ଆସନ୍ତାକାଲି ଓଡିଶାରେ ନିର୍ବାଚନ, ଅଛନ୍ତି ୬୨ ଲକ୍ଷ ୮୭ ହଜାର ଭୋଟର, ମହିଳା ସଂଖ୍ୟା ଅଧିକ

ଭୁବନେଶ୍ବର: ଆସନ୍ତାକାଲି ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ଦେଶର ଚତୁର୍ଥ ପର୍ଯ୍ୟାୟ ହୋଇଥିବା ବେଳେ ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଓଡ଼ିଶାରେ ୪ ଗୋଟି ସଂସଦୀୟ କ୍ଷେତ୍ର ଯଥା: କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୨୮ଟି ବିଧାନସଭା କ୍ଷେତ୍ର ପାଇଁ କାଲି ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ଚାରୋଟି ସଂସଦୀୟ କ୍ଷେତ୍ର ଅଧିନରେ ମୋଟ ୬୨,୮୭,୨୨୨ ଜଣ ମତଦାତା ନିଜ ନିଜର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୩୦,୯୭,୫୨୭ ପୁରୁଷ, ୩୧,୮୯,୦୬୦ ମହିଳା ଓ ୬୩୫ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ଏବଂ ମତଦାତା ଲିଙ୍ଗ ଅନୁପାତ ୧୦୩୦ ରହିଛି । ପୁରୁଷ ଭୋଟରଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ଏମାନଙ୍କ ମଧ୍ୟରେ ୧,୭୫,୧୩୪ ଜଣ ୧୮-୧୯ ବର୍ଷ ବୟସର ପ୍ରଥମ ଥର ମତଦାତା, ୨୦-୨୯ ବର୍ଷ ବୟସର ୧୪,୬୮,୫୦୪ ଜଣ ଯୁବ ମତଦାତା ରହିଛନ୍ତି। ଏହି ପର୍ଯ୍ୟାୟରେ ମୋଟ ୭୨୮୯ଟି ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର ରହିଛି । ପରିସୀମା ଭାବରେ ଏହି ପର୍ଯ୍ୟାୟରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ସବୁଠୁ ସାନ ଓ କୋରାପୁଟ ସବୁଠାରୁ ବଡ଼ ସଂସଦୀୟ କ୍ଷେତ୍ର । ବିଧାନସଭା କ୍ଷେତ୍ରମାନଙ୍କ ମଧ୍ୟରେ ବ୍ରହ୍ମପୁର ସବୁଠାରୁ ସାନ ଓ ମାନକାନଗିରି ସବୁଠାରୁ ବଡ଼ ସଂସଦୀୟ କ୍ଷେତ୍ର ଅଟେ । ମତଦାତା ସଂଖ୍ୟା ହିସାବରେ କୋରାପୁଟ ସଂସଦୀୟ କ୍ଷେତ୍ରରେ ସର୍ବନିମ୍ନ ୧୪୮୦୯୨୨ ଜଣ ମତଦାତା ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ସର୍ବାଧିକ ୧୭,୦୦,୭୮୦ ଜଣ ମତଦାତା ରହିଛନ୍ତି । ବିଧାନସଭା କ୍ଷେତ୍ରଗୁଡ଼ିକ ମଧ୍ୟରେ ଲକ୍ଷ୍ମୀପୁରରେ ସର୍ବନିମ୍ନ ୧,୭୩,୭୨୧ ଜଣ ଓ ଧର୍ମଗଡ଼ରେ ସର୍ବାଧିକ ୨,୬୧,୭୦୮ ଜଣ ମତଦାତା ରହିଛନ୍ତି । ଏହି ଚତୁର୍ଥ ପର୍ଯ୍ୟାୟରେ ସାମଗି୍ରକ ଭାବରେ ୩୯,୯୯୫ ଜଣ ୮୫ ବର୍ଷରୁ ଊଦ୍ଧ୍ୱର୍ ମତଦାତା, ୧୨୯୪ ଜଣ ୧୦୦ ବର୍ଷ ବୟସରୁ ଊଦ୍ଧ୍ୱର୍ ମତଦାତା, ୩୧ ଜଣ ପ୍ରବାସୀ ମତଦାତା ଓ ୬୨୯୬ ଜଣ ସର୍ଭିସ୍‌ ଭୋଟର ରହିଛନ୍ତି ।

Related Articles

Leave a Reply

Your email address will not be published.

Back to top button