ସବୁ ଅଞ୍ଚଳର ବିକାଶ ଓ ସବୁ ବର୍ଗଙ୍କୁ ସଶକ୍ତ ପାଇଁ ସରକାର ସଂକଳ୍ପବଦ୍ଧ: ରାଜ୍ୟପାଳ

ଭୁବନେଶ୍ୱର: ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ । ଓଡ଼ିଶାର ମୁଣ୍ଡପିଛା ଆୟ ବଢ଼ିଛି । ବେକାର ସମସ୍ୟା ହାର ହ୍ରାସ ପାଇ ୬.୨%ରେ ସୀମିତ ରହିଛି । ରାଜ୍ୟର ସମସ୍ତ ଅଞ୍ଚଳର ବିକାଶ ଓ ସବୁ ବର୍ଗଙ୍କୁ ସଶକ୍ତ କରିବା ନିମନ୍ତେ ସଂକଳ୍ପବଦ୍ଧ । ମୋ ସରକାର ଭିଜନ-୨୦୨୫ର ସଫଳ ରୂପାୟନ ପାଇଁ ଖସଡ଼ା ପ୍ରସ୍ତୁତ କରିଛନ୍ତି । ଏଭଳି ଭାବେ ଓଡ଼ିଶା ସରକାରଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ରାଜ୍ୟପାଳ ରଘୁବର ଦାସ ।
ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ବିଧାନସଭା ଅଧିବେଶନ ସୋମବାର ଠାରୁ ଆରମ୍ଭ ହୋଇଛି । ରାଜ୍ୟପାଳ ପ୍ରଥମେ ଅଭିଭାଷଣ ଦେଇ ସମସ୍ତ ସଦସ୍ୟଙ୍କୁ ନୂଆବର୍ଷର ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ଦିବଙ୍ଗତ ସଦସ୍ୟ ଓ ସହିଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଜନକଲ୍ୟାଣ କାର୍ଯ୍ୟକ୍ରମକୁ ସାଧୁବାଦ ଜଣାଇ ରାଜ୍ୟପାଳ କହିଛନ୍ତି ଯେ ପ୍ରାଚୀନ ମନ୍ଦିର ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ ଉପରେ ସରକାର ସର୍ବଦା ଗୁରୁତ୍ୱ ଦେଇଛନ୍ତି । ଶ୍ରୀକ୍ଷେତ୍ର ପୁରୀରେ ୮୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଜାନୁଆରୀ ୧୭ରେ ଲୋକାର୍ପିତ ହୋଇଛି । ଶ୍ରୀମନ୍ଦିର ଠାରୁ ୭୫ ମିଟର ଯାଏଁ ହୋଇଥିବା ପରିକ୍ରମା ପ୍ରକଳ୍ପ ଦ୍ୱାରା ଭକ୍ତମାନେ ଆଧ୍ୟାତ୍ମିକ ଅନୁଭୂତି ହାସଲ କରୁଛନ୍ତି । ଏହି ପ୍ରକଳ୍ପ ରାଜ୍ୟ ତଥା ଦେଶ ବିଦେଶରୁ ଆସୁଥିବା ଭକ୍ତଙ୍କ ଲାଗି ସାମଗ୍ରିକ ଆତ୍ମିକ ଉପଲବ୍ଧୀ ସହ ପରିଭ୍ରମଣର ସୁବିଧା ପ୍ରଦାନ କରିଛି । ଶ୍ରୀମନ୍ଦିର ଐତିହ୍ୟ କରିଡର ଶ୍ରୀମନ୍ଦିର, ନୀଳଚକ୍ର ଓ ମେଘନାଦ ପାଚେରୀ ଦର୍ଶନରେ ଶ୍ରଦ୍ଧାଳୁ, ତୀର୍ଥଯାତ୍ରୀ ଏବଂ ଦର୍ଶନାର୍ଥୀଙ୍କ ଆତ୍ମାତ୍ମିକ ଅନୁଭବ ବୃଦ୍ଧି କରିଛି । ପୁରୀକୁ ଗମନାଗମନ ସୁବିଧା ଲାଗି ସରକାର ଜଗନ୍ନାଥ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ରାଜ୍ୟ ସରକାର ମା’ ସମଲେଇ ପ୍ରକଳ୍ପକୁ ମଧ୍ୟ ଲୋକାର୍ପିତ କରିଛନ୍ତି । ୨୦୦ କୋଟି ଟଙ୍କା ଖର୍ଚ୍ଚରେ ପଶ୍ଚିମ ଓଡ଼ିଶାର ପ୍ରତିଷ୍ଠିତ ମନ୍ଦିର ମା’ ସମଲେଇ ମନ୍ଦିରର ନବକଳେବର କରିଥିବାରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ସେହିପରି ୨୮୦ କୋଟି ଟଙ୍କାର ଏକାମ୍ର ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ଏଥିରେ ପ୍ରଭୁ ଲିଙ୍ଗରାଜ ମନ୍ଦିରର ଚତୁପାର୍ଶ୍ୱର ଉନ୍ନତିକରଣ କାର୍ଯ୍ୟ ଚାଲିଛି ।
ରାଜ୍ୟପାଳ କହିଛନ୍ତି ଯେ ଗ୍ରାମୀଣ ଓଡ଼ିଶାର ଦ୍ରୁତ ବିକାଶ ଓ ଗ୍ରାମାଞ୍ଚଳର ଅଭିବୃଦ୍ଧି ପାଇଁ ବିକାଶମୂଳକ ପଦକ୍ଷେପ ନେଇଛନ୍ତି ମୋ ସରକାର । ଏହାଦ୍ୱାରା ଗ୍ରାମୀଣ ବିକାଶ ସହ ଇଣ୍ଟରନେଟ ସୁବିଧା, ଡିଜିଟାଲ ସୁବିଧା, ସଂସ୍କୃତିର ପ୍ରଚାର ପ୍ରସାର ଓ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ ସମର୍ଥ ହୋଇଛି । ‘୫-ଟି’ ଓ ‘ମୋ ସରକାର’ ଉପକ୍ରମ ରୂପାନ୍ତରିତ ପ୍ରଶାସନିକ ବ୍ୟବସ୍ଥାର ଏକ ନୂତନ ଯୁଗ ଆରମ୍ଭ ହୋଇଛି । ସରକାରଙ୍କ ବିଭିନ୍ନ ପଦକ୍ଷେପ ଓ କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରାଇ ଲୋକଙ୍କ ଅଧିକ ନିକଟତର ହୋଇପାରିଛି । ‘ନୂଆ ଓ’ ପାଇଁ ମୋ ସରକାରଙ୍କ ଉଦ୍ୟମ ଅଭିନନ୍ଦନୀୟ । ଯୁବ ସମ୍ପୃକ୍ତିକରଣ ଏବଂ ସଶକ୍ତୀକରଣ ଲାଗି ସରକାରଙ୍କ ନୂଆ-ଓ କାର୍ଯ୍ୟକ୍ରମ ଏକ ଯୁଗାନ୍ତକାରୀ ଅଭିଯାନ । ଓଡ଼ିଆ ଭାଷାର ପ୍ରଚାର, ପ୍ରସାର, ସମୃଦ୍ଧି, ସଂରକ୍ଷଣ ଓ ଉନ୍ନତି ସାଧନ ଲାଗି ସରକାରଙ୍କ ପ୍ରଥମ ଓଡ଼ିଆ ବିଶ୍ୱ ଭାଷା ସମ୍ମିଳନୀ-୨୦୨୪ ଆୟୋଜନ ଏକ ପ୍ରକୃଷ୍ଣ ଉଦ୍ୟମ । ଉତ୍କଳମଣି ଗୋପବନ୍ଧୁଙ୍କୁ କର୍ମଭୂମି ସତ୍ୟବାଦୀ ଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସରକାରଙ୍କ ପ୍ରଶଂସନୀୟ ପଦକ୍ଷେପ ।
ରାଜ୍ୟପାଳ କହିଛନ୍ତି ଯେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ରାଜ୍ୟର ସମଗ୍ର ମୂଲ୍ୟବୃଦ୍ଧି କ୍ଷେତ୍ରରେ ୨୨.୫% ଯୋଗଦାନ ଥିଲା । କୃଷିକ୍ଷେତ୍ର ମୋଟ୍ ଶ୍ରମ ଶକ୍ତିର ପ୍ରାୟ ୪୫. ୮୦% ନିଯୁକ୍ତି ପ୍ରଦାନ କରି ସର୍ବାଧିକ କର୍ମଯୋଗାଣ କରିପାରିଛି । ଚଳିତ ଆର୍ôଥକ ବର୍ଷରେ ରାଜ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ ୧୪୧. ୩୬ ଲକ୍ଷ ମେଟ୍ରିକ ଟନ୍‌ରେ ପହଞ୍ଚିଛି । ଧାନ ଉତ୍ପାଦନ ହେକ୍ଟର ପିଛା ସର୍ବକାଳୀନ ସର୍ବୋଚ୍ଚ ୨ ହଜାର ୯୩୬ କେଜିରେ ପହଞ୍ଚିଛି । ସଫଳତାର ସହ କୃଷି ସମ୍ମିଳନୀ ଆୟୋଜନ ହୋଇଛି । କାଳିଆ ଯୋଜନା ମାଧ୍ୟମରେ ୬୦ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଇଛି । ୩୧୪ ବ୍ଲକରେ ୩୧୪ଟି ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ୟୁନିଟ ମାଧ୍ୟମରେ ପ୍ରାଣୀଧନ ପଶୁପାଳକଙ୍କ ଘରେ ମିଳୁଛି ପ୍ରାଣୀ ଚିକିତ୍ସା ସେବା । ରାଜ୍ୟରେ ମତ୍ସ୍ୟ ଉତ୍ପାତନ ୧୦.୫୨ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇଛି । ଜଳସେଚନ ଭିତ୍ତିଭୂମି ନିର୍ମାଣକୁ ଗୁରୁତ୍ୱ ଦେଇଛନ୍ତି ମୋ ସରକାର । ଜଳ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଚତୁର୍ଥ ଜାତୀୟ ଜଳ ପୁରସ୍କାର ମିଳିଛି । ଭାରତୀୟ କୃଷି ଗବେଷଣା ପରିଷଦ ପକ୍ଷରୁ ଓଡ଼ିଶାକୁ ସର୍ବଶ୍ରେଷ୍ଠ ମିଲେଟସ ପ୍ରୋତ୍ସାହନକାରୀ ରାଜ୍ୟ ଭାବେ ପୋଷକ ଅନାଜ ଆୱାର୍ଡ଼ରେ ସମ୍ମାନିତ କରାଯାଇଛି । ସେହିପରି ‘ଓଡ଼ିଶା ମିଲେଟ୍ସ ମିଶନ’ ଆରମ୍ଭ କରିବାରେ ଦେଶରେ ଅଗ୍ରଣୀ ରାଜ୍ୟ ହୋଇଛି ଓଡ଼ିଶା । ‘କ୍ଷେତରୁ ଖାଇବା ଥାଳି ପର୍ଯ୍ୟନ୍ତ’ ଅଧିକ ପୌଷ୍ଟିକ ତତ୍ତ୍ୱ ଯୋଗାଇ ଦେଉଥିବା ଏହି ପୁଷ୍ଟିଶସ୍ରର ଉପାଦେୟତା ଏହାର ବୃଦ୍ଧି ପାଇଁ ଆମ ରଣନୀତିରେ ପରିବର୍ତ୍ତନ ଆସିଛି । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ୧୧୩ ଲକ୍ଷରୁ ଅଧିକ ରାସନକାର୍ଡ଼ଧାରୀଙ୍କୁ ୧ ଟଙ୍କାରେ ୪ ଲକ୍ଷ କ୍ୱିଣ୍ଟାଲ ମାଣ୍ଡିଆ ଯୋଗାଇ ଦିଆଯାଇଛି । ୨୦୨୩-୨୪ରେ ୧୫.୧୩ କୋଟି କର୍ମଦିବସ ସୃଷ୍ଟି କରାଯାଇ ୩୦.୬୯ ଲକ୍ଷ ପରିବାରକୁ ରୋଜଗାର ଦିଆଯାଇଛି । ରାଜ୍ୟପାଳ କହିଛନ୍ତି ଯେ ନୂତନ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ କରାଯାଇଛି । ୧୭୬୮ କୋଟି ବ୍ୟୟରେ ୧୫ଟି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀର ବିକାଶ ହୋଇଛି । ଇକୋ ରିଟ୍ରିଟ୍ ଓଡ଼ିଶା ସଫଳତାର ସହ ପାଞ୍ଚ ବର୍ଷରେ ପୂରଣ ହୋଇଛି । ମୋ ସ୍କୁଲ ଅଭିଯାନ ଦେଶର ସର୍ବବୃହତ୍ତ ପୁରାତନ ଛାତ୍ରଛାତ୍ରୀଙ୍କ ଯୋଗଦାନ କାର୍ଯ୍ୟକ୍ରମ ହୋଇଛି । ସ୍କିଲ୍ଡ ଇନ୍ ଓଡ଼ିଶାକୁ ପ୍ରୋତ୍ସାହିତ କରାଯାଉଛି । ଓଡ଼ିଶା ଏବେ ଦେଶର ଅଗ୍ରଣୀ କ୍ରୀଡ଼ା ଲକ୍ଷ୍ୟସ୍ଥଳ ହୋଇପାରିଛି । ମୋ ସରକାର ମହିଳା,ଶିଶୁ, ଅନୁସୂଚିତ ଜାତି ଓ ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ଏବଂ ପ୍ରତିକୂଳ ପରିସ୍ଥିତିରେ ଶିକାର ହୋଇଥିବା ବ୍ୟକ୍ତି ସମାଗ୍ରିକ ବିକାଶ କରିଛନ୍ତି । ମିଶନ ଶକ୍ତି ଜରିଆରେ ମହିଳା ସଶକ୍ତି କରାଯାଉଛି । ବ୍ୟାଙ୍କ ନଥିବା ପଞ୍ଚାୟତରେ ବ୍ୟାଙ୍କିଂ ସେବା ଯୋଗାଇଦିଆଯାଇଛି । ମାଓବାଦୀ ଇଲାକାରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟକାରୀ ହୋଇ ସଫଳତା ପାଇଛି । ବିମାନସେବା ସହ ସଡ଼କ ପଥ ଓ ନୂଆ ବସ୍‌ଷ୍ଟାଣ୍ଡର ଉନ୍ନତୀକରଣ କରାଯାଇଛି । ରାଜ୍ୟପାଳ କହିଛନ୍ତି ଯେ ବିଗତ ୫ ବର୍ଷରେ ରାଜ୍ୟର ଆଇଟି ରପ୍ତାନୀ ୮୭.୫%କୁ ବୃଦ୍ଧି ପାଇଛି । ପୁଞ୍ଜି ନିବେଶ ପାଇଁ ସଫଳତାର ସହ ମେକ୍ ଇନ ଓଡ଼ିଶା କାର୍ଯ୍ୟକାରୀ ହୋଇଛି । ଢେଙ୍କାନାଳ ଓ ଝାରସୁଗୁଡ଼ାରେ ୮ଟି ଇଡକୋ ଟାୱାର ଓ ୪ଟି ଆଇଟି ଟାୱାର ନିର୍ମାଣ ଲକ୍ଷ୍ୟ ରହିଛନ୍ତି । ଭିଜନ-୨୦୫କୁ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ଅଗ୍ରସର ହୋଇଛନ୍ତି ମୋ ସରକାର । ଏଥିରେ ମୋ ସରକାର ପାଞ୍ଚଟି ଇଣ୍ଡଷ୍ଟ୍ରିଆଲ ପରବର୍ତ୍ତୀ ପର୍ଯ୍ୟାୟ ଉନ୍ନତିକରଣ, ନିଜ ବର୍ଗରେ ସର୍ବଶ୍ରେଷ୍ଠ ୫ଟି ନୂତନ ଇଣ୍ଡଷ୍ଟ୍ରିଆଲ କ୍ଲଷ୍ଟର, ଟାଟା ସ୍ୱତନ୍ତ୍ର ଅର୍ଥନୈତିକ ଜୋନକୁ ଗୋପାଳପୁର ବନ୍ଦରରୁ ତୈଳ, ଗ୍ୟାସ ଓ ଜଳଯୋଗାଣ ନିମନ୍ତେ ଏକ ୟୁଟିଲିଟି କରିଡର ନିର୍ମାଣ, ୧୦ ଏମ୍‌ଏଲ୍‌ଡି କ୍ଷମତା ସମ୍ପନ୍ନ ଏଫ୍ଲୁଏଣ୍ଟ ପ୍ଲାଣ୍ଟ ପ୍ରକଳ୍ପ ଏବଂ ପାରାଦୀପରେ ୩୦ ଡିପ୍ ହିସ୍‌ଚାର୍ଜ ପାଇପ୍‌ଲାଇନ ନିର୍ମାଣ ଯୋଜନା କରାଯାଇଛି ବୋଲି ରାଜ୍ୟପାଳ କହିଛନ୍ତି । ଅଭିଭାଷଣ ଶେଷରେ ବାଚସ୍ପତି ପ୍ରମିଳା ମଲ୍ଲିକ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଧନ୍ୟବାଦ ଦେଇ ବିଦାୟ ଦେଇଥିଲେ । ପରେ ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହୋଇଥିଲା ।

Related Articles

Leave a Reply

Your email address will not be published.

Back to top button