ଭୋଟ୍ ଦେବା ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ୨ଦିନ ସ୍ୱତନ୍ତ୍ର ଛୁଟି

ଭୁବନେଶ୍ୱର : ରାଜ୍ୟରେ ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କୁ ଗୋଟିଏ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି ମିଳିବ । ଏହାସହିତ ନିଜ ହେଡକ୍ୱାର୍ଟରଠୁ ଦୂର ସ୍ଥାନରେ ଭୋଟ୍ ଦେବାକୁ ଯାଉଥିବା ସରକାରୀ କର୍ମଚାରୀଙ୍କୁ ୨ଦିନ ସ୍ୱତନ୍ତ୍ର ସାମୟିକ ଛୁଟି ମିଳିବ । ଆଜି ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସମସ୍ତ ବିଭାଗୀୟ ସଚିବ ଓ ମୁଖ୍ୟମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ସୂଚନା ଅନୁସାରେ ଯେଉଁ ସରକାରୀ କର୍ମଚାରୀମାନେ ସାଧାରଣ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେବେ ସେମାନଙ୍କୁ ଡ୍ୟୁଟି ପରେ ଗୋଟିଏ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି ଦିଆଯିବ । ସେମାନେ ପ୍ରତ୍ୟେକ କ୍ୟାଲେଣ୍ଡର ବର୍ଷରେ ପାଉଥିବା କାଜୁଆଲ ଲିଭ୍ ଓ ସ୍ପେଶାଲ ସିଏଲ୍ ବ୍ୟତୀତ ଏହି ସାମୟିକ ଛୁଟି ପାଇବେ । ସେହିପରି ଯେଉଁ ସରକାରୀ କର୍ମଚାରୀମାନେ ଭୋଟ୍ ଦେବା ପାଇଁ ଦୂରସ୍ଥାନକୁ ଯିବେ(ନିଜ ହେଡକ୍ୱାର୍ଟରଠୁ ଦୂର) ସେମାନଙ୍କୁ ସର୍ବାଧିକ ଦୁଇଦିନ ସ୍ୱତନ୍ତ୍ର ସାମୟିକ ଛୁଟି ମିଳିବ । ରାଜ୍ୟରେ ମେ’ ୧୩,୨୦,୨୫ ଓ ଜୁନ୍ ୧ ତାରିଖରେ ୪ଟି ପର୍ଯ୍ୟାୟରେ ମତଦାନ ହେଉଛି । ମତଦାନ ଦିନ ନିର୍ବାଚନମଣ୍ଡଳୀ ଅଞ୍ଚଳରେ ସରକାରୀ ଛୁଟି ଘୋଷଣା କରାଯାଇଛି । କିନ୍ତୁ ଯେଉଁ ସରକାରୀ କର୍ମଚାରୀମାନଙ୍କୁ ନିଜ କର୍ମସ୍ଥଳୀଠାରୁ ଭୋଟ୍ ଦେବା ପାଇଁ ଦୂରକୁ ଯିବାକୁ ପଡ଼ିବ ସେମାନଙ୍କୁ ଆବଶ୍ୟକ ସ୍ଥଳେ ଦୁଇଦିନ(ଭୋଟଗ୍ରହଣର ପୂର୍ବଦିନ ଓ ଭୋଟଗ୍ରହଣର ପରଦିନ) ସାମୟିକ ସ୍ୱତନ୍ତ୍ର ଛୁଟି ମିଳିବ । ଏହି ୨ଦିନ ଛୁଟି ସେମାନଙ୍କର ପ୍ରତ୍ୟେକ କ୍ୟାଲେଣ୍ଡର ବର୍ଷରେ ମିଳୁଥିବା କାଜୁଆଲ ଲିଭ୍ ଓ ସ୍ପେଶାଲ ସିଏଲକୁ ପ୍ରଭାବିତ କରିବ ନାହିଁ ବୋଲି ଜଣାପଡ଼ିଛି ।

Related Articles

Leave a Reply

Your email address will not be published.

Back to top button