ଗ୍ରୀଷ୍ମପ୍ରବାହ ପ୍ରତି ସତର୍କ ରହିବାକୁ ଏସ୍‌ଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷାପୂର୍ବକ କିପରି ଏହାର ପ୍ରତିକାର ଓ ମୁକାବିଲା କରାଯାଇ ପାରିବ ଏ ସଂପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁଙ୍କ ପକ୍ଷରୁ ସମସ୍ତ ବିଭାଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଓ ଗୃହନିର୍ମାଣ ଓ ନ ଗର ଉନ୍ନୟନ ବିଭାଗ ପକ୍ଷରୁ ବିଭନ୍ନ ଗ୍ରାମ, ପଡ଼ା ଓ ୱାର୍ଡରେ ଜଳସଂକଟ ଥିବା ଅଞ୍ଚଳକୁ ଚିହ୍ନଟ କରିବା ସହ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ପାଇଁ ୱାଟର ଟ୍ୟାଙ୍କର ମାଧ୍ୟମରେ ଜଳ ଯୋଗାଇଦେବାକୁ କୁହାଯାଇଛି । ବଜାରଘାଟ, ବସ୍‌ଷ୍ଟାଣ୍ଡ ଓ ଅନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ପାନୀୟ ଜଳ ସେବା କେନ୍ଦ୍ର ଓ ଜଳଛତ୍ର ଖୋଲିବାକୁ ନିର୍ଦ୍ଦେଶ ହୋଇଛି । ଜଳସଂପଦ ବିଭାଗ ପକ୍ଷରୁ ଜଳଭଣ୍ଡାରଗୁଡ଼ିକରୁ କେନାଲକୁ ଆବଶ୍ୟକ ଜଳ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମତ୍ସ୍ୟପାଳନ ଓ ପଶୁସଂପଦ ବିକାଶ ବିଭାଗ ପକ୍ଷରୁ ବୁଲା ପଶୁ ଗୋରୁଗାଈମାନଙ୍କ ପାଇଁ ପିଇବା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବିଦ୍ୟାଳୟ, ମହାବିଦ୍ୟାଳୟ, ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ପରିସରରେ ଥିବା ଅଚଳ ନଳକୂପଗୁଡ଼ିକ ସଜାଡ଼ିବା ସହ ପ୍ରଚୁର ପରିମାଣର ଓଆରଏସ୍ ମହଜୁଦ ରଖିବା ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଖରା ସମୟରେ ବାହ୍ୟ କାର୍ଯ୍ୟକଳାପକୁ ନିଷିଦ୍ଧ କରାଯାଇଛି । ବିଦ୍ୟାଳୟର ସମୟ, ଗ୍ରୀଷ୍ମ ପ୍ରବାହର ଆଗୁଆ ସୂଚନା ଅନୁସାରେ ପରିବର୍ତ୍ତନ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ କେବଳ ସକାଳବେଳା ଖୋଲା ରଖିବା ସହ ପାନୀୟ ଜଳ ବ୍ୟବସ୍ଥା ଓ ଆବଶ୍ୟକ ପରିମାଣର ଓଆରଏସ୍ ପ୍ୟାକେଟ୍ ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କୁ ଯୋଗାଇଦେବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟଗୁଡ଼ିକରେ ଅଂଶୁଘାତ ରୋଗୀମାନଙ୍କର ଚିକିତ୍ସାର ବ୍ୟବସ୍ଥା କରିବା ସହ ଜୀବନ ରକ୍ଷାକାରୀ ଔଷଧ, ସାଲାଇନ୍ ଓ ଓଆରଏସ୍ ମହଜୁଦ୍ ରଖିବାକୁ କୁହାଯାଇଛି । ଜନସାଧାରଣଙ୍କ ମଧ୍ୟରେ ଅଂଶୁଘାତଜନିତ ସଚେତନତା ପାଇଁ ପ୍ରଚାର ବ୍ୟବସ୍ଥା କରିବା ଓ ଜିଲ୍ଲାସ୍ତରୀୟ ମେଡ଼ିକାଲ ଅଫିସର ଓ ଅନ୍ୟ ସମସ୍ତ ମେଡ଼ିକାଲ ଅଫିସରମାନଙ୍କୁ ରାଜ୍ୟର ୩୭୭ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଂଶୁଘାତ ଓ ଗ୍ରୀଷ୍ମପ୍ରବାହଜନିତ ସ୍ୱାସ୍ଥ୍ୟ ପରିଚାଳନା କ୍ଷେତ୍ରରେ ତାଲିମ ଦିଆଯିବ । ଏଥି ପାଇଁ ଓସ୍‌ଡମା ପକ୍ଷରୁ ପାଣ୍ଠି ଯୋଗାଇ ଦିଆଯିବ । ଏ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଓସ୍‌ଡମାକୁ ନିର୍ଦ୍ଦେଶ ଦିଆଯାଇଛି ।
ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଖରା ସମୟରେ ବସ ଚଳାଚଳ ସମୟ ପରିବର୍ତ୍ତନ ସହ ଯାତ୍ରୀମାନଙ୍କ ପାଇଁ ପାନୀୟ ଜଳ, ପ୍ରାଥମିକ ଚିକିତ୍ସା ବାକ୍ସର ବ୍ୟବସ୍ଥା କରିବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ମାଣ ଶ୍ରମିକମାନଙ୍କୁ କାର୍ଯ୍ୟକ୍ଷେତ୍ର ସ୍ଥଳରେ ପାନୀୟ ଜଳ ସହ ଆଶ୍ରୟ ବ୍ୟବସ୍ଥା କରିବା ଓ ଖରା ସମୟରେ ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି କାର୍ଯ୍ୟ ସମୟରେ ପରିବର୍ତ୍ତନ କରିବା ପାଇଁ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମପ୍ରବାହ ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ସଂଚାର ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଜଙ୍ଗଲ ଅଗ୍ନିକୁ ରୋକିବା ଓ ପ୍ରତିହତ କରିବା ପାଇଁ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ବନାଗ୍ନିଦାଉରୁ ବନ୍ୟପ୍ରାଣୀ, ପକ୍ଷୀମାନଙ୍କୁ ରକ୍ଷା କରିବା ପାଇଁ ସ୍ଥାନୀୟ ଗୋଷ୍ଠୀ, ବନ ସୁରକ୍ଷା ସମିତି, ପଞ୍ଚାୟତିରାଜ ସଭ୍ୟ ଓ ସ୍ୱୟଂସହାୟକ ଗୋଷ୍ଠୀଗୁଡ଼ିକୁ ଏଥିରେ ଭାଗୀଦାର କରିବା ସହ ଚିଡ଼ିଆଖାନାଗୁଡ଼ିକୁ ବନ୍ୟପ୍ରାଣୀଙ୍କ ପାଇଁ ପିଇବା ପାଣି ଯୋଗାଇଦେବା ଓ ସହରାଞ୍ଚଳରେ ବନୀକରଣ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି ।
ଥଣ୍ଡାଛାତ କାରିଗରୀ ବିଦ୍ୟାର ପ୍ରସାର ସଂପର୍କରେ ଜନସଚେତନତା ସୃଷ୍ଟି ଓ ଛାତ ଉପରେ ଧଳା ରଙ୍ଗର ଆସ୍ତରଣ ଦେବା ଦ୍ୱାରା ଘର ଭିତର କିପରି ଥଣ୍ଡା ରହିପାରିବ ଓ ରାଜ୍ୟ, ଜିଲ୍ଲାସ୍ତରରୁ ଆରମ୍ଭ କରି ନଗର ଉତ୍ତାପ ଆକ୍ସନ୍ ପ୍ଲାନ୍‌କୁ କିପରି ଉନ୍ନତିକରଣ କରାଯାଇ ରାଜ୍ୟରେ ଗ୍ରୀଷ୍ମପ୍ରବାହଜନିତ ପ୍ରଭାବ ମୁକାବିଲା ପରିଚାଳନା କରାଯାଇପାରିବ ଏ କ୍ଷେତ୍ରରେ ଓସ୍‌ଡମାକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମପ୍ରବାହ ସମୟରେ ଅଂଶୁଘାତ ସମ୍ବନ୍ଧୀୟ ଜୀବନହାନିକୁ ଏଡ଼ାଇବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Related Articles

Leave a Reply

Your email address will not be published.

Back to top button