ବାଲି ଚୋରା ଚାଲାଣକାରୀଙ୍କ ବିରୁଦ୍ଧରେ ପ୍ରଶାସନର କଡା ଆଭିମୁଖ୍ୟ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଲଘୁ ଖଣିଜ ପଦାର୍ଥ ଓ ବାଲିର ଅବୈଧ ଉଠାଣ ଓ ଚୋରା ଚାଲାଣ ଏବଂ ଅବୈଧ ଇଟା ଭାଟିର ନିର୍ମାଣକୁ ରୋକିବା ପାଇଁ ଉପ ଜିଲ୍ଲାପାଳ, ତହସିଲଦାର ଏବଂ ଆଇଆଇସିଙ୍କୁ ନେଇ ସାତ ଗୋଟି ଏନଫୋର୍ସମେନ୍ଟ ଟିମ ଗଠନ କରାଯାଇଥିଲା। କେନ୍ଦ୍ରାପଡ଼ାଠାରେ ଅବସ୍ଥାପିତ ଖଣି ଅଧିକାରୀଙ୍କ ସୂଚନା ଅନୁଯାୟୀ ଜଣାଯାଉଛି ଯେ ବିଭିନ୍ନ ନଦୀରୁ ଅବୈଧ ବାଲି ଉଠାଣ ଓ ଚୋରା ଚାଲାଣକୁ ରୋକିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଏନଫୋର୍ସମେନ୍ଟ ଟିମ ଦ୍ବାରା ୨୦ ଗୋଟି କେସ ରୁଜୁ କରାଯାଇ ସେଥିରେ ବ୍ୟବହୃତ ୨୭ ଗୋଟି ଗାଡ଼ିକୁ ଜବତ କରାଯାଇଛି ଓ ୧୨ ଜଣଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ ଯେ ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ ଏବଂ ମହାକାଳପଡ଼ା ତହସିଲ ଅନ୍ତର୍ଗତ ୨୩ ଗୋଟି ଇଟା ଭାଟି ଏବଂ ଆଳି ଓ ମାର୍ଶାଘାଇ ତହସିଲ ଅନ୍ତର୍ଗତ ୨ ଗୋଟି ବାଲି ଖଣି ଉପରେ ଚଢାଉ କରାଯାଇ ୩ ଗୋଟି ହାଇୱା, ୨ ଗୋଟି ଟ୍ରାକ୍ଟର, ୧ ଗୋଟି ପୋକ୍ଲେନ୍, ୧ ଗୋଟି ସକ୍ସନ୍ ମେସିନ୍ ଜବତ କରାଯାଇଛି। ଆଜି ପର୍ଯ୍ୟନ୍ତ ସମୁଦାୟ ୫ ଲକ୍ଷ ଟଙ୍କା ଜୋରିମାନା ଆକାରରେ ଆଦାୟ କରାଯାଇଛି। ଚୋରା ଚାଲାଣ କାର୍ଯ୍ୟରୁ ବିରତ ନ ହେଲେ ସମ୍ପୃକ୍ତ ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଚେତାବନୀ ଶୁଣାଇଛନ୍ତି। ଜନସାଧାରଣ ଜିଲ୍ଲା ପ୍ରଶାସନକୁ ସାହାଯ୍ୟ ଓ ସହଯୋଗ କରିବେ ବୋଲି ଜିଲ୍ଲାପାଳ ଗଣମଧ୍ୟମର ପ୍ରତିନିଧିମାନଙ୍କ ମାଧ୍ୟମରେ ଆଶାବ୍ୟକ୍ତ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button