ବିଧାନସଭାରେ ସାମ୍ବାଦିକଙ୍କୁ ମୋବାଇଲ୍ ମନା, ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ସମ୍ବାଦଦାତାଙ୍କ ଧାରଣା

ଭୁବନେଶ୍ୱର : ବିଧାନସଭା ପ୍ରେସ୍ ଗ୍ୟାଲେରୀରେ ସାମ୍ବାଦିକଙ୍କୁ ମୋବାଇଲ୍ ମନା । ସାଙ୍ଗରେ ମୋବାଇଲ ନେଇ ପାରିବେ ନାହିଁ ସାମ୍ବାଦିକ । ପ୍ରଶ୍ନକାଳରେ ଯେତେବେଳେ ମନ୍ତ୍ରୀମାନେ ବିଧାୟକମାନଙ୍କର ପ୍ରଶ୍ନର ଉତ୍ତର ରଖୁଛନ୍ତି, ସେହି ସମୟରେ ସାମ୍ବାଦିକଙ୍କ ଉପରେ ଲାଗିଛି କଟକଣା । ଗୃହରେ କାଲିର ଘଟଣା ପରେ ସାମ୍ବାଦିକଙ୍କୁ ମୋବାଇଲ୍ ବାରଣ କରାଯାଇଛି । ଏହାର ପ୍ରତିବାଦ କରିଛନ୍ତି ସାମ୍ବାଦିକ । ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ସାମ୍ବାଦିକ । ସୂଚନ ଅନୁସାରେ ମଙ୍ଗଳବାର ଦିନ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ହାତାହାତି ହେଇଥିଲେ । ଏହାପରେ ଗୃହରେ ଆରମ୍ଭ ହେଇଯାଇଥିଲା ବିଧାୟକମାନଙ୍କର ଗଣ୍ଡଗୋଳ । ପରସ୍ପରକୁ ଧକ୍କା ଦେବା ସହିତ, ଗୃହରେ ହୋ ହଲ୍ଲା କରିଥିଲେ ବିଧାୟକ। ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସ ନେତା ତାରା ବାହିନୀପତିଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି ସୁରମା ପାଢୀ । ବିଧାନସଭା ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଦୁଇ ବିଧାୟକ ହାତାହାତି ହୋଇଛନ୍ତି । ଏନେଇ ତାରାଙ୍କୁ ୭ ଦିନ ପାଇଁ ଗୃହରୁ ସସ୍ପେଣ୍ଡ କରାଯାଇଛି । ଯାହାର ଖବର ପ୍ରସାରଣ କରିଥିଲା ଗଣମାଧ୍ୟମ । ହେଲେ ଏହାପରେ ଆଜିର ଏ କଟକଣା ହେବା ଦ୍ୱାରା, ସାମ୍ବାଦିକମାନେ ପ୍ରଶ୍ନକାଳକୁ ବୟକଟ୍ କରିଛନ୍ତି ।