କେନ୍ଦ୍ରାପଡ଼ାରେ ଭାଙ୍ଗୁଛି ବିଜେପି ଦୁର୍ଗ

ଭୁବନେଶ୍ୱର: ୧୪୭ ଆସନରେ ଏକାକୀ ଲଢ଼ି ସରକାର ଗଢ଼ିବାକୁ ଦମ୍ଭ ଦେଖାଉଥିବା ରାଜ୍ୟ ବିଜେପି ନେତାଙ୍କ ତୁଣ୍ଡରୁ ଆଉ ସ୍ୱର ବାହାରୁ ନାହିଁ। ବିଜେଡିରୁ ବହିିଷ୍କୃତ, ନିଲମ୍ବିତ ଓ ଅଲୋଡ଼ା ବର୍ଜ୍ୟଙ୍କୁ ଏକାଠି କରି ନିର୍ବାଚନ ଲଢ଼ିବାକୁ ବିଜେପିର ରଣନୀତି ଏବେ ଫେଲ୍‌ ମାରିବାକୁ ବସିଛି। ଆମଦାନୀ ଅଲୋଡ଼ା ନେତାଙ୍କ ଯୋଗୁଁ ଉପକୂଳରୁ ଉପାନ୍ତ ସବୁଠି ଦଳରେ ସୃଷ୍ଟି ହୋଇଛି ଅସନ୍ତୋଷ ଓ ବିଦ୍ରୋହ। ରାଜ୍ୟ ନେତୃତ୍ୱ୍‌ଙ୍କ ଏକଦେଶଦର୍ଶୀ ନୀତି, ଦଳର ଅସ୍ପଷ୍ଟ ଆଭିମୁଖ୍ୟ, ନିଷ୍ଠାପର ନେତା ଓ କର୍ମୀଙ୍କୁ ଉପେକ୍ଷା, ମହିଳାଙ୍କୁ ଅସମ୍ମାନ ପ୍ରତିବାଦରେ ପ୍ରତିଦିନ ଜଣକ ପରେ ଜଣେ ଟାଣୁଆ ନେତା ଦଳ ଛାଡ଼ୁଛନ୍ତି। ରାଜ୍ୟରେ ନାମାଙ୍କନ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ବିଜେପିରେ ଏ ପ୍ରକାର ଅସମଞ୍ଜସ୍ୟ ସ୍ଥିତି; ଯୁଦ୍ଧ ପୂର୍ବରୁ ଆତ୍ମସମର୍ପଣ ବୋଲି ରାଜନୈତିକ ସମୀକ୍ଷକମାନେ ମନେ କରୁଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର।
କେନ୍ଦ୍ରାପଡ଼ାଠାରେ ଆୟୋଜିତ ଦଳୀୟ ପ୍ରଚାର କାର୍ଯ୍ୟକ୍ରମରେ ଶ୍ରୀ ପାତ୍ର କହିଛନ୍ତି ଯେ ସମ୍ବଲପୁର, ଖୋର୍ଦ୍ଧା, ବେଗୁନିଆ, ଧର୍ମଶାଳା, କଟକ-ଚୌଦ୍ୱାର, ଜଟଣୀ, ବଡ଼ମ୍ବା, ଛତ୍ରପୁର, ମହାକାଳପଡ଼ା, ରେଢ଼ାଖୋଲ, ଦେବଗଡ଼, ବରଗଡ଼, ନୂଆପଡ଼ା, ଗଞ୍ଜାମ, ଜୟଦେବ ଆଦି ନିର୍ବାଚନମଣ୍ଡଳୀରେ ଘୋଷିତ ପ୍ରାର୍ଥୀ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଛନ୍ତି। ଏପରିକି ଘୋଷିତ ପ୍ରାର୍ଥୀଙ୍କୁ ଦଳର ସ୍ଥାନୀୟ ସଙ୍ଗଠନ ଗ୍ରହଣ କରିପାରୁ ନାହାନ୍ତି। ରାଜ୍ୟ ନେତୃତ୍ୱ ବିରୋଧରେ କର୍ମୀ ଓ ସ୍ଥାନୀୟ ନେତା ବିଦ୍ରୋହ ଘୋଷଣା କରିଛନ୍ତି। ରାବଣର ଅଶୋକବାଟିକା ହନୁମାନ ଧ୍ୱଂସ କରିବା ପରି ବିଦ୍ରୋହୀ କର୍ମୀ ରାଜ୍ୟ କାର୍ଯ୍ୟାଳୟ ପରିସରରେ ଫୁଲକୁଣ୍ଡଠାରୁ ଆରମ୍ଭ କରି ଚୌକି ମେଜ ପର୍ଯ୍ୟନ୍ତ ଭଙ୍ଗାରୁଜା କରିଛନ୍ତି। ଅନ୍ୟପକ୍ଷରେଜଗତସିଂହପୁର, ନୟାଗଡ଼, ଅନୁଗୋଳ, ଖୋର୍ଦ୍ଧା, ଯାଜପୁର ଜିଲ୍ଲାରେ ଅବଶିଷ୍ଟ ଆସନର ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ଦଳରେ ଅସନ୍ତୋଷର ନିଆଁ ହୁତୁହୁତୁ ଜଳିବା ଆରମ୍ଭ କରିଛି। ରାଜ୍ୟ ବିଜେପି ନେତୃତ୍ୱଙ୍କ ଅହଂକାର ଓ ଏକଜିଦିଆ ମନୋଭାବ ଦଳର ନିଷ୍ଠାପର କର୍ମୀ ଓ ନେତାମାନଙ୍କ ମଧ୍ୟରେ ସୃଷ୍ଟି କରିଛି ତୀବ୍ର ଅସନ୍ତୋଷ। ବିଜେଡିର କିଛି ପରିତ୍ୟକ୍ତ ଛିନ୍ନମୂଳ ନେତାଙ୍କୁ ଦଳରେ ସାମିଲ କରି ରାଜ୍ୟ ନେତୃତ୍ୱ ଦେଖୁଥିବା ସଫଳତାର ଦିବାସ୍ୱପ୍ନକୁ ତାଙ୍କରି ଦଳର କର୍ମୀ ଓ ନେତାମାନେ ବି ଗ୍ରହଣ କରିପାରୁ ନାହାନ୍ତି। ଭର୍ତ୍ତୃହରି ମହତାବ, ପ୍ରଶାନ୍ତ ଜଗଦ୍ଦେବ, ପ୍ରଦୀପ ପାଣିଗ୍ରାହୀ, ଅରବିନ୍ଦ ଢ଼ାଲି, ଆକାଶ ଦାସ ନାୟକ, ସିଦ୍ଧାନ୍ତ ମହାପାତ୍ର, ଅରିନ୍ଦମ ରାୟ, ଅନୁଭବ ମହାନ୍ତି ପ୍ରମୁଖଙ୍କୁ ଦଳରେ ସାମିଲ କରି ବିଜେପି ରାଜ୍ୟ ନେତୃତ୍ୱ ଓ ପରାମର୍ଶଦାତାମାନେ ଗଡ଼ ଜିଣିବା ପରି ମଣୁଛନ୍ତି। ମାତ୍ର ବିଡ଼ମ୍ବନା ହେଉଛି, ସେହି ବିଜେପିର ତୁଙ୍ଗ ନେତାମାନେ ରାଜ୍ୟ ନେତୃତ୍ୱ ଗ୍ରହଣ କରୁଥିବା ପଦକ୍ଷେପକୁ ସ୍ୱୀକାର କରିପାରୁ ନାହାନ୍ତି। ସାଧାରଣ କର୍ମୀମାନେ ମଧ୍ୟ ରାଜ୍ୟ ନେତୃତ୍ୱର ପଦକ୍ଷେପ ବିରୋଧରେ ପ୍ରତିବାଦ କରିବାକୁ ରାଜଧାନୀରେ ପହଞ୍ଚି ଯାଇଛନ୍ତି। ଧର୍ମଶାଳାର ହିମାଂଶୁ ସାହୁ, ଛତ୍ରପୁରର ବନମାଳୀ ସେଠୀ, ଖୋର୍ଦ୍ଧାର କାଳୁ ଖଣ୍ଡାୟତରାୟ, ଜଟଣୀର ସନ୍ତୋଷ ଜେନା, କଟକ-ଚୌଦ୍ୱାରରୁ ନମିତା ମଞ୍ଜରୀ ସାହୁଙ୍କ ସହ ବିଭିନ୍ନ ନିର୍ବାଚନମଣ୍ଡଳୀର ନେତା ଓ କର୍ମୀ ରାଜଧାନୀରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଘେରାଉ କରିଛନ୍ତି। କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ହଙ୍ଗାମା କରିଛନ୍ତି। ଘୋଷିତ ପ୍ରାର୍ଥୀ ଓ ରାଜ୍ୟ ନେତୃତ୍ୱ ବିରୋଧରେ ସ୍ଲୋଗାନ ଦେଇ ଟିକଟ ଦାବି କରିଛନ୍ତି। କେବଳ ସେତିକି ନୁହେଁ; ମହାକାଳପଡ଼ା ଆସନରେ ଟିକଟକୁ ନେଇ ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ଖୋର୍ଦ୍ଧା ଓ ଜୟଦେବ ଆସନକୁ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ‘ଡିଲ’ ଅଭିଯୋଗ ଆଣିଛନ୍ତି ଦଳୀୟ କର୍ମୀ। ଟିକଟ ବଣ୍ଟନରେ ପାତରଅନ୍ତର, ପ୍ରିୟାପ୍ରୀତି ତୋଷଣ ଅଭିଯୋଗ କରିଛନ୍ତି। ଏପରିକି ଗତ ୧୦ ବର୍ଷ ହେଲା ସଙ୍ଗଠନ ସମ୍ଭାଳିଥିବା ନେତାମାନେ ଟିକଟ ନ ମିଳିଲେ ସ୍ୱାଧୀନ ପ୍ରାର୍ଥୀ ହେବାକୁ ଚେତାବନୀ ମଧ୍ୟ ଦେଇଛନ୍ତି । ଏକ ପକ୍ଷରେ କର୍ମୀଙ୍କ ଅସନ୍ତୋଷ ଚରମ ସ୍ଥିତିରେ ପହଞ୍ଚିଥିବାବେଳେ ଦଳୀୟ ନେତାମାନଙ୍କ ଅସନ୍ତୋଷ ବିଦ୍ରୋହର ରୂପ ନେଇଛି । ରାଜ୍ୟ ବିଜେପିର ବହୁ ଟାଣୁଆ ନେତା ଜଣକ ପରେ ଜଣେ ଦଳରୁ ଇସ୍ତଫା ଦେବାର ଧାରା ଅଟକିବାର ନାଁ ଧରୁନାହିଁ । ବିଜେପି ଛାଡ଼ି ଏହି ନେତାମାନେ ବିଜେଡିରେ ଯୋଗ ଦେଉଛନ୍ତି । ଦଳ ତ୍ୟାଗ ସମୟରେ ପ୍ରାୟ ସମସ୍ତ ନେତା ରାଜ୍ୟ ବିଜେପି ନେତୃତ୍ୱର ଅପରାଗତା, ଦଳୀୟ ନେତାଙ୍କୁ ଉପେକ୍ଷା ଓ ଦଳରେ ମହିଳାଙ୍କୁ ଅସମ୍ମାନ ପ୍ରସଙ୍ଗ ଉଠାଇଛନ୍ତି । ଦଳର ଦୁଇ ରାଜ୍ୟ ଉପସଭାପତି ତଥା ଫାୟାରବ୍ରାଣ୍ଡ ନେତା ଭୃଗୁ ବକ୍ସିପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାର ବିଜେପିକୁ ବାୟବାୟ କହିଛନ୍ତି । ନୟାଗଡ଼ର ଟାଣୁଆ ନେତ୍ରୀ ତଥା ଗତ ବିଧାନସଭାରେ ପ୍ରାର୍ଥୀ ଇରାନୀ ରାୟ, ଦଳର ମୁଖପାତ୍ର ସୋନାଲି ସାହୁ, କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବରଗଡ଼ ଜିଲ୍ଲା ଉପସଭାପତି ସୁଶାନ୍ତ ମିଶ୍ର, ଦୁଇ ଅଭିଜ୍ଞ ତଥା ବରିଷ୍ଠ ନେତା ବସ୍ତାର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ଅବିଭକ୍ତ ଢେ଼ଙ୍କାନାଳ ଜିଲ୍ଲାର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟ ସଚେତକ ରବି ପାଣି ବିଜେପି ପରିତ୍ୟାଗ କରିଛନ୍ତି । ଦଳରେ ସୃଷ୍ଟି ହୋଇଥିବା ଏହି ସ୍ଥିତି ରାଜ୍ୟ ନେତୃତ୍ୱକୁ ପ୍ରାୟତଃ ମୂକ କରି ଦେଇଛି । ରାଜ୍ୟ ସଭାପତିଙ୍କଠାରୁ ଆରମ୍ଭ କରି ତଥାକଥିତ ବଡ଼ ନେତାମାନେ ଯଥାସମ୍ଭବ ନିରବ ରହିବାକୁ ଉଦ୍ୟମ କରୁଛନ୍ତି। ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ଟିକଟକୁ ନେଇ କର୍ମୀଙ୍କ ଉଗ୍ରରୂପକୁ ସାମ୍ନା କରିବାକୁ ଦଳୀୟ ନେତା ସାହସ କରିପାରୁ ନାହାନ୍ତି । କାର୍ଯ୍ୟାଳୟରେ ବଡ଼ ନେତାମାନଙ୍କର ଦେଖା ମିଳୁନାହିଁ । ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ଅଧିକ ସଂଖ୍ୟକ ଟିକଟ ଆଶାୟୀ ଓ ବିଦ୍ରୋହୀସ୍ୱାଧୀନ ଲଢ଼ିବାକୁ ସଜବାଜ ହେବା ରାଜ୍ୟ ନେତୃତ୍ୱଙ୍କ ପାଇଁ ମୁଣ୍ଡବିନ୍ଧା କାରଣ ପାଲଟିଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, କେନ୍ଦ୍ରାପଡ଼ା ବିଧାୟକ ପ୍ରାର୍ଥୀ ଗଣେଶ୍ବର ବେହେରା, ରାଜେଶ ଦାସ, ଡ. ପ୍ରିୟବ୍ରତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅନ୍ୟ ଦଳର ନେତୃବୃନ୍ଦ ବିଜେଡିରେ ସାମିଲ ହୋଇଥିଲେ।

Related Articles

Leave a Reply

Your email address will not be published.

Back to top button