ବିଦ୍ୟାଳୟ ନାମଲେଖା ଅବଧି ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଦ୍ୟାଳୟରେ ଚାଲିଥିବା ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି। ମେ’ ଶେଷ ସୁଦ୍ଧା ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ନାମଲେଖା ସାରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଥିଲା। ତେବେ ୧୦ ଦିନ ହେଲା କରୋନା ସଂକ୍ରମଣ ବଢ଼ୁଥିବାରୁ ନାମଲେଖା ପ୍ରଭାବିତ ହୋଇଛି। ବହୁ ଛାତ୍ରଛାତ୍ରୀ କିମ୍ବା ଅଭିଭାବକ ବିଦ୍ୟାଳୟ ଆସିପାରି ନାହାନ୍ତି କି ନାମ ଲେଖାଇନାହାନ୍ତି। ତେଣୁ ବିଭାଗ ପକ୍ଷରୁ ନାମଲେଖା ଅବଧିକୁ ଏବେ ଜୁନ୍‌ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବିଭାଗ ଅଧିନରେ ଥିବା ସମସ୍ତ ବିଦ୍ୟାଳୟରେ ଏହି ନିୟମ ଲାଗୁ ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ବିଦ୍ୟାଳୟସ୍ତରରେ ଚାଲିଥିବା ପାଠ୍ୟପୁସ୍ତକ ବଣ୍ଟନ ଅବଧିକୁ ମଧ୍ୟ ବୃଦ୍ଧି କରାଯାଇଛି। ଶିକ୍ଷକମାନେ ଜୁନ୍‌ ୩୦ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ବଣ୍ଟନ କରିପାରିବେ। ତେବେ କଣ୍ଟେନମେଣ୍ଟ ଜୋନ୍‌ରେ ପୁସ୍ତକ ବଣ୍ଟାଯିବ ନାହିଁ। ଅଧାରୁ ପାଠପଢ଼ା ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ଗଣନା(ଡ୍ରପ୍‌ ଆଉଟ୍‌ ସର୍ଭେ) ମଧ୍ୟ ପ୍ରଭାବିତ ହୋଇଛି। ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଭୟଭିତ ହୋଇପଡ଼ିଛନ୍ତି। ତେଣୁ ସେମାନେ ଯାଇପାରୁ ନାହାନ୍ତି। ତାହାକୁ ନଜରରେ ରଖି ମେ’ ଶେଷ ସୁଦ୍ଧା ଗଣନା ସାରିବାକୁ ଧାର୍ଯ୍ୟ ‌ହୋଇଥିବା ସମୟ ସୀମାକୁ ଜୁନ୍‌ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏସମ୍ପର୍କରେ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ସୂଚନା ମିଳିଛି।

Related Articles

Leave a Reply

Your email address will not be published.

Back to top button