ମିଲିଙ୍କ ଦୋକାନ ଘର ଭାଙ୍ଗିଥିଲା ବିଏମ୍ସି: ମାନବାଧିକାର କମିଶନ୍ଙ୍କ ହସ୍ତକ୍ଷେପ, ମାସେ ଭିତରେ ମିଳିବ
ଭୁବନେଶ୍ୱର : ଚକେଇସିଆଣୀ ଅଞ୍ଚଳର ବିଧବା ମହିଳା ମିଲି ବାହାଦୂରଙ୍କ ଷ୍ଟେସନାରୀ ଦୋକାନ ଭାଙ୍ଗିବା ବିଏମ୍ସି ପାଇଁ ପଡ଼ିଛି ମହଙ୍ଗା। ମିଲିଙ୍କୁ ନ୍ୟାୟ ଦେବା ଲାଗି ଏ ସଂକ୍ରାନ୍ତରେ ରାଜ୍ୟ ମାନବାଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଏହି ଅଭିଯୋଗର ଶୁଣାଣି କରି ମିଲିଙ୍କୁ ବିଏମ୍ସି ଭେଣ୍ଡିଂ ଜୋନ୍ରେ ଏକ ଦୋକାନ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର ଆୟୋଗ। ଏହି ମାମଲାରେ ବିଏମ୍ସି କମିସନର ବ୍ୟକ୍ତିଗତ ହାଜର ହୋଇ ମାସେ ଭିତରେ ମିଲିଙ୍କୁ ଭେଣ୍ଡିଂ ଜୋନ୍ରେ ଦୋକାନ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରକାଶ ଯେ ମିଲିଙ୍କ ସ୍ୱାମୀ ଆରପାରିକୁ ଚାଲିଯିବା ପରେ ଦୁଇ ଝିଅଙ୍କୁ ନେଇ ଚକେଇସିଆଣି ଅଞ୍ଚଳରେ ଗୋଟିଏ ଷ୍ଟେସନାରୀ ଦୋକାନ କରି ପରିବାର ପ୍ରତିପୋଷଣ କରନ୍ତି। ଦୁଇ ଝିଅଙ୍କ ମଧ୍ୟରୁ ଗୋଟିଏ ଝିଅ ଦିବ୍ୟାଙ୍ଗ। ଦୋକାନରୁ ରୋଜଗାର ହେଉଥିବା ଅର୍ଥରେ ୩ ପ୍ରାଣୀ କୁଟୁମ୍ବ ଚଳୁଥିଲେ। କିନ୍ତୁ ବିଏମ୍ସି ପକ୍ଷରୁ ଚକେଇସିଆଣିରେ ଥିବା ମିଲିଙ୍କ ଦୋକାନକୁ ଭାଙ୍ଗି ଦିଆଯାଇଥିଲା। ଦୋକାନ ଭାଙ୍ଗିଯିବାରୁ ମିଲିଙ୍କ ଆର୍ôଥକ ଅବସ୍ଥା ପ୍ରଭାବିତ ହୋଇଥିଲା। ଦୁଇ ଝିଅଙ୍କୁ ଚଳାଇବା ମିଲିଙ୍କ ଲାଗି କଷ୍ଟସାଧ୍ୟ ହୋଇଯାଇଥିଲା। ଏହି ଘଟଣାକୁ ନେଇ ଆଇନଜୀବୀ ଜ୍ଞାନରଞ୍ଜନ ମିଶ୍ର ଓ କୈଳାଶ ଚନ୍ଦ୍ର ଶତପଥୀ ରାଜ୍ୟ ମାନବାଧିକାରୀ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ମାମଲାର ଶୁଣାଣି କରି ରାଜ୍ୟ ମାନବାଧିକାର ଆୟୋଗ ମିଲିଙ୍କୁ ଦୋକାନ ଘର ଯୋଗାଇଦେବାକୁ ବିଏମ୍ସିକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ମିଲିଙ୍କୁ ନ୍ୟାୟ ମିଳିବା ସହ ମାସେ ଭିତରେ ଭେଣ୍ଡିଂ ଜୋନ୍ରେ ଗୋଟିଏ ଦୋକାନ ଘର ମିଳିବ। ସୂଚନା ଯୋଗ୍ୟ ଯେ ବିଏମ୍ସି ଯେତେବେଳେ ମିଲିଙ୍କ ଦୋକାନ ଭାଙ୍ଗିଦେଇଥିଲା, ସେତେବେଳେ ତାଙ୍କୁ ‘ଭଏସ୍ ଅଫ୍ ଭିକ୍ଟିମ୍ସ’ ସାମାଜିକ ଅନୁଷ୍ଠାନର ଚେୟାରମ୍ୟାନ୍ ତଥା ଆଡ୍ଭୋକେଟ୍ ଜ୍ଞାନ ରଞ୍ଜନ ମିଶ୍ର ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଜନଶୁଣାଣି ପୋର୍ଟାଲ୍ ଜରିଆରେ ଅବଗତ କରାଇଥିଲେ। ମାତ୍ର ଏହି ଘଟଣାକୁ ପ୍ରଶାସନ ଅଣଦେଖା କରିବାରୁ ବାଧ୍ୟ ହୋଇ ସମ୍ପୃକ୍ତ ସଂସ୍ଥା ରାଜ୍ୟ ମାନବାଧିକାର ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲା।