ଅକ୍ସିଜେନ୍ ଅଭାବ ପୂରଣ କରିବ ଅକ୍ସିଜେନ ଏକ୍ସପ୍ରେସ: ପୀୟୁଷ ଗୋଏଲ

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସଂକ୍ରମଣ ଅଣାୟତ୍ତ ହୋଇପଡୁଥିବା ବେଳେ ବିଭିନ୍ନ ରାଜ୍ୟର ହସ୍ପିଟାଲଗୁଡ଼ିକରେ ଅମ୍ଳଜାନର ଅଭାବ ପରିଲକ୍ଷିତ ହେଉଥିବା ଉକ୍ତ ରାଜ୍ୟଗୁଡ଼ିକ କେନ୍ଦ୍ର ସରକାରଙ୍କୁ ଅବଗତ କରାଇସାରିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ରେଳବାଇ ପକ୍ଷରୁ ଖୁବଶୀଘ୍ର ଅକ୍ସିଜେନ ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବ ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ରବିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଟ୍ରେନ୍ ନିମନ୍ତେ ଗ୍ରୀନ୍ କରିଡର ପ୍ରସ୍ତୁତ କରାଯାଉଛି। ଫଳରେ ଯାତାୟାତରେ କୌଣସି ପ୍ରକାର ଅସୁବିଧା ହେବନାହିଁ ବୋଲି ଗୋୟଲ କହିଛନ୍ତି। କୋଭିଡ୍ ରୋଗୀଙ୍କ ଚିକିତ୍ସାରେ ଅମ୍ଳଜାନର ବିଶେଷ ଚାହିଦା ରହିଥିବା ବେଳେ ଅଧିକାଂଶ ଡାକ୍ତରଖାନାରେ ଏହାର ଘୋର ଅଭାବ ପରିଲକ୍ଷିତ ହେଉଛି। ତେଣୁ ଏହି ସମସ୍ୟାର ସମାଧାନ ନିମନ୍ତେ ରେଳବାଇ ପକ୍ଷରୁ ସ୍ବତନ୍ତ୍ର ଅକ୍ସିଜେନ ଏକ୍ସପ୍ରେସର ବ୍ୟବସ୍ଥା କରାଯାଇଥିବା ସେ ଜଣାଇଛନ୍ତି। ଏହାଫଳରେ ଚିକିତ୍ସାଧୀନ କୋଭିଡ୍ ସଂକ୍ରମିତ ବେଶ୍ ସହଜରେ ଅମ୍ଳଜାନ ପାଇପାରିବେ। ଏହି ଟ୍ରେନରେ ଲିକ୍ୟୁଇଡ୍ ମେଡିକାଲ ଅକ୍ସିଜେନ ଓ ଅକ୍ସିଜେନ ସିଲିଣ୍ଡର ମହଜୁଦ ରଖାଯିବ। ଲିକ୍ୟୁଇଡ୍ ମେଡିକାଲ ଅକ୍ସିଜେନ (ଏଲଏମ୍ଓ) ଟ୍ୟାଙ୍କର ବ୍ୟବସ୍ଥା କରିବାକୁ ପୂର୍ବରୁ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ସରକାର ରେଳବାଇକୁ ଅନୁରୋଧ କରିଥିଲେ। ବର୍ତ୍ତମାନ ଏଭଳି ଟ୍ରେନ୍ ଚଳାଚଳ କଲେ, ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ଗୋୟଲ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହାଛଡ଼ା ଡାକ୍ତରଖାନାରେ କୋଭିଡ୍ ରୋଗୀଙ୍କ ପାଇଁ ଶଯ୍ୟାର ଅଭାବ ପରିଲକ୍ଷିତ ହେଉଥିବାରୁ କେତେକ ଷ୍ଟେସନରେ ରେଳବାଇ ପକ୍ଷରୁ କୋଭିଡ୍ କେୟାର କୋଚ୍ ବ୍ୟବସ୍ଥା ମଧ୍ୟ କରାଯାଉଥିବା ରେଳ ମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ଦେଶର ବିଭିନ୍ନ ଷ୍ଟେସନରେ ରେଳବାଇ ପକ୍ଷରୁ ୩ ଲକ୍ଷ ଆଇସୋଲେସନ ଶଯ୍ୟାର ବନ୍ଦୋବସ୍ତ କରାଯାଇପାରିବ ବୋଲି ମଧ୍ୟ ଗୋୟଲ ପ୍ରତିଶ୍ରୁତି ଦେଇଛନ୍ତି।

 

Related Articles

Leave a Reply

Your email address will not be published.

Back to top button