀ ନିଜ ନିଜ ର‌୍ୟାଙ୍କ୍ ମୁତାବକ ଆଇଏଏସ୍‌, ଆଇପିଏସ୍‌, ଆଇଏଫ୍‌ଏସ୍ ସେବା ପାଇଁ ସୁଯୋଗ ମିଳିବ। ଅବଶିଷ୍ଟ ପ୍ରାର୍ଥୀଙ୍କୁ ଆଇଆର୍‌ଏସ୍‌, ଆଇଆର୍‌ଟିଏସ୍‌, ଅଡିଟ୍ ଏବଂ ଆକାଉଣ୍ଟ ସେବା ଓ ଅନ୍ୟ କେନ୍ଦ୍ରୀୟ ପ୍ରଶାସନିକ ସେବାରେ ସାମିଲ ହେବେ। କେନ୍ଦ୍ର ସରକାରଙ୍କ ପ୍ରଶାସନିକ ସେବା କ୍ଷେତ୍ରରେ ଖାଲି ପଡ଼ିଥିବା ପ୍ରାୟ ୧୧୨୯ ପଦ ପାଇଁ ସେପ୍ଟେମ୍ବର ୨୦୨୪ରେ ୟୁପିଏସ୍‌ସି ପକ୍ଷରୁ ଲିଖିତ ପରୀକ୍ଷା ଆୟୋଜନ କରାଯାଇଥିଲା। ତେବେ ଜାନୁଆରୀ ୭ରୁ ଏପ୍ରିଲ୍ ୧୭, ୨୦୨୫ ମଧ୍ୟରେ ବ୍ୟକ୍ତିତ୍ୱ ପରୀକ୍ଷା/ସାକ୍ଷାତକାର୍ ପରୀକ୍ଷା ଆଦି ଆୟୋଜନ କରାଯାଇଥିଲା। ଆୟୋଗ ପକ୍ଷରୁ ସୁପାରିଶ କରାଯାଇଥିବା ୧୦୦୯ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୫ଜଣ ସାଧାରଣବର୍ଗର ପ୍ରାର୍ଥୀ, ୧୦୯ ଜଣ ଆର୍ଥିକ ପଛୁଆବର୍ଗ, ୩୧୮ ଓବିସି, ୧୬୦ ଏସ୍‌ସି ଏବଂ ୮୭ ଏସ୍‌ଟି ବର୍ଗର ପ୍ରାର୍ଥୀ ରହିଛନ୍ତି। ଫଳାଫଳ ଘୋଷଣାର ୧୫ ଦିନ ମଧ୍ୟରେ ସମସ୍ତ ପ୍ରାର୍ଥୀଙ୍କ ମାର୍କ ଅଫିସିଆଲ୍ ୱେବ୍‌ସାଇଟରେ ଅପଲୋଡ୍ କରାଯିବ ବୋଲି ଆୟୋଗ କହିଛି। ୟୁପିଏସ୍‌ସି ସିଭିଲ୍ ସର୍ଭିସ୍ ଭଳି ପରୀକ୍ଷାରେ ଦେଶର ସବୁଠାରୁ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ମଧ୍ୟରୁ ଅନ୍ୟତମ ଜାମିଆ ମିଲିଆ ଇସଲାମିଆର ଆବାସିକ କୋଚିଂ ଏକାଡେମୀ (ଆର୍‌ସିଏ)ରେ ପ୍ରସ୍ତୁତି କରୁଥିବା ୩୨ଜଣ ପ୍ରାର୍ଥୀ ଏକ ରେକର୍ଡ ସ୍ଥାପନ କରିଛନ୍ତି। ଜାମିଆ ମିଲିଆ ଇସଲାମିଆ ଦ୍ୱାରା ପ୍ରକାଶିତ ସୂଚନା ଅନୁଯାୟୀ, ବିଶ୍ୱବିଦ୍ୟାଳୟର ଆବାସିକ କୋଚିଂ ଏକାଡେମୀରୁ ପ୍ରସ୍ତୁତି କରୁଥିବା ମୋଟ ୭୮ ଜଣ ଛାତ୍ର ସାକ୍ଷାତକାର୍‌ରେ ଅଂଶଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରୁ ୩୨ଜଣ ଛାତ୍ର ଚୂଡ଼ାନ୍ତ ପରୀକ୍ଷାରେ ସଫଳ ହୋଇଛନ୍ତି, ଯେଉଁଥିରୁ ୧୨ଜଣ ଝିଅ ଅଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button