ଆୟକର, ସିବିଆଇ ଏବଂ ଇଡି ଯୋଗୁଁ ନେତାମାନେ ବିଜେପିରେ ଯୋଗ ଦେଉଛନ୍ତି: ସୁପ୍ରିୟା ସୁଲେ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ବାରାମତୀର ତିନିଥର ସାଂସଦ ସୁପ୍ରିୟା ସୁଲେ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ, ଆଦର୍ଶକୁ ପସନ୍ଦ କରି ବିରୋଧୀ ଦଳର ନେତାମାନେ ବିଜେପିରେ ଯୋଗ ଦେଉନାହାନ୍ତି, ବରଂ “ICE – ଆୟକର, ସିବିଆଇ ଏବଂ ଇଡି କାରଣରୁ ବିଜେପି ରେ ସାମିଲ ହେଉଛନ୍ତି। ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ର ପ୍ରତିଷ୍ଠାତା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ବାରାମତୀ ଲୋକସଭା ନିର୍ବାଚନମଣ୍ଡଳୀରୁ ପୁଣି ଥରେ ନିର୍ବାଚନ ଲଢିବାକୁ ଯାଉଛନ୍ତି। ସେ ୨୦୦୯ ଠାରୁ ଏହି ସଂସଦୀୟ ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି। ବାରମତୀ ହେଉଛି ପାୱାର ପରିବାରର ଗଡ଼। ୧୯୯୬ ରୁ ୨୦୦୯ ପର୍ଯ୍ୟନ୍ତ ଶରଦ ପାୱାର ଏହି ଆସନରୁ ସାଂସଦ ଥିଲେ। ତେବେ ଏହି ନିର୍ବାଚନ ପୂର୍ବ ନିର୍ବାଚନ ଠାରୁ ଭିନ୍ନ। ବର୍ତ୍ତମାନ ଶରଦ ପାୱାରଙ୍କ ଏନସିପି ବିଭାଜିତ ହୋଇଛି। ଗୋଟିଏ ଦଳ ୮୦ ବର୍ଷ ବୟସ୍କ ଶରଦ ପାୱାର ଏବଂ ଅନ୍ୟ ଦଳଟି ତାଙ୍କ ପୁତୁରା ଅଜିତ ପାୱାରଙ୍କ ନେତୃତ୍ୱରେ ଅଛି। ଅଜିତ ପାୱାର ବିଜେପି ଏବଂ ଶିବସେନା ସହ ମିଶି ମହାରାଷ୍ଟ୍ର ସରକାରଙ୍କ ଏକ ଅଂଶ ହୋଇପାରିଛନ୍ତି। ସୁପ୍ରିୟା ସୁଲେ ବର୍ତ୍ତମାନ ଏନସିପି (ଶରଦଚନ୍ଦ୍ର ପାୱାର) ର ପ୍ରାର୍ଥୀ ଭାବରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ସୂଚନାନୁସାରେ, ବାରାମତୀ ନିର୍ବାଚନରେ ​​ଏଥର ପୱାର ବନାମ ପାୱାର ପ୍ରତିଯୋଗିତା ଦେଖିବାକୁ ମିଳିପାରେ। ଏହି ଆସନରେ ସୁପ୍ରିୟା ସୁଲେଙ୍କୁ ତାଙ୍କ ଭାଉଜ ତଥା ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କୁ ସାମ୍ନା କରିବାର ସମ୍ଭାବନା ରହିଛି। ଯେତେବେଳେ ଏ ବିଷୟରେ ପଚରାଗଲା, ସୁପ୍ରିୟା ସୁଲେ ଉତ୍ତର ଦେଇଛନ୍ତି, “ମୁଁ ଜାଣେ ନାହିଁ ମୋ ବିରୁଦ୍ଧରେ କିଏ ପ୍ରତିଦ୍ୱନ୍ଦ୍ୱିତା କରୁଛି। କାରଣ ଏହା ସରକାରୀ ଭାବେ ଘୋଷଣା କରାଯାଇ ନାହିଁ। ଏହା ଘୋଷଣା ହେବା ପରେ ମୁଁ ଆପଣଙ୍କୁ କହିବି।”

Related Articles

Leave a Reply

Your email address will not be published.

Back to top button