ପ୍ରତ୍ୟାହାର ହେବନି ସିଏଏ:ଅମିତ ଶାହା

ନୂଆଦିଲ୍ଲୀ: କୌଣସି ବି ପରିସ୍ଥିତିରେ ନାଗରିକତା ସଂଶୋଧନ ଆଇନ୍ (ସିଏଏ)କୁ ପ୍ରତ୍ୟାହାର କରାଯିବ ନାହିଁ ବୋଲି ଅମିତ ଶାହା ରୋକଠୋକ କହିଛନ୍ତି । ସିଏଏ ସାରା ଦେଶରେ ଲାଗୁ ହୋଇସାରିଛି । ହେଲେ ବିରୋଧୀ କିନ୍ତୁ ଏହାକୁ ନେଇ ସ୍ୱର ଉଠାଇବା ଜାରି ରଖିଛନ୍ତି । ଆଉ ଏହାରି ଭିତରେ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଶାହା କହିଛନ୍ତି, କୌଣସି ବି ପରିସ୍ଥିତିରେ ସିଏଏକୁ ପ୍ରତ୍ୟାହାର କରାଯିବ ନାହିଁ । ବିରୋଧୀଙ୍କୁ ଟାର୍ଗେଟ କରି ଶାହା କହିଛନ୍ତି, ସିଏଏ ଜରିଆରେ ନୂଆ ଭୋଟ୍ ବ୍ୟାଙ୍କ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ବିରୋଧୀ । ଏହା ହିଁ ତାଙ୍କର ଇତିହାସ । ହେଲେ ବିଜେପି, ନରେନ୍ଦ୍ର ମୋଦୀଙ୍କ ସରକାରଙ୍କ ସବୁ ଗ୍ୟାରେଣ୍ଟି ପୂରା ହେଇଛି ଆଉ ଆଗକୁ ହେବ ବୋଲି ଶାହା କହିଛନ୍ତି । ଶାହା କହିଛନ୍ତି, ବିରୋଧୀଙ୍କ ପାଖରେ ଦ୍ୱିତୀୟ କିଛି କାମ ନାହିଁ । ସେମାନେ କହୁଥିଲେ ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ଏୟାରଷ୍ଟ୍ରାଇକ୍ ରାଜନୈତିକ ଲାଭ ପାଇଁ କରାଯାଇଛି । ହେଲେ ଆତଙ୍କବାଦ ବିରୋଧରେ ଆକ୍ସନ ନେବା ଉଚିତ୍ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ଶାହା । ସେହିଭଳି ଧାରା ୩୭୦ ଉଚ୍ଛେଦ କଥା ଉଠାଇ ମଧ୍ୟ ବିରୋଧୀଙ୍କ ଉପରେ କେନ୍ଦ୍ର ଗୃହମନ୍ତ୍ରୀ ବର୍ଷିଛନ୍ତି । ଶାହା କହିଛନ୍ତି, ୧୯୫୦ରୁ ଆମେ କହୁଥିଲୁ, ଧାରା ୩୭୦ ହଟେଇବୁ । ସେମାନେ ଯାହା କୁହନ୍ତି, ତାହା କରନ୍ତିନି । ହେଲେ ଆମେ ଯାହା କହୁ, ସେୟା କରୁ । ଅନ୍ୟପଟେ ସିଏଏକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଇଥିବା ବୟାନକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଶାହା । ସେ କହିଛନ୍ତି ଯେ, ଆଉ ବେଶି ଦିନ ନୁହେଁ, ଖୁବଶୀଘ୍ର ବିଜେପି ପଶ୍ଚିମବଙ୍ଗରେ ମଧ୍ୟ ସରକାରକୁ ଆସିବ । ସେଠାରେ ମଧ୍ୟ ଅନୁପ୍ରବେଶକୁ ରୋକାଯିବ । ରାଷ୍ଟ୍ରୀୟ ସୁରକ୍ଷା ଭଳି ପ୍ରସଙ୍ଗରେ ତୁଷ୍ଟୀକରଣ ରାଜନୀତି କରିବା ଠିକ୍ ନୁହେଁ ବୋଲି ଶାହା କହିଛନ୍ତି । ଶରଣାର୍ଥୀଙ୍କୁ ନାଗରିକତା ଦେବାକୁ ବିରୋଧ କରୁଥିବା ଲୋକଙ୍କୁ ଦେଶବାସୀ ସାଥ୍ ଦେବେନି ବୋଲି ଶାହା କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button