ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନ ମାନଙ୍କରେ ‘ମେରା ପେହଲା ଭୋଟ୍ ଦେଶ କେ ଲିଏ’ ଅଭିଯାନ

ନୂଆଦିଲ୍ଲୀ: ନିର୍ବାଚନରେ ଯୁବ ବର୍ଗଙ୍କ ସାର୍ବଜନୀନ ଭାଗିଦାରୀକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଶିକ୍ଷା ମନ୍ତ୍ରଣାଳୟ ଫେବୃଆରୀ ୨୮ ରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ‘ମେରା ପେହଲା ଭୋଟ୍ ଦେଶ କେ ଲିଏ’ ଅଭିଯାନର ଆୟୋଜନ କରୁଛି। କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ  ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର ଯୁବ ପିଢ଼ିଙ୍କୁ ସେମାନଙ୍କ ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ ଦେଇଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆମର ଯୁବଗୋଷ୍ଠୀ ଏବଂ ପ୍ରଥମ ଥର ପାଇଁ ମତଦାନ କରୁଥିବା ମତଦାତାଙ୍କୁ ଆହ୍ୱାନ ସମ୍ପର୍କରେ ଉଲ୍ଲେଖ କରି ସେମାନେ ବହୁ ସଂଖ୍ୟାରେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବା ପାଇଁ କହିଛନ୍ତି। ଫେବୃଆରୀ ୨୮ ରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଦେଶର ସମସ୍ତ ଏଚ୍‌ଇଆଇ (ଉଚ୍ଚ ଶିକ୍ଷାନୁଷ୍ଠାନ) ଗୁଡ଼ିକୁ ସେମାନଙ୍କ କ୍ୟାମ୍ପସରେ ବ୍ୟାପକ ଭୋଟର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା, ଆମ ଯୁବ ଶକ୍ତିକୁ ଉତ୍ସାହିତ କରିବା, ସେମାନଙ୍କୁ ମତଦାନର ମୂଲ୍ୟ ଉପରେ ଗୁରୁତ୍ୱ ଦେବାକୁ ବୁଝାଇବା, ଭଲ ଭାବରେ ସୂଚିତ ହୋଇ ପ୍ରାର୍ଥୀ ଚୟନ କରିବା ଏବଂ ଅଧିକ ପ୍ରତିନିଧିତ୍ୱପୂର୍ଣ୍ଣ ଗଣତନ୍ତ୍ର ପାଇଁ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିବା ସମ୍ପର୍କରେ ସୂଚନା ଦେଇଥିଲେ। ଯୁବ ଭୋଟର ମାନଙ୍କୁ ଆଗକୁ ଆଗେଇ ଆସି ଭୋଟ୍ ଦେବା ପାଇଁ ଉତ୍ସାହିତ କରିବା ଏବଂ ଦେଶର ବୃହତ୍ତର ମଙ୍ଗଳ ପାଇଁ ମତଦାନର ଗୁରୁତ୍ୱ ଜଣାଇବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଏହି ପଦକ୍ଷେପ ନିର୍ବାଚନର ମହତ୍ତ୍ୱ ଏବଂ ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ମତଦାନର ଗୌରବର ପ୍ରତୀକ। ଏହି ପଦକ୍ଷେପରେ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନ (ଏଚ୍‌ଇଆଇ)ଗୁଡ଼ିକ ଅଂଶଗ୍ରହଣ କରିବେ। ବିଶ୍ୱବିଦ୍ୟାଳୟ/ ମହାବିଦ୍ୟାଳୟ/ ଏଚଇଆଇ ଗୁଡ଼ିକରେ ନିର୍ଦ୍ଦିଷ୍ଟ ସ୍ଥାନମାନ ଚିହ୍ନଟ କରାଯିବ ଯେଉଁଠାରେ ସମ୍ପୃକ୍ତ ଅନୁଷ୍ଠାନଙ୍କ ଦ୍ୱାରା ଭୋଟର ସଚେତନତା ସମ୍ପର୍କିତ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏହି ପଦକ୍ଷେପ ମାଇଁ ଗଭ ପ୍ଲାଟଫର୍ମରେ ଉଭୟ ତୃଣମୂଳ ସ୍ତରରେ ଆୟୋଜିତ କାର୍ଯ୍ୟକ୍ରମ ଏବଂ ଅନଲାଇନ ପ୍ରତିଯୋଗିତାର ସାକ୍ଷୀ ରହିବ। ବିଷୟବସ୍ତୁ ସୃଷ୍ଟି କରିବାରେ ସେମାନଙ୍କର ସୃଜନଶୀଳତାକୁ ପ୍ରଦର୍ଶନ କରିବା ପାଇଁ ବ୍ଲଗ୍ ଲିଖନ, ପଡକାଷ୍ଟ, ବିତର୍କ, ପ୍ରବନ୍ଧ ଲେଖିବା, କୁଇଜ୍‌, ଏକ୍ସଟେମ୍ପୋର, ବ୍ୟାଟେଲ୍ ଅଫ୍ ବ୍ୟାଣ୍ଡ୍ ଇତ୍ୟାଦି ପ୍ରତିଯୋଗିତା ସମେତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମତଦାନର ମୂଲ୍ୟ, ନିର୍ବାଚନ ପ୍ରକ୍ରିୟାକୁ ବୁଝିବା ଇତ୍ୟାଦି ଉପରେ ଗୁରୁତ୍ୱାରୋପ କରି ଆଲୋଚନାଚକ୍ର ଓ ସେମିନାର ଆୟୋଜନ କରାଯିବ। ଏହା ବ୍ୟତୀତ ନିର୍ବାଚନ ପ୍ରକ୍ରିୟା ପ୍ରତି ନିଜର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିବା ପାଇଁ  ସରକାରୀ ୱେବସାଇଟ https://ecisveep.nic.in/pledge/ ରେ ଭୋଟରଙ୍କୁ ଶପଥ ନେବାକୁ ଯୁବ ପିଢ଼ିଙ୍କୁ ଏହି ଅଭିଯାନ ପ୍ରୋତ୍ସାହିତ କରିବ। ସେମାନଙ୍କୁ ଭୋଟର ହେଲ୍ପଲାଇନ ଆପ୍ ଡାଉନଲୋଡ୍ କରିବାକୁ ମଧ୍ୟ ପ୍ରୋତ୍ସାହିତ କରାଯିବ। ଏନ୍‌ଏସ୍‌ଏସ୍ ଏବଂ ଏହାର ସ୍ୱେଚ୍ଛାସେବୀମାନେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେବେ ଏବଂ ବ୍ୟାପକ ପ୍ରଚାର ପ୍ରସାର ପାଇଁ ‘ମାଇଁ ଗଭ’ ପୋର୍ଟାଲରେ କାର୍ଯ୍ୟକଳାପ ଗୁଡ଼ିକର ନଥିକରଣ କରାଯିବ। ଏହି ଅଭିଯାନରେ ଶିକ୍ଷାନୁଷ୍ଠାନ କ୍ଲବ୍ ଗୁଡ଼ିକ ମଧ୍ୟ ଅଂଶଗ୍ରହଣ କରିବେ।

Related Articles

Leave a Reply

Your email address will not be published.

Back to top button