ଏସସିବି ମେଡିକାଲ କଲେଜରେ ରାଗିଂ ଅଭିଯୋଗ
ଭୁବନେଶ୍ବର: କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରଙ୍କୁ ରାଗିଙ୍ଗ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ମେଡିକାଲ କଲେଜର ପ୍ରଥମ ବର୍ଷ ଛାତ୍ରମାନେ ଏହି ଅଭିଯୋଗ ଆଣିଛନ୍ତି। ଦୀର୍ଘଦିନ ହେବ ପ୍ରଥମ ବର୍ଷ ଛାତ୍ରମାନେ ଶେଷବର୍ଷ ଛାତ୍ରଙ୍କ ଦ୍ୱାରା ରାଗିଂ ହେଉଥିଲା ବେଳେ ଏହା ଅତିଶୟ ହୋଇପଡିବାରୁ ସେମାନଙ୍କ ବିରୋଧରେ ପ୍ରଥମବର୍ଷ ଡାକ୍ତରୀ ଛାତ୍ର ଏସସିବି ଆଣ୍ଟି ରାଗିଂ କମିଟି ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଗ୍ରହଣ କରି ଏସସିବି ଆଣ୍ଟି ରାଗିଙ୍ଗ କମିଟିର ବୈଠକ ବସିଛି। ଏଥିରେ ଅଭିଯୋଗ ଆଣିଥିବା ଛାତ୍ର ଦେଇଥିବା ତଥ୍ୟ ଆଧାରରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି। ଅପରପକ୍ଷେ ଏହି ଘଟଣାକୁ ନେଇ ଆଣ୍ଟି ରାଗିଙ୍ଗ କମିଟି ଉଭୟ ଛାତ୍ରଙ୍କୁ ଡାକି ବୁଝାସୁଝା କରିଛନ୍ତି ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ ଛାତ୍ର ନିବାସରେ ରାତିରେ କୌଣସି କାରଣରୁ ପ୍ରଥମ ବର୍ଷ ଛାତ୍ରଙ୍କୁ ଶେଷବର୍ଷ ଛାତ୍ରମାନେ ରାଗିଂ କରିବା ସହ ଅଶୋଭନୀୟ ବ୍ରବହାର ପ୍ରଦର୍ଶନ କରିଥିଲେ। ଏଣୁ ରାଗିଙ୍ଗର ଶିକାର ହୋଇଥିବା ଛାତ୍ର ଜଣଙ୍କ ନିଜ ପରିବାର ଲୋକଙ୍କୁ ଏହା ଜଣାଇଥିଲେ।ପରେ ପରିବାର ପକ୍ଷରୁ ଏସସିବି ମେଡିକାଲ କଲେଜ ଡିନ୍,ପ୍ରିନସିପାଲ ଓ ଆଣ୍ଟି ରାଗିଙ୍ଗ କମିଟିଙ୍କୁ ଇ-ମେଲ ମାଧ୍ୟମରେ ସାହାଯ୍ୟରେ ଅଭିଯୋଗ କରିଥିଲେ ।