ପ୍ୟାରିସରୁ ନେଇ ଜାପାନ ଯାଏଁ, ସବୁଠି ଯଶ ଅର୍ଜିଥିଲେ ରଘୁନାଥ

ଭୁବନେଶ୍ୱର : ଭାସ୍କର୍ଯ୍ୟ କଳାରେ ନିପୁଣ ରଘୁନାଥ ମହାପାତ୍ରଙ୍କ ପରଲୋକରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି  । କରୋନା ସିନା ତାଙ୍କୁ ଆମ ପାଖରୁ ଛଡେ଼ଇ ନେଇଛି ହେଲେ ସେ ପ୍ୟାରିସରୁ ନେଇ ଜାପାନ ପର୍ଯ୍ୟନ୍ତ ଅନେକ ଯଶ ଅର୍ଜନ କରିଥିଲେ  । ମାତ୍ର ଅଷ୍ଟମ ଶ୍ରେଣୀ ପାଶ କରିଥିଲେବି ନିଜର ନିହାଣର ଯାଦୁ ଓ ଭାସ୍କର୍ଯ୍ୟ କଳାରେ ପାରଙ୍ଗମ ରଘୁନାଥ ମହାପାତ୍ର ଦେଶବିଦେଶରେ ସୁନାମ ଅର୍ଜନ କରିପାରିଥିଲେ  । ପାରମ୍ପରିକ କଳାଭାସ୍କର୍ଯ୍ୟକୁ ବଂଚାଇ ରଖିବାରେ ସେ ଅହରହ ଉଦ୍ୟମ କରିଥିଲେ  । ତାଙ୍କର ଅନେକ ଶିଷ୍ୟ ଏବେ ବିଶ୍ୱରେ ବି ପ୍ରତିଷ୍ଠା ଲାଭ କରିଛନ୍ତି  । ସଂସଦର କେନ୍ଦ୍ରୀୟ ହଲରେ ଛଅ ଫୁଟ ଉଚ୍ଚତାର ସୂର୍ଯ୍ୟ ଦେବତା, ପ୍ୟାରିସର ବୁଦ୍ଧ ମନ୍ଦିରରେ ଥିବା ବୁଦ୍ଧଙ୍କ କାଠ ପ୍ରତିମା, ଜାପାନରେ ୧୫ ଫୁଟ ଉଚ୍ଚତାର ଅଶୋକ ସ୍ତମ୍ଭ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ଦୁଇଟି ଧଳା ଢୋଲପୁରୀ ପଥର ଲ୍ୟାମ୍ପ, କୋଲକାତା ପାର୍କ ଷ୍ଟି୍ରଟର କେନ୍ଦ୍ରୀୟ ସର୍କଲ ଓ ଖମ୍ବ, ହରିୟାନାର ସୁରଜକୁଣ୍ଡ ଠାରେ ଥିବା ନାଲିପଥରର ୧୫ ଫୁଟ ଉଚ୍ଚତା ବିଶିଷ୍ଟ ମୁକ୍ତେଶ୍ୱର ଗେଟ ସ୍ୱର୍ଗତ ମହାପାତ୍ରଙ୍କ ଭାସ୍କର୍ଯ୍ୟ ଯାଦୁର ମୁକସାକ୍ଷୀ ହୋଇରହିଛି । ପିତା ଦାମୋଦର ମହାପାତ୍ର ଓ ମାତା ଶକୁନ୍ତଳା ମହାପାତ୍ରଙ୍କ ଔରସରୁ ସେ ୧୯୪୩ ମାର୍ଚ୍ଚ ୨୪ରେ ଜନ୍ମଗ୍ରହଣ କରିଥିଲେ  । ପୁରୀ ଜିଲ୍ଲା ଶାସନ ପଡ଼ିଆ ଗ୍ରାମରେ ତାଙ୍କ ଜନ୍ମ ହୋଇଥିଲା  । ସ୍ୱର୍ଗତ ମହାପାତ୍ରଙ୍କ ପୂର୍ବସୂରୀମାନେ ପୁରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ  । ପିଲାଟି ଦିନରୁ ହିଁ ରଘୁନାଥ ମହାପାତ୍ର ଭାସ୍କର୍ଯ୍ୟ କଳା ପ୍ରତି ଆକର୍ଷିତ ହେବା ସହ ସେଥିରେ ପାରଦର୍ଶୀ ହାସଲ କରିପାରିଥିଲେ  ।

Related Articles

Leave a Reply

Your email address will not be published.

Back to top button