ଆତିଶୀଙ୍କ ଘୋଷଣା: ‘ଏମସିଡି ମେୟର ନିର୍ବାଚନରେ ଲଢିବ ନାହିଁ ଆପ’

ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ଆତିଶୀ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟି ମେୟର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ ନାହିଁ। ଆତିଶୀ କହିଛନ୍ତି ଯେ, ଯେଉଁଠାରେ ବିଜେପି ନିର୍ବାଚନରେ ହାରିଯାଏ, ସେଠାରେ ଅର୍ଥ, କଳ, ବଳ ଭଳି ସମସ୍ତ ଉପାୟ ବ୍ୟବହାର କରେ। ଅନ୍ୟ ଦଳଗୁଡ଼ିକୁ ଭାଙ୍ଗି ବିଜେପି ସରକାର ଗଠନ କରେ। MCD ର ପୁନଃ ଏକୀକରଣ ପରେ ୱାର୍ଡ ସଂଖ୍ୟା 272 ରୁ 250 କୁ ହ୍ରାସ ପାଇଲା, ନିର୍ବାଚନ ବିଳମ୍ବ ହେଲା। ଗୁଜୁରାଟ ନିର୍ବାଚନ ସହିତ ଏମସିଡି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତଥାପି AAP MCD ରେ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ଅତିଶୀ ଆହୁରି ମଧ୍ୟ କହିଛନ୍ତି ଯେ, “ସେମାନଙ୍କର କୌଣସି ଉଦ୍ୟମ ସଫଳ ହୋଇପାରି ନାହିଁ। ଗତ ଅଢେଇ ବର୍ଷ ଧରି ବିଜେପି ଆମ୍ ଆଦମୀ କାଉନସିଲରଙ୍କୁ ଚାପ ପ୍ରୟୋଗ କରି ବିଜେପିକୁ ନେଇ ଆସୁଛି। ଆମେ ଦିଲ୍ଲୀର ଲୋକଙ୍କୁ ସମ୍ମାନ ଦେଉଛୁ, ଆମେ କୌଣସି ବିଧାୟକ କିମ୍ବା କାଉନସିଲର ନା କିଣୁ ନା ଭାଙ୍ଗୁ। ଆମ୍ ଆଦମୀ ପାର୍ଟି ମେୟର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ।” ସେ କହିଛନ୍ତି ଯେ, କାଉନସିଲରମାନଙ୍କୁ କିଣିବା ଏବଂ ଭାଙ୍ଗିବା ଦ୍ୱାରା ବିଜେପି ଏହାର ସଂଖ୍ୟା ବୃଦ୍ଧି କରିଛି, କିନ୍ତୁ ଆମେ ଏସବୁ କରୁନାହୁଁ, ସେଥିପାଇଁ ଆମ୍ ଆଦମୀ ପାର୍ଟି ମେୟର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ନିଷ୍ପତ୍ତି ନେଇଛନ୍ତି।