୨୪ ବର୍ଷର ସରକାର ବନାମ ୯ ମାସର ସରକାର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରଶ୍ନ, କଣ କରିଛ ?

ଭୁବନେଶ୍ୱର : ଚବିଶ ବର୍ଷ ବନାମ ନଅ ମାସର ସରକାର। ଏହି ଅବଧି ଭିତରେ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି। ୨୪ ମିନିଟ୍‌ରେ ସୁଭଦ୍ରା ନିଷ୍ପତ୍ତି ନିଆଯାଇଥିବା ବେଳେ ୯ ମାସରେ ୧ କୋଟିରୁ ଅଧିକ ମହିଳା ହୋଇଛନ୍ତି ସଶକ୍ତ। ସୁଭଦ୍ରା ଯୋଜନା ‘ସୁଭଦ୍ରା ବିପ୍ଳବ’ରେ ପରିଣତ ହୋଇଛି। ଲକ୍ଷପତି ଦିଦି ଯୋଜନାରେ ଓଡ଼ିଶା ଭାରତ ବର୍ଷରେ ଦ୍ୱିତୀୟ ସ୍ଥାନ ହାସଲ କରିଛି। ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହୋଇସାରିଲେଣି। ହେଲେ ପୂର୍ବ ସରକାର କରିଛନ୍ତି କ’ଣ? ଏଭଳି ପ୍ରଶ୍ନ ପଚାରିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶନିବାର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରର ଆମ୍ବପୁଆଠାରେ ରାଜ୍ୟର ୧ କୋଟି ୬୪ ହଜାର ମହିଳାଙ୍କୁ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୫୧ତମ ଅନ୍ତର୍ଜାତୀୟ ମହିଳା ଦିବସରେ ୯ମାସର ଆମର ନୂଆ ସରକାର ଆଜି ରାଜ୍ୟର ୧କୋଟିରୁ ଅଧିକ ମା’ଙ୍କ ପାଇଁ ଆର୍ôଥକ ସ୍ୱାଧୀନତାର ରାସ୍ତା ଖୋଲିପାରିଛି । ସବୁ ମା’ଙ୍କୁ ୨ଟି କିସ୍ତିରେ ୧୦ହଜାର ଟଙ୍କା ଲେଖାଏ ମିଳିଛି। ସେ ଦୃଷ୍ଟିରୁ ଆଜି ଦିନଟି ତାଙ୍କ ପାଇଁ ସବୁଠାରୁ ସନ୍ତୋଷର ଦିନ, ସବୁଠାରୁ ଗୌରବର ଦିନ। ପୂର୍ବ ସରକାରଙ୍କୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯେଉଁମାନେ ପଚାରୁଛନ୍ତି ଆମ ସରକାର ୯ମାସରେ କ’ଣ କରିଛି ସେମାନଙ୍କୁ କୁହନ୍ତୁ ଯେ’ ୨୪ବର୍ଷରେ ଯେଉଁ ସରକାର ମହିଳାଙ୍କ ପାଇଁ କେବଳ ସ୍ଲୋଗାନ୍ ଦେଉଥିଲେ, ମୋହନ ସରକାର କ୍ଷମତାକୁ ଆସିବାର ମାତ୍ର ୨୪ ମିନିଟ୍ ମଧ୍ୟରେ ଐତିହାସିକ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ତିନିମାସ ମଧ୍ୟରେ କାର୍ଯ୍ୟ ଆରମ୍ଭକରି ଆଜି ୯ ମାସ ମଧ୍ୟରେ ଏକ କୋଟିରୁ ଅଧିକ ମହିଳାଙ୍କୁ ସୁଭଦ୍ରାର ଦ୍ୱିତୀୟ କିସ୍ତି ପ୍ରଦାନ ସମ୍ଭବ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମର ନିନ୍ଦୁକମାନେ ଭୁଲି ଯାଇଛନ୍ତି ଯେ ଶିଶୁଟିଏ ଜନ୍ମ ହେବାକୁ ମଧ୍ୟ ମା’ ଗର୍ଭରେ ୯ମାସ ବିତେଇବାକୁ ପଡ଼ିଥାଏ। ଆମ ସରକାରର ୯ମାସ ପୂରଣ କରିବାକୁ ଆହୁରି ଚାରିଦିନ ବାକି ଅଛି। ଏହି ସ୍ୱଳ୍ପ ସମୟ ଭିତରେ ଆମେ ଓଡ଼ିଶାର ଜନସାଧାରଣଙ୍କ ପାଇଁ ଯେଉଁ କାର୍ଯ୍ୟ କରିପାରିଛୁ, ତାହା ସେମାନେ ପ୍ରକୃତରେ ବିଶ୍ୱାସ କରିପାରୁ ନାହାନ୍ତି। ସେମାନେ ବିଶ୍ୱାସ କରି ପାରୁନାହାନ୍ତି ଯେ ଚାଷୀଙ୍କୁ ୨୪ ବର୍ଷରେ ଏମ୍‌ଏସ୍‌ପି ଠାରୁ କିଛି ଅଧିକ ଟଙ୍କା ଦେଇପାରିଲେ ନାହିଁ, କିନ୍ତୁ ଏ ନୂଆ ସରକାର କିପରି ଭାବେ ୨୪ ମିନିଟ୍‌ରେ କ୍ୱିଣ୍ଟାଲ୍ ପିଛା ୧୦୦ ନୁହେଁ, ୮୦୦ ଟଙ୍କା ଦେବା ପାଇଁ ନିଷ୍ଫତ୍ତି ନେଇଗଲେ। ୨୪ ବର୍ଷ ଧରି ଆପଣ ଯାହା କରିବାକୁ ଚିନ୍ତା କରିପାରି ନ ଥିଲେ ଆମେ ତାକୁ କାର୍ଯ୍ୟରେ ପରିଣତ କରିଛୁ। ଗରିବ ପରିବାରଙ୍କ କନ୍ୟା ସନ୍ତାନ ବିବାହ ଏବଂ ରାଜ୍ୟର ଗରିବ ଜନସାଧାରଣଙ୍କୁ ନିଃଶୁଳ୍କ ଜଗନ୍ନାଥ ଦର୍ଶନ କରାଇବାର ନିଷ୍ପତ୍ତି ମଧ୍ୟ ଆମେ ନେଇଛୁ। ଏହି କାର୍ଯ୍ୟକ୍ରମ ଆଜି ଏକ ବିପ୍ଲବରେ ପରିଣତ ହୋଇଛି, ସୁଭଦ୍ରା ବିପ୍ଲବ। କାରଣ ସୁଭଦ୍ରା ଯୋଜନା କେବଳ ବର୍ଷକୁ ଦୁଇଥର ସହାୟତା ବାଣ୍ଟିବା କାର୍ଯ୍ୟକ୍ରମ ନୁହେଁ। ସୁଭଦ୍ରା ଯୋଜନା ଏକ ବ୍ୟାପକ ଅଭିଯାନର ରୂପନେବାକୁ ଯାଉଛି। କିଶୋରୀମାନଙ୍କଠାରୁ ଆରମ୍ଭ କରି ଭିନ୍ନ ଭିନ୍ନ ବୟସର ମହିଳାମାନେ ସଶକ୍ତ ଏବଂ ସମୃଦ୍ଧ ହୋଇପାରିବାର ବ୍ୟବସ୍ଥା କରାଯାଉଛି। ଏହା ରାଜ୍ୟର ପ୍ରତ୍ୟେକ ସୁଭଦ୍ରାଙ୍କ ମନରେ ଏକ ନୂତନ ଆଶା ଓ ବିଶ୍ୱାସର ସଂଚାର କରିବ। ମହିଳାଙ୍କ ବିରୁଦ୍ଧରେ ହିଂସା ଏବଂ ଅସଦାଚରଣ କରୁଥିବା ବ୍ୟକ୍ତିଙ୍କ ପାଇଁ କଡା ବାର୍ତ୍ତା ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମହିଳାଙ୍କ ବିରୁଦ୍ଧରେ ହିଂସାରେ ଲିପ୍ତ ବ୍ୟକ୍ତି ସରକାର, ବିଶେଷଭାବେ ବ୍ୟକ୍ତିଗତ ଭାବେ ମୋ ପାଇଁ କେବଳ ଜଣେ ଜଣେ ଅପରାଧୀ, ଏହିପରି ଅପରାଧୀଙ୍କ ସ୍ଥାନ ଜେଲର ଚାରିକାନ୍ଥ ମଧ୍ୟରେ, ସଭ୍ୟ ସମାଜରେ ତାଙ୍କର କୌଣସି ସ୍ଥାନ ନାହିଁ। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ମୁଁ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇସାରିଛି। ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ମହିଳା ମାନଙ୍କୁ ଲକ୍ଷପତି କରାଇବା ପାଇଁ ‘ଲକ୍ଷପତି ଦିଦି’ ଯୋଜନା ଆରମ୍ଭ ହୋଇଛି। ସାରା ଦେଶରେ ୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଛି। ଆମ ରାଜ୍ୟ ଲକ୍ଷପତି ଦିଦି ଯୋଜନାକୁ କାର୍ଯ୍ୟକାରୀ କରି ସମଗ୍ର ଭାରତବର୍ଷରେ ଦ୍ୱିତୀୟ ସ୍ଥାନ ହାସଲ କରିଛି; ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରି ସାରିଲୁଣି। ଓଡ଼ିିଶାରେ ଆମେ ୨୦୨୭ ସୁଦ୍ଧା ଅତି କମ୍‌ରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାର କାର୍ଯ୍ୟକ୍ରମ ଜାରି ରଖିଛୁ। ବିଗତ ୨୪ ବର୍ଷରେ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନରେ ରହିଯାଇଥିଲା। କିନ୍ତୁ, ଆମ ସରକାର ମହିଳାଙ୍କୁ ରାଜନୈତିକ, ସାମାଜିକ ଏବଂ ଅର୍ଥନୈତିକ ସ୍ତରରେ ସଶକ୍ତ କରିବା ପାଇଁ ଶପଥନେଇ ବିଭିନ୍ନ କାର୍ଯ୍ୟ ଓ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାରେ ୬୩୮କୋଟିରୁ ଅଧିକ ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ୪୯୩ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିବା ବେଳେ ୧୪୫ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କରାଯାଇଛି। ସୂଚନା ଥାଉକି, ଏଥିରେ ଅନେକ ଜଳଯୋଗାଣ ପ୍ରକଳ୍ପ, ସଡ଼କ ଉନ୍ନତିକରଣ, ସେତୁ ନିର୍ମାଣ, ଚେକ୍ ଡ୍ୟାମ୍ ପ୍ରକଳ୍ପ, ସ୍ୱାସ୍ଥ୍ୟସେବା କେନ୍ଦ୍ର ସ୍ଥାପନ, ଇନ୍‌ଷ୍ଟ୍ରିମ୍ ଷ୍ଟୋରେଜ୍ ପ୍ରକଳ୍ପ ଆଦି ପ୍ରକଳ୍ପ ରହିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ ଯେ ସୁଭଦ୍ରା ଆଜି ୧ କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ପାଖରେ ପହଞ୍ôଚଛି। କଥା ଦେଇ ଆମ ସରକାର ଆଜି କଥା ରଖିଛନ୍ତି। ୮ମାସ ମଧ୍ୟରେ ଏହି ଯେଉଁ ପ୍ରତିଶ୍ରୁତି ଆମେ ଦେଇଥିଲୁ ଯେ ମହିଳାଙ୍କୁ ସଶକ୍ତ କରିବୁ ଏବଂ ତାହା ଏହି ଭଳି ଭାବେ ଆଗକୁ ମଧ୍ୟ ଆମେ ପୂର୍ଣ୍ଣକରିବୁ। ଅନ୍ୟମାନଙ୍କ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବାଣିଜ୍ୟ, ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button