ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଏସଆରସି

ଭୁବନେଶ୍ୱର : କରୋନା ସମୟରେ ତାଉତେ ପରେ ଆଉ ଏକ ବାତ୍ୟା ‘ୟଶ’ ମାଡ଼ି ଆସୁଛି ।  ଏହି ବାତ୍ୟା ଭୀଷଣ ବା ଅତିଭୀଷଣ ଆକାରର ହୋଇପାରେ ।  ତେବେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି  ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ।

ଶ୍ରୀ ଜେନା କହିଛନ୍ତି ଯେ,  ବାତ୍ୟା ସମ୍ପର୍କରେ ପାଣିପାଗ  ବିଜ୍ଞାନ ବିଭାଗ ଏଯାଏଁ ସ୍ପଷ୍ଟ କରିନି । କେବେ କେଉଁଦିନ, କେଉଁଠି ଲ୍ୟାଣ୍ଡଫଲ କରିବ ଏଯାଏ ସ୍ପଷ୍ଟ ହୋଇନାହିଁ ।  ଯଦି ବାତ୍ୟା ହୁଏ ତେବେ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପଦକ୍ଷେପ ନେଇଛୁ ।  ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରାଯାଇଛି । ବିପର୍ଯ୍ୟୟ ପ୍ରଶମନ, ଖାଦ୍ୟ ଯୋଗାଣ ବିଭାଗ ସହ ଆଲୋଚନା  ହୋଇଛି ।  ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି କହିବା ସହ ଲୋକଙ୍କୁ ଭୟଭୀତ ନହେବାକୁ ଏସଆରସି ପ୍ରଦୀପ ଜେନା ପରାମର୍ଶ ଦେଇଛନ୍ତି ।

ବାତ୍ୟା ମୁକାବିଲା ପାଇଁ ଗତକାଲି ମଧ୍ୟ ଓଡ୍ରାଫ୍, ଏନଡିଆରଏଫ୍, ଓଡ଼ିଶା ପୁଲିସ ଓ ପାଣିପାଗ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଏସଆରସି । ଏଥିସହ ଜିଲ୍ଲାପାଳମାନଙ୍କ ସହ ବି ଆଲୋଚନା କରିଥିଲେ ଓ ୧୦ଟି ଜିଲ୍ଲାରେ ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବଙ୍ଗୋପସାଗରରେ ୨୨ ତାରିଖରେ ଲଘୁଚାପ ସୃଷ୍ଟି ହେବା ପରେ ୨୫ ତାରିଖ ମଧ୍ୟରେ ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରିଛି ଆଇଏମଡି । ୨୬ ତାରିଖ ସଂଧ୍ୟାରେ ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିପାରେ ବୋଲି ମଧ୍ୟ ଆକଳନ କରିଛି ଆଇଏମଡି ।

ପ୍ରକାଶ ଯେ, ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର  କହିଛନ୍ତି ଯେ,  ୨୨ ତାରିଖରେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ।  ଉତ୍ତରପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଅଶାନ୍ତ ରହିବ ।  ଆସନ୍ତା ୨୩ ଓ ୨୪ ତାରିଖରେ ସମୁଦ୍ରରେ ପବନ ୬୦/୭୦ କିମି ରହିବ ।  ତେଣୁ ୨୧ରୁ ୨୪ ତାରିଖ ଯାଏ ଉତ୍ତରପୂର୍ବ ବଙ୍ଗୋପସାଗର ଯିବା ମନା । ୨୪ରୁ ଉତ୍ତର, ଉତ୍ତର ପଶ୍ଚିମ ବଙ୍ଗୋପସାଗରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।

ଏହା ପୂର୍ବରୁ ପାଣିପାଗ ବିଜ୍ଞାନୀ ତଥା ଆଇଏମଡି ସାଇକ୍ଲୋନ ୱାର୍ଣ୍ଣିଂ ସେଣ୍ଟର ମୁଖ୍ୟ ଆର.କେ ଜେନାମଣି କହିଥିଲେ ଯେ, ଆସନ୍ତା ୨୨ ତାରିଖରେ ବାତ୍ୟା ନେଇ ସଠିକ ଆକଳନ କରାଯାଇପାରିବ ।  ବାତ୍ୟା ତ ନିଶ୍ଚୟ ହେବ । ତେବେ କେଉଁଠି ଲ୍ୟାଣ୍ଡଫଲ କରିବ ତାହା ୨୨ ତାରିଖରେ କହିହେବ ।  ତେବେ ଏହା ଭୀଷଣ ବା ଅତିଭୀଷଣ ଆକାରର ବାତ୍ୟା ହୋଇପାରେ ।  ୨୨ରେ ସୃଷ୍ଟ ଲଘୁଚାପ ୨୪ରେ ବାତ୍ୟାରେ ରୂପାନ୍ତରିତ ହେବ ।  ୨୫ରେ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ ।  ବାତ୍ୟାର ପ୍ରଭାବ ଉତ୍ତର ଓଡ଼ିଶାର ଜିଲ୍ଲାମାନଙ୍କରେ ଅଧିକ ହେବ ବୋଲି ପାଣିପାଗ ବିଜ୍ଞାନୀ ତଥା ଆଇଏମଡି ସାଇକ୍ଲୋନ ୱାର୍ଣ୍ଣିଂ ସେଣ୍ଟର ମୁଖ୍ୟ ଆର.କେ ଜେନାମଣି କହିଥିଲେ ।

Related Articles

Leave a Reply

Your email address will not be published.

Back to top button