ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ବୃଦ୍ଧି ପାଇଲା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ନିଯୁକ୍ତ ପୋଲିସ କର୍ମଚାରୀଙ୍କ ପାରିଶ୍ରମିକ

ଭୁବନେଶ୍ୱର: ରାଜ୍ୟ ସରକାର ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ତିନୋଟି ନୂଆ ବାଟାଲିଅନ ଗଠନ କରିଛନ୍ତି। ଏଥିରେ ମୁଖ୍ୟତଃ ପୂର୍ବତନ ଆର୍ମି ଓ ନାଭିର ସୈନିକ ଏବଂ କୈନ୍ଦ୍ରୀୟ ସଶକ୍ତ ପୋଲିସ ବାହିନୀର କର୍ମଚାରୀମାନେ ନିଯୁକ୍ତ ହୋଇଥାନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ପୋଲିସ କର୍ମଚାରୀ ମାନଙ୍କର ମାସିକ ପାରିଶ୍ରମିକ ବୃଦ୍ଧି କରିଛନ୍ତି। ଏ ସମ୍ପର୍କୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ବିଭିନ୍ନ ପଦବୀର ପାରିଶ୍ରମିକ ନିମ୍ନମତେ ବୃଦ୍ଧି ପାଇଛି। ସିପାହୀ (GD) ମାନଙ୍କ ମାସିକ ପାରିଶ୍ରମିକ ୩୦ ହଜାର ଟଙ୍କାରୁ ୪୫ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଲାନ୍ସ ନାଏକ/ନାଏକ/ହାବିଲ୍ଦାର (GD) ମାନଙ୍କ ପାରିଶ୍ରମିକ ୩୨ ହଜାରରୁ ୫୦ ହଜାର, ଜୁନିଅର କମିଶନ୍ଡ ଅଫିସର (GD) ୪୦ ହଜାରରୁ ୫୫ ହଜାର, ଜୁନିଅର କମିଶନ୍ଡ ଅଫିସର (Instructor) ୪୦ ହଜାରରୁ ୫୫ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଡିଙ୍ଗି ଡ୍ରାଇଭର/ସି-ମ୍ୟାନ୍ ମେକାନିକ୍/ ଖଲାସି ମାନଙ୍କ ମାସିକ ପାରିଶମିକ ୩୦ ହଜାରରୁ ୪୫ ହଜାର, ସିରାଙ୍ଗ/ଇଞ୍ଜିନ୍ ଡ୍ରାଇଭର ମାନଙ୍କର ୩୨ ହଜାରରୁ ୫୦ ହଜାର ଏବଂ ମାଷ୍ଟର ମାନଙ୍କ ମାସିକ ପାରିଶ୍ରମିକ ୪୦ ହଜାରରୁ ୫୫ ହଜାର ଟଙ୍କାକୁ ବୃଦ୍ଧି ପାଇଛି।