କମଳା ପୂଜାରୀଙ୍କ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ବର: ବିଶିଷ୍ଟ ଜୈବିକ କୃଷିବିତ୍‌ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଜନ୍ମମାଟି ପାତ୍ରପୁର ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ହୋଇଛି। ତାଙ୍କ ସାନ ପୁଅ ଟଙ୍କଧର ପୂଜାରୀ ମୁଖାଗ୍ନି ଦେଇଛନ୍ତି। ଜିଲାପାଳ, ଏସ୍‌ପି ସେଠାରେ ଉପସ୍ଥିତ ଥିଲେ। ଶନିବାର କମଳା ପୂଜାରୀ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଥିଲା। ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ଜିଲା ପ୍ରଶାସନ ପକ୍ଷରୁ ଜାତୀୟ ପତାକାରେ ତାଙ୍କ ମରଶରୀରକୁ ଆଚ୍ଛାଦିତ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ପରେ ଏସ୍‌ସିବି ମେଡିକାଲ ପକ୍ଷରୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ମରଶରୀରକୁ କୋରାପୁଟ ପଠାଯାଇଥିଲା। କମଳା ପୂଜାରୀ ନାରୀ ସଶକ୍ତୀକରଣରେ ପ୍ରମୁଖ ଭୂମିକା ବହନ କରିଥିଲେ। ଦେଶୀ ଧାନ ଗବେଷଣା ଓ ସଂରକ୍ଷଣ ପାଇଁ କୋରାପୁଟ ଜିଲାର ଏକମାତ୍ର ଆଦିବାସୀ ମହିଳା ଭାବେ ସେ ସମଗ୍ର ଦେଶରେ ପରିଚିତ ଥିଲେ। ଓଡ଼ିଶାରେ ରହିଥିବା ପାରମ୍ପରିକ ଧାନ କିସମ ସଂରକ୍ଷଣ କ୍ଷେତ୍ରରେ ଲୋପ ପାଇଯାଉଥିବା ଦେଶୀ ଧାନକୁ ସଂଗ୍ରହ ଓ ସଂରକ୍ଷଣ କରି କମଳା କୋରାପୁଟ ଜିଲା, ରାଜ୍ୟ ଓ ଦେଶକୁ ବିଶ୍ୱ ଦରବାରରେ ପରିଚିତ କରିଥିଲେ। ସେ ୧୪୦ ପ୍ରକାର ଲୋପ ପାଇଯାଇଥିବା ଅତି ଦୁର୍ଲଭ କିସମର ଦେଶୀ ଧାନ ସଂଗ୍ରହ କରିପାରିଥିଲେ। ପାରମ୍ପରିକ ରୀତିରେ ବିନା ସରକାରୀ ସହୟତାରେ କେବଳ ଗୋବର ଖତ ବ୍ୟବହାର କରି ସେ କଳାଜିରା, ହଳଦୀଗଣ୍ଠି, ଝିଲ୍ଲୀ, ଲଦିଆରି, ଉମୁରିଆଚୁଡି, ଲଲାଟ, ଘଣ୍ଟିଆ, ବରପକ, ସପୁରୀ, ଗଠିଆ, ପାରା, ମୋରା ଆଦି ଦେଶୀ ଧାନ ସଂରକ୍ଷଣ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button