ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କର ଜୟନ୍ତୀ ଉତ୍ସବ: ଲୋକଙ୍କ ଭଲ ପାଇବା ଆଗରେ କ୍ଷମତା, ପଦବି ମୂଲ୍ୟହୀନ-ନବୀନ
ଭୁବନେଶ୍ୱର: ହରିଶ୍ଚନ୍ଦ୍ର ବକ୍ସିପାତ୍ର ଓଡ଼ିଶା ରାଜନୀତିରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ। ଛାତ୍ର ଜୀବନରୁ ଗରିବଙ୍କ କଲ୍ୟାଣ ପାଇଁ ସେ ସଂଗ୍ରାମ ଆରମ୍ଭ କରିଥିଲେ। ଆଦିବାସୀଙ୍କର ହକ୍ ତଥା ଚାଷୀମାନଙ୍କ ସ୍ୱାର୍ଥ ପାଇଁ ସେ ଲଢ଼େଇ କରୁଥିଲେ। ‘ସଂଗ୍ରାମ’ ହିଁ ଥିଲା ତାଙ୍କର ସବୁଠାରୁ ବଡ଼ ପରିଚୟ। ଜଣେ ମନ୍ତ୍ରୀ ବା ବିଧାୟକ ଭାବରେ ପରିଚୟଠାରୁ ଏ ପରିଚୟ ବହୁ ଊର୍ଦ୍ଧ୍ବରେ। ସେ ଥିଲେ ଗରିବ ଜନତାଙ୍କର ପ୍ରକୃତ ବନ୍ଧୁ। ସମାଜବାଦୀ ଆଦର୍ଶ ତାଙ୍କ ଜୀବନ ଓ କାର୍ଯ୍ୟରେ ପ୍ରତିଫଳିତ ହେଉଥିଲା। ଲୋକଙ୍କ ଭଲ ପାଇବା ଆଗରେ କ୍ଷମତା, ପଦବି ଓ ପ୍ରତିପତ୍ତି ତୁଚ୍ଛ। ତାଙ୍କ ପିଢ଼ିର ରାଜନେତାଙ୍କ ଅଭାବ ଆଜି ସମସ୍ତେ ଅନୁଭବ କରୁଛନ୍ତି। ସେ ଉତ୍ତର ପିଢ଼ି ପାଇଁ ସର୍ବଦା ପ୍ରେରଣାଦାୟୀ ରହିବେ ବୋଲି ଜୟଦେବ ଭବନରେ ଅନୁଷ୍ଠିତ ବିଶିଷ୍ଟ ଜନନେତା ଦିବଂଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କର ଜୟନ୍ତୀ ଉତ୍ସବ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହା କହିଛନ୍ତି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନେ ସ୍ବର୍ଗତ ବକ୍ସିପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ସ୍ମୃତିଚାରଣ କରିଥିଲେ। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟବକ୍ତା ଭାବେ ସମାଜସେବୀ ଯୋଗେନ୍ଦ୍ର ଯାଦବ ଓ ସମ୍ମାନିତ ଅତିଥି ଭାବେ ପୂର୍ବତନ ପୁଲିସ ପ୍ରଶାସକ ଅମିୟ ଭୂଷଣ ତ୍ରିପାଠୀ ଯୋଗଦେଇଥିଲେ। ମୁଖ୍ୟବକ୍ତା ଶ୍ରୀ ଯାଦବ ‘ଆଧୁନିକ ଭାରତୀୟ ରାଜନୈତିକ ବିଚାରର ଅବକ୍ଷୟ’ ସମ୍ପର୍କରେ ମତ ରଖିଥିଲେ। ବର୍ତ୍ତମାନ ରାଜନୈତିକ ଚିନ୍ତାଧାରାର ଦ୍ରୁତ ଅବକ୍ଷୟ ହେଉଥିବା ନେଇ ଶ୍ରୀ ଯାଦବ ଉଦ୍ବେଗ ପ୍ରକାଶ କରିବା ସହ ସ୍ବର୍ଗତ ବକ୍ସିପାତ୍ରଙ୍କ ଭଳି ଯୁବପିଢ଼ିମାନେ ସଂଗ୍ରାମୀ ହେବାକୁ ଆଶାବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଶ୍ରୀ ତ୍ରିପାଠୀ ସ୍ବର୍ଗତ ବକ୍ସିପାତ୍ରଙ୍କ ସହିତ ବିତାଇଥିବା ସ୍ମୃତିର ରୋମନ୍ଥନ କରିଥିଲେ। ଏହି ପରିପ୍ରେକ୍ଷୀରେ ସମାଜସେବୀ ପ୍ରମିଳା ସ୍ବାଇଁ ଓ ବରିଷ୍ଠ ସାମ୍ବାଦିକ ଶ୍ରୀମୟ କରଙ୍କୁ ‘ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମାରକୀ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା। କନ୍ୟା ଲୋପାମୁଦ୍ରା ବକ୍ସିପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ପୁତ୍ର ଭୃଗୁ ବକ୍ସିପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ସ୍ମୃତି ସମାରୋହରେ ବହୁ ବରିଷ୍ଠ ନେତା ଓ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।