ରାଜ୍ୟର ବିଭିନ୍ନ ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜିତ

ଭୁବନେଶ୍ୱରରାଜ୍ୟର ବିଭିନ୍ନ ଆଦିବାସୀ ବହୁଳ ଜିଲ୍ଲାର ଗ୍ରାମାଞ୍ଚଳ ଏବଂ ସହରାଞ୍ଚରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି ରହିଛି। ଆଜି ସୁନ୍ଦରଗଡ଼ ଜିଲ୍ଲାର ଚେଙ୍ଗିଝରଣ ଓ ବିରିଙ୍ଗଝର ଗ୍ରାମରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜନ କରାଯାଇଥିଲା। ଗାଁରେ ସଚେତନତା ବାହନ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ଏହାକୁ ପାରମ୍ପରିକ ଢଙ୍ଗରେ ସ୍ୱାଗତ କରିଥିଲେ। ସଂକଳ୍ପ ଯାତ୍ରା ବାହନରେ ଲାଗିଥିବା ଏଲ୍‌ଇଡି ସ୍କ୍ରିନରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ବାର୍ତ୍ତା ପ୍ରସାରଣ କରାଯାଇଥିଲା। ଯାତ୍ରା ରହଣୀସ୍ଥଳରେ ହିତାଧିକାରୀମାନେ ସେମାନଙ୍କର  ପଞ୍ଜୀକରଣ କରିବା ସହିତ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେଇଥିଲେ। ଅନୁରୂପ ଭାବେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜନ କରାଯାଇଥିଲା। ସ୍ଥାନୀୟ ଜନପ୍ରତିନିଧି ଏବଂ ସରକାରୀ ଯୋଜନାର ହିତାଧିକାରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ରେ ମଧ୍ୟ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜନ କରାଯାଇଥିଲା। ଯାତ୍ରାରେ ସ୍ଥାନୀୟ ଜନସମୁଦାୟ ବେଶ୍‌ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ସେହିପରି ମୟୂରଭଞ୍ଜ ଜିଲ୍ଲା କୁଲେଇଶିଳା ଓ ବଡ଼ମଉଦାରେ ମଧ୍ୟ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସବୁ ସ୍ଥାନରେ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସଂକଳ୍ପ ଯାତ୍ରାର ସଚେତନତା ରଥ ପହଞ୍ଚିବା ପରେ ସ୍ଥାନୀୟ ମହିଳାମାନେ ପୂଜାର୍ଚ୍ଚନା କରି ଏହାକୁ ପାରମ୍ପରିକ ଢଙ୍ଗରେ ସ୍ୱାଗତ କରିଥିବା ଦେଖାଯାଇଛି। ଯାତ୍ରା କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ପ୍ରଚାରପ୍ରସାର କରାଯାଇଛି। ଏଥିରେ ବିଭିନ୍ନ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ପଞ୍ଜୀକରଣ କରାଯାଇଥିବା ବେଳେ ପୁରୁଣା ହିତାଧିକାରୀମାନେ କେନ୍ଦ୍ରୀୟ ଯୋଜନାର ସୁଫଳକୁ ନେଇ ନିଜର ଅନୁଭୂତି ବଖାଣିଛନ୍ତି। ବିଶେଷ କରି ମାଗଣା ଗ୍ୟାସ ସଂଯୋଗ ପାଇଥିବା ଉଜ୍ଜ୍ୱଳା ଯୋଜନାର ମହିଳା ହିତାଧିକାରୀମାନେ ସେମାନଙ୍କ ଅନୁଭୂତି ପ୍ରକାଶ କରିବା ସହିତ ଏଥିପାଇଁ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି। କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଯାତ୍ରା ରହଣୀ ସ୍ଥଳରେ ସ୍ବାସ୍ଥ୍ୟ ଶିବିର ଏବଂ କେନ୍ଦ୍ରୀୟ ଯୋଜନାର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା।

Related Articles

Leave a Reply

Your email address will not be published.

Back to top button