ରାଜ୍ୟରେ ୩ ଗୁଣା ବୃଦ୍ଧି ପାଇଛି ଅବକାରୀ ରାଜସ୍ୱ ଆଦାୟ

ଭୁବନେଶ୍ୱର: ଗତ ୧୦ ବର୍ଷ ଭିତରେ ରାଜ୍ୟରେ ୩ ଗୁଣା ବୃଦ୍ଧି ପାଇଛି ଅବକାରୀ ରାଜସ୍ୱ ଆଦାୟ । ସେହିପରି ୨୦୨୨-୨୩ ବର୍ଷରେ ରାଜ୍ୟରୁ ୬୩ କୋଟି ୪୫ ଲକ୍ଷ ଟଙ୍କାର ଚୋରା ନିଶା ଦ୍ରବ୍ୟ ଜବତ କରାଯାଇଛି ବୋଲି ବିଧାନସଭା ପ୍ରଶ୍ନୋତ୍ତରରେ ମଙ୍ଗଳବାର ଅବକାରୀ ମନ୍ତ୍ରୀ ତଥ୍ୟ ରଖିଛନ୍ତି । ବିଧାନସଭାରେ ଅବକାରୀ ମନ୍ତ୍ରୀଙ୍କୁ ବିଜେପି ବିଧାୟିକା କୁସୁମ ଟେଟେ ପ୍ରଶ୍ନ କରିଥିଲେ ଯେ, ୨୦୧୦-୧୧ରେ ରାଜ୍ୟରେ କେତେ ଅବକାରୀ ରାଜସ୍ୱ ଥିଲା? ଏବଂ ୨୦୨୨-୨୩ରେ ଏହା କେତେ ଅଛି? ଏହାର ଉତ୍ତର ରଖି ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଛନ୍ତି ଯେ, ୨୦୧୦-୧୧ରେ ରାଜ୍ୟର ଅବକାରୀ ରାଜସ୍ୱ ଥିଲା ୧୦୯୪.୩୮ କୋଟି । ଯାହାକି ୨୦୨୨-୨୩ ବେଳକୁ ବୃଦ୍ଧି ପାଇଁ ୬୪୫୫.୦୬ କୋଟିରେ ପହଞ୍ଚିଛି । ମିଳିଥିବା ତଥ୍ୟ ମୁତାବକ, ଗତ ୧୦ ବର୍ଷ ଭିତରେ ରାଜ୍ୟରେ ଅବକାରୀ ରାଜସ୍ୟ ୩ ଗୁଣା ବୃଦ୍ଧି ପାଇଛି ।୨୦୧୩-୧୪ ଆର୍ଥିକ ବର୍ଷରେ ରାଜ୍ୟରୁ ମୋଟ ୧୭୮୦.୨୯ କୋଟି ଟଙ୍କାର ଅବକାରୀ ରାଜସ୍ୱ ଆଦାୟ କରାଯାଇଥିଲା । ଏହାପରେ ୨୦୧୪-୧୫କୁ ଏହା ୨୦୩୮.୭୯ କୋଟିରେ ପହଞ୍ଚିଥିଲା । ସେବେଠୁ ପ୍ରତିବର୍ଷ ରାଜ୍ୟର ଅବକାରୀ ରାଜସ୍ୱ ବୃଦ୍ଧି ପାଇବାରେ ଲାଗିଛି । ଗତ ଆର୍ଥିକ ବର୍ଷରେ ରାଜ୍ୟରୁ ମୋଟ ୬୪୫୫.୦୬ କୋଟିର ଅବକାରୀ ରାଜସ୍ୱ ଆଦାୟ ହେଇଥିବାବେଳେ, ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ କେବଳ ୪୮୯୭.୭୪ କୋଟି ଅବକାରୀ ରାଜସ୍ୱ ଆଦାୟ ହେଇସାରିଲାଣି । ଅନୁମାନ କରାଯାଉଛି ଯେ, ଏବର୍ଷ ଅବକାରୀ ରାଜସ୍ୱ ଗତ ବର୍ଷର ଆୟକୁ ମଧ୍ୟ ଟପିଯିବ । ସେପଟେ ବିଧାୟକ ନାଉରୀ ନାୟକଙ୍କ ପ୍ରଶ୍ନର ଉତ୍ତର ରଖି ଅବକାରୀ ମନ୍ତ୍ରୀ ଯାହା ତଥ୍ୟ ରଖିଛନ୍ତି, ତାହା ଆଶ୍ଚର୍ୟ୍ୟଜନକ । ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟରୁ ମୋଟ ୬୩ କୋଟି ୪୫ ଲକ୍ଷ ଟଙ୍କାର ଚୋରା ନିିଶାଦ୍ରବ୍ୟ ଜବତ କରିଛି ବିଭାଗ । ଏହା ମଧ୍ୟରେ ୩୧ କେଜି ୭୯୬ ଗ୍ରାମ ବ୍ରାଉନସୁଗାର ରହିଥିବାବେଳେ, ୪୨ ହଜାର ୨୫୪ କେଜି ଗଞ୍ଜେଇ, ୧୯୫୯ କେଜି ଅଫିମ ଏବଂ ୭ ହଜାର ୩୩୫ ଲିଟର କଫ୍ ସିରପ୍ ରହିଛି ।

Related Articles

Leave a Reply

Your email address will not be published.

Back to top button