ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦ୍ଦେଶକ

ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ତାଳଚେର ଖଣି ଉପ ନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରରେ ଆଜି ଭିଜିଲାନ୍ସ ଚଢ଼ଉ କରିଛି। ଏକକାଳୀନ ଭାବେ ଭିଜିଲାନ୍ସ ୮ଟି ସ୍ଥାନରେ ଚଢ଼ଉ କରି ୧୦ ଲକ୍ଷ ଟଙ୍କା ନଗଦ ଜବତ କରିଥିଲା ବେଳେ ଭୁବନେଶ୍ୱର ଏବଂ କେନ୍ଦୁଝରରେ ଦାମୀ ଘର ଓ ପ୍ଲଟକୁ ଠାବ କରିଛି। ଶ୍ରୀ ନାୟକ ୭୫ ଲକ୍ଷ ଟଙ୍କାର ବ୍ୟାଙ୍କ ଋଣକୁ ମାତ୍ର ୨ବର୍ଷ ମଧ୍ୟରେ ଶୁଝି ପାରିଛନ୍ତି। ଅର୍ଥାତ୍ ମାସକୁ ସେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଶୁଝୁଥିଲେ। ଏଥିରୁ ସ୍ପଷ୍ଟ ହୋଇଛି କିଭଳି ଭାବେ ନିଜର କ୍ଷମତାକୁ ଅପବ୍ୟବହାର କରି ସେ ଅମାପ ସମ୍ପତ୍ତି ଠୁଳ କରିବାରେ ସମର୍ଥ ହୋଇଛନ୍ତି। ଭିଜିଲାନ୍ସ ଧରଣୀଧରଙ୍କ ତାଳଚେର ଅଫିସ, ସରକାରୀ ବାସଭବନ, ତେଲକୋଇ ଥାନା ଛାମୁଣ୍ଡା ଗାଁରେ ଥିବା ପୈତୃକ ଘର,ଭୁବନେଶ୍ୱର ପଟିଆରେ ଥିବା ଘର, ସିଂକୁଳବାହାଲରେ ଥିବା ମାର୍କେଟ କଂପ୍ଲେକ୍ସ ଓ କେନ୍ଦୁଝର ପଣ୍ଡାପଡ଼ା ଥାନା ପୁରମୁଣ୍ଡାରେ ଥିବା ଶ୍ୱଶୁର ଘର ସମେତ ୮ଟି ସ୍ଥାନରେ ଚଢ଼ଉ କରିଥିଲା। ଭୁବନେଶ୍ୱର ପଟିଆର ଶିଶୁବିହାରରେ ଥିବା ଫ୍ଲାଟ ନଂ.୨୦୫ର ମୂଲ୍ୟ ପ୍ରାୟ ୧କୋଟି ୩୦ ଲକ୍ଷ ହେବ ବୋଲି ଭିଜିଲାନ୍ସ ଆକଳନ କରିଛି। ସେହିପରି ଭୁବନେଶ୍ୱର ସୁନ୍ଦରପଦାରେ ୧୮୦୦ ବର୍ଗଫୁଟର ଏକ ଡୁପ୍ଲେକ୍ସ ରହି ଥିବା ବେଳେ କେନ୍ଦୁଝର ସିଂକୁଳବାହାଲରେ ଦୁଇମାହାଲା ବିଶିଷ୍ଟ ମାର୍କେଟ କମ୍ଲେକ୍ସରେ ୧୫ଟି ଦୋକନ ଘର ରହିଛି। ଆଉ ଏକ ମାର୍କେଟ କମ୍ପେ୍ଲକ୍ସ ସେଠାରେ ନିର୍ମାଣାଧିନ ଅଛି। ଏଥି ସହିତ କେନ୍ଦୁଝର ଜଗମୋହନପୁରରେ ମଧ୍ୟ ଅନ୍ୟ ଏକ ମାର୍କେଟ କମ୍ପେ୍ଲକ୍ସ ରହିଛି ସେଠାରେ ୪ଟି ଦୋକାନ ଘର ଭଡା ଦିଆଯାଇଛି। ପୈତୃକ ଗ୍ରାମ ଛାମୁଣ୍ଡାରେ ଏକ କୋଠା ଥିବା ବେଳେ ଭୁବନେଶ୍ୱରରେ ୨ଟି ପ୍ଲଟ ସହିତ ସମୁଦାୟ ୯ଟି ପ୍ଲଟ ଓ ଗୋଟିଏ କାର ଠାବ କରିଛି ଭିଜିଲାନ୍ସ। ବ୍ୟାଙ୍କ୍ ଓ ବୀମା କମ୍ପାନୀରେ ଥିବା ଜମାକୁ ଭିଜିଲାନ୍ସ ଏବେ ଠାବ କରିବାକୁ ଛାନ୍‌ଭିନ୍ ଚଳାଇଛି। ବିଶେଷ କରି ଧରଣୀଧର ବାଲି ଓ ପଥର ମାଫିଆଙ୍କୁ ଅନୁକମ୍ପା ଦେଖାଇ ତାଙ୍କ ନିକଟରୁ ମୋଟା ଅଙ୍କର ଟଙ୍କା ନେଉଥିଲେ ବୋଲି ତାଙ୍କ ନାଁରେ ଅଭିଯୋଗ ହୋଇଥିଲା। ଏହି ଚଢ଼ଉରେ ୧୦ ଭିଜିଲାନ୍ସ ଡିଏସପି, ୧୬ ଇନସପେକ୍ଟର, ୭ ଏଏସଆଇ ସାମିଲ ଥିଲେ।

Related Articles

Leave a Reply

Your email address will not be published.

Back to top button