ବାତ୍ୟା ପ୍ରସ୍ତୁତିରେ ପ୍ରଧାନମନ୍ତ୍ରୀ ସନ୍ତୁଷ୍ଟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ଦାନା ପ୍ରସ୍ତୁତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସନ୍ତୁଷ୍ଟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଆଜି ବାତ୍ୟା ମୁକାବିଲା ସମୀକ୍ଷା କରିବା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହା କହିଛନ୍ତି । ଏହାଛଡ଼ା ମୁଖ୍ୟମନ୍ତ୍ରୀ କହିଛନ୍ତି ଆଜି କେନ୍ଦ୍ର କ୍ୟାବିନେଟରେ ବାତ୍ୟା ଆଲୋଚନା ହୋଇଛି । ମୁକାବିଲା ପ୍ରସ୍ତୁତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା କରିଥିଲେ । ଓଡ଼ିଶାର କେନ୍ଦ୍ରମନ୍ତ୍ରୀମାନେ ଏନେଇ ତଥ୍ୟ ଦେଇଥିଲେ । ପ୍ରସ୍ତୁତିରେ ପ୍ରଧାନମନ୍ତ୍ରୀ ସନ୍ତୁଷ୍ଟ ଥିବା ସୂଚନା ମିଳିଛି । ଆଉ କିଛି ଆବଶ୍ୟକ ହେଲେ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ  କହିଛନ୍ତି ।  ଆମେ ଯାହା କେନ୍ଦ୍ର ଠାରୁ ସହଯୋଗ ମାଗିଥିଲୁ, ତାହା ସବୁ ପାଇଯାଇଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାଛଡ଼ା ବାତ୍ୟା ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ୧୧ଜିଲ୍ଲାର ୩୮ଟି ବ୍ଲକ ଓ ୯ ପୌରାଞ୍ଚଳ ପ୍ରଭାବିତ ହୋଇପାରେ । ମୋଟ ୧୬୫୧ ଗାଁ ବାତ୍ୟା ଦ୍ୱାରା ପ୍ରଭାବିତ ହେବା ନେଇ ଆକଳନ କରାଯାଇଛି । ମୋଟ ୩ ଲକ୍ଷ ୬୨ ହଜାର ଲୋକ ସ୍ଥାନାନ୍ତର ହେବେ ।  ଏଯାବତ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି । ଆଉ କିଛି ଘଣ୍ଟା ମଧ୍ୟରେ ଶତପ୍ରତିଶତ ଲୋକ ସ୍ଥାନାନ୍ତର ହୋଇଯିବେ । ସ୍ଥାନାନ୍ତର ହେଉଥିବା ଲୋକଙ୍କ ଗାଁକୁ ପୁଲିସ ଜଗିବ । ସମ୍ପୃକ୍ତ ଗ୍ରାମରେ ୨୪ ଘଣ୍ଟିଆ ପୁଲିସ ପାଟ୍ରୋଲିଂ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button