ପରଲୋକରେ ବରିଷ୍ଠ ଅଭିନେତା ଚକ୍ରଧର ଜେନା

ଭୁବନେଶ୍ୱର: ପରଲୋକରେ ବରିଷ୍ଠ ଅଭିନେତା ଚକ୍ରଧର ଜେନା । କଳାଜଗତରେ ସେ ସମସ୍ତଙ୍କର ପ୍ରିୟ ଚକରା ଭାଇ ଭାବେ ପରିଚିତ ଥିଲେ । ଏମ୍ସରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ହେବ ଫୁସଫୁସ ଜନିତ ରୋଗ ସହ ମଧୁମେହ ପୀଡିତ ଥିବାବେଳେ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ତାଙ୍କର ଦେହାନ୍ତ ହୋଇଛି । ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କ ମୃତ୍ୟୁକୁ ନେଇ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ଚକ୍ରଧର ଜେନା ଜଣେ ସୁପରିଚିତ କଳାକାର ଥିଲେ । ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । କେବଳ ଓଡ଼ିଆ ସିନେମା ନୁହେଁ ବଲିଉଡ୍ ଓ ହଲିଉଡ୍‌ରେ ବି ସେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି । ଓଡ଼ିଆ ମଞ୍ଚ ନାଟକ, ଧାରାବାହିକ, ଚଳଚ୍ଚିତ୍ର ସହ ହିନ୍ଦୀ ଚଳଚ୍ଚିତ୍ର, ଧାରାବାହିକ, ଏପରିକି ଇଂରାଜୀ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ ତାଙ୍କୁ ଦେଇଥିଲା ସ୍ୱତନ୍ତ୍ର ପରିଚୟ । ଗରୀବ ପରିବାରରେ ଅଭାବ ଅନଟନ ଭିତରେ ମଧ୍ୟ କଳା ପ୍ରତି ସେ ଜୀବନକୁ ସମର୍ପି ଦେଇଥିଲେ । ଜଣେ ଭଲ କଳାକାର ଭାବେ ନିଜକୁ ଗଢ଼ି ତୋଳିବାକୁ ନୂଆଦିଲ୍ଲୀ ସ୍ଥିତ ଜାତୀୟ ନାଟ୍ୟ ବିଦ୍ୟାଳୟ (ଏନ୍‌ଏସ୍‌ଡି)ରେ ପଢ଼ିଥିଲେ । ୧୯୮୩ ମସିହାରେ ଏନ୍‌ଏସ୍‌ଡିରୁ ପାସ୍‌ କରିବା ପରେ ଅଭିନୟ ଜଗତରେ ପାଦ ରଖିଥିଲେ । ଚକ୍ରଧର ଜେନା ଦୁଇଟି ହଲିଉଡ଼ ସିନେମାରେ ଅଭିନୟ କରିଥିଲେ । ଗୋଟିଏ ହେଲା ‘ସିଟି ଅଫ୍ ଜୟ’ ଅନ୍ୟଟି ‘ଇଲେକ୍ଟ୍ରିକ୍ ମୁନ’ରେ ଅଭିନୟ କରି ଓଡ଼ିଆଙ୍କ ପାଇଁ ଗର୍ବର କାରଣ ପାଲଟିଥିଲେ । ସେ ‘ସିଟି ଅଫ୍‌ ଜୟ’ରେ ମେହବୁବ୍‌ ନାମକ ଏକ ମୁସଲମାନ ଚରିତ୍ରରେ ଅଭିନୟ କରିଥିଲେ । ସେହିପରି ହିନ୍ଦୀରେ ପ୍ରଶାନ୍ତ ନନ୍ଦଙ୍କ ସିରିଏଲ ଅନ୍ତର୍ଦାହରେ ମଧ୍ୟ ଅଭିନୟ କରିଥିଲେ । ପଥର ଖସିଲା ବଡ଼ ଦେଉଳୁ ଥିଲା ତାଙ୍କର ପ୍ରଥମ ଓଡ଼ିଆ ସିନେମା । ଏହାପରେ ସେ ଏକାଧିକ ଓଡ଼ିଆ ସିନେମା ଓ ଧାରାବାହିକରେ ଅଭିନୟ କରିଥିଲେ । ବିଶେଷ କରି ଖଳନାୟକ ଭୂମିକାରେ ତାଙ୍କୁ ଅଧିକ ଦେଖିବାକୁ ମିଳୁଥିଲା । କେବଳ ଖଳନାୟକ ନୁହେଁ, ଚରିତ୍ର ଅଭିନୟ ସହ ଅନ୍ୟ ଭୂମିକାରେ ଅଭିନୟ କରି ସେ ଓଡ଼ିଆ ଦର୍ଶକଙ୍କର ପ୍ରିୟ ହୋଇଥିଲେ । ଜଣେ ଭଲ କଳାକାର ହେବା ସହିତ ସେ ଜଣେ ଭଲ ମଣିଷ ଭାବେ ସମସ୍ତଙ୍କ ପ୍ରିୟ ଥିଲେ । ତାଙ୍କ ଅଭିନୟ ସଭିଁଙ୍କ ମନରେ ଏକ ସ୍ୱତନ୍ତ୍ର ଛାପ ଛାଡି ଯାଇଛି । ତାଙ୍କ ବିୟୋଗରେ ଓଡ଼ିଆ ସିନେମାର ଅପୂରଣୀୟ କ୍ଷତି ହୋଇଛି ।

Related Articles

Leave a Reply

Your email address will not be published.

Back to top button