ଲୋକସଭା ନିର୍ବାଚନ ପୂର୍ବରୁ ସାରାଦେଶରେ ଲାଗୁ ହେବ ସିଏଏ: ଅମିତ ଶାହା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ବଡ଼ ଘୋଷଣା କରିଛନ୍ତି। ନିର୍ବାଚନ ପୂର୍ବରୁ ସିଏଏକୁ ସମଗ୍ର ଦେଶରେ ଲାଗୁ କରାଯିବ ବୋଲି ଅମିତ ଶାହା କହିଛନ୍ତି। ଅମିତ ଶାହ କହିଛନ୍ତି ଯେ ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ସିଏଏ କୌଣସି ବ୍ୟକ୍ତିଙ୍କ ନାଗରିକତା ଛଡ଼ାଇ ନେବ ନାହିଁ। ବିରୋଧୀମାନେ ମୁସଲମାନମାନଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ନିର୍ବାଚନ ପୂର୍ବରୁ ସିଏଏ ଲାଗୁ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସେ କହିଛନ୍ତି। ଗତ ଡିସେମ୍ବର ମାସରେ ବେଙ୍ଗଲ ଗସ୍ତ ସମୟରେ ଶାହା ଦାବି କରିଥିଲେ ଯେ ସିଏଏ ର କାର୍ଯ୍ୟକାରିତାକୁ କେହି ଅଟକାଇ ପାରିବେ ନାହିଁ। କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, ଆମେ ଧାରା ୩୭୦ (ସମ୍ବିଧାନର ଯାହା ତତ୍କାଳୀନ ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଇଥିଲା) ଉଚ୍ଛେଦ କରିଛୁ, ତେଣୁ ଆମେ ନିଶ୍ଚିତ ଯେ ଦେଶର ଜନତା ୩୭୦ ଆସନରେ ବିଜେପି ଏବଂ ୪୦୦ରୁ ଅଧିକ ଆସନରେ ଏନଡିଏକୁ ବିଜୟୀ କରାଇ ଆଶୀର୍ବାଦ ଦେବେ। ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ତୁଷ୍ଟୀକରଣ ରାଜନୀତି ଏବଂ ଆଇନ ଶୃଙ୍ଖଳା କାରଣରୁ ରାମ ମନ୍ଦିର ନିର୍ମାଣ କରିବାକୁ ଅନୁମତି ଦିଆଯାଇନଥିଲା। ଶାହା କହିଛନ୍ତି ଯେ ଲୋକସଭା ନିର୍ବାଚନ ଫଳାଫଳକୁ ନେଇ କୌଣସି ସନ୍ଦେହ ନାହିଁ ଏବଂ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳମାନେ ମଧ୍ୟ ଅନୁଭବ କରିଛନ୍ତି ଯେ ସେମାନଙ୍କୁ ପୁଣିଥରେ ବିରୋଧୀ ଦଳରେ ବସିବାକୁ ପଡ଼ିବ। ଶାହ କହିଛନ୍ତି ଯେ ୨୦୨୪ ନିର୍ବାଚନ ଏନଡିଏ ଏବଂ ବିରୋଧୀ ଇଣ୍ଡି ମେଣ୍ଟ ମଧ୍ୟରେ ନୁହେଁ, ବରଂ ବିକାଶ ଏବଂ କେବଳ ସ୍ଲୋଗାନ ଦେଇଥିବା ଲୋକଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା ସମ୍ପର୍କରେ ପଚରାଯିବାରୁ ସେ କହିଛନ୍ତି ଯେ ନେହେରୁ-ଗାନ୍ଧୀ ବଂଶଧରଙ୍କର ଏଭଳି ଯାତ୍ରା କରିବାର କୌଣସି ଅଧିକାର ନାହିଁ କାରଣ ୧୯୪୭ରେ ଦେଶ ବିଭାଜନ ପାଇଁ ତାଙ୍କ ଦଳ ଦାୟୀ ଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button