ଗୋଳାବାରୁଦ କାରଖାନାରେ ବିସ୍ଫୋରଣ

ଭୁବନେଶ୍ବର: ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ବଡ଼ମାଳସ୍ଥିତ ଗୋଳାବାରୁଦ କାରଖାନାରେ ରବିବାର ସନ୍ଧ୍ୟା ସମୟରେ ବିସ୍ଫୋରଣ ଘଟିଛି। କାରଖାନା ଜନସମ୍ପର୍କ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସନ୍ଧ୍ୟା ପ୍ରାୟ ୬ଟା୩୦ରେ କାରଖାନା ୧୨ନମ୍ବର ୟୁନିଟର ମାଗାଜିନ ବିଲ୍‌ଡିଂରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ମାତ୍ରା ଏତେ ଭୟଙ୍କର ଥିଲା ଯେ, ପ୍ରାୟ ୨୦ କିଲୋମିଟର ଦୂର ପର୍ଯ୍ୟନ୍ତ ନିଆଁହୁଳା ଦେଖାଯାଇଥିଲା। ଏହି ଘଟଣା ପରେ କାରଖାନା ପରିସରରେ ରହୁଥିବା କର୍ମଚାରୀ ଏବଂ ନିକଟସ୍ଥ ଗାଁ ଲୋକେ ଭୟଭୀତ ହୋଇ ଘରୁ ପଦାକୁ ବାହାରି ଆସିଥିଲେ। ରବିବାର ହୋଇଥିବାରୁ କାରଖାନାର କୌଣସି କର୍ମଚାରୀ ଉକ୍ତ ଅଞ୍ଚଳରେ ନଥିବାରୁ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା କୁହାଯାଉଛି। ଉକ୍ତ ମାଗାଜିନ ବିଲ୍‌ଡିଂ ଆବଶ୍ୟକ ସମୟରେ ଖୋଲା ଯାଇଥାଏ। ତେବେ କେଉଁ କାରଣରୁ ଏଠାରେ ଅଗ୍ନିକାଣ୍ଡ ଘଟିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏବେ ସେଇ ଅଞ୍ଚଳ ସମ୍ପୂର୍ଣ୍ଣ ଅନ୍ଧକାର ହୋଇଥିବାରୁ କ୍ଷୟକ୍ଷତିର ଆକଳନ କରାଯାଇ ପାରି ନ ଥିବା ଜନସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି। ପୂର୍ବରୁ ୨୦୦୭ ମସିହାରେ ଏଭଳି ଏକ ବିସ୍ଫୋରଣ କାରଖାନାରେ ଘଟିଥିଲା। ସେତେବେଳେ ନିଆଁକୁ ଆୟତ୍ତ କରିବା ପାଇଁ ଦମକଳ ବାହିନୀକୁ ଦୀର୍ଘ ୮ଘଣ୍ଟା ପରିଶ୍ରମ କରିବାକୁ ପଡ଼ିଥିଲା ।

Related Articles

Leave a Reply

Your email address will not be published.

Back to top button