ଭୟଙ୍କର ରୂପ ନେଉଛି ବାତ୍ୟା ‘ତୌକ୍‌ତେ’

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ତୌକ୍‌ତେ’ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେବାରେ ଲାଗିଛି। ଝଡ଼ରେ ପରିଣତ ହୋଇ ସାରିଥିବା ଟକ୍‌ଟେ ଆସନ୍ତା କିଛି ଘଣ୍ଟା ମଧ୍ୟରେ ଭୟଙ୍କର ରୂପ ନେବ। ମେ ୧୮ ତାରିଖ ଅପରାହ୍ଣରେ ଏହା ଗୁଜରାଟ ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମଏ) ବାତ୍ୟା ମୁକାବିଲା ପାଇଁ ଯୁଦ୍ଧସ୍ତରରେ ପଦକ୍ଷେପ ଗ୍ରହଣ କରିଛନ୍ତି। ବାତ୍ୟା ପ୍ରଭାବରେ ଆଜି କେରଳ‌ର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହୋଇଛି। ଅନେକ ଘର ଭାଙ୍ଗିରୁଜି ଯିବା ସହିତ ଗଛ ଉପୁଡ଼ିଯାଇଛି। ଗୁଜରାଟ ସମେତ ଗୋଆ, ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ ଏବଂ ତାମିଲନାଡ଼ୁରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବାତ୍ୟା ସତର୍କତା ଜାରି କରାଯାଇଛି। ଶନିବାର ଅପରାହ୍ଣ ଦୁଇଟା ୩୦ ସୁଦ୍ଧା ଏହି ବାତ୍ୟା ଉତ୍ତରପୂର୍ବ ଦିଗରେ ଗତି କରିବା ସହିତ ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ରହିଥିଲା। ଗୋଆର ପାଞ୍ଜିମଠାରୁ ଦକ୍ଷିଣ ପଶ୍ଚିମରେ ୨୯୦ କିମି, ମୁମ୍ବାଇର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୬୫୦ କିମି ଏବଂ ଗୁଜରାଟର ଭେରାଭାଲଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୮୮୦ କିମି ଦୂରରେ ବାତ୍ୟା ରହିଛି। ଆସନ୍ତା ୧୮ ତାରିଖ ଅପରାହ୍ଣ କିମ୍ବା ସଂଧ୍ୟା ସୁଦ୍ଧା ଏହି ବାତ୍ୟା ଗୁଜରାଟର ପୋରବନ୍ଦର ଏବଂ ନାଲିୟା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ। ସାମୁଦ୍ରିକ ଝଡ଼ର ମୁକାବିଲା ପାଇଁ କେରଳ, କର୍ଣ୍ଣାଟକ, ତାମିଲନାଡ଼ୁ, ଗୁଜରାଟ ଏବଂ ମହାରାଷ୍ଟ୍ରରେ ଏନ୍‌ଡିଆର୍‌ଏଫ୍‌ର ୫୦ରୁ ଅଧିକ ଟିମ୍ ମୁତୟନ କରାଯାଇଛି।

Related Articles

Leave a Reply

Your email address will not be published.

Back to top button