ଗାନ୍ଧୀଙ୍କ ବିଚାରଧାରାରେ ଅନୁପ୍ରାଣିତ ହେବାକୁ ପରାମର୍ଶ

ଭୁବନେଶ୍ୱର: ଲୋକସେବା ଭବନରେ ଆଜି ଶହୀଦ୍ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ତଥା ପର୍ଯ୍ୟଟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କ ସମେତ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ଜାତିର ଜନକ ମହାତ୍ମାଗାନ୍ଧି ଏବଂ ଆମ ଦେଶର ସ୍ୱାଧୀନତା ସଂଗ୍ରାମରେ ପ୍ରାଣବଳି ଦେଇଥିବା ଅଗଣିତ ସ୍ୱାଧୀନତା ସଂଗ୍ରାମୀ, ଦେଶପ୍ରେମୀ, ଓ ଅମର ଶହୀଦଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ଏହି ସମୟରେ ଉପସ୍ଥିତ ଥିବା କୃଷି ଓ କୃଷକ ସଶକ୍ତୀକରଣ ତଥା ହସ୍ତତନ୍ତ, ବୟନଶିଳ୍ପ ଏବଂ ହସ୍ତଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢ଼ୀ, ବିଜ୍ଞାନ ଓ କାରିଗରୀ ବିଭାଗ ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ, କୃଷି ବିଭାଗ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସମେତ ଲୋକସଭା ଭବନସ୍ଥିତ ଅନ୍ୟ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ନୀରବ ପ୍ରାର୍ଥନା କରିଥିଲେ ।
ସେହିପରି ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୭୬ତମ ତିରୋଧାନ ଦିବସ ଅବସରରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଏହି କାର୍ଯ୍ୟକ୍ରମରେ ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରି ଉଦ୍‌ଘାଟନ କରିବା ସହ ସମସାମୟିକ ଯୁବପିଢି ଗାନ୍ଧୀଜୀଙ୍କ ବିଚାରଧାରା ଓ ତାଙ୍କ ମୂଲ୍ୟବୋଧରେ ଅନୁପ୍ରାଣିତ ହୋଇ ତାକୁ ଦୈନନ୍ଦିନ ଜୀବନରେ ପ୍ରତିଫଳିତ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସୌରଭ ଗୋସ୍ୱାମୀ, ଶର୍ମିଷ୍ଠା ବେହେରା, ସରୋଜ ଶତପଥି ଓ ମୌସୁମୀ ସାହୁ ପ୍ରମୁଖ ଗାନ୍ଧୀଜୀଙ୍କ ଜୀବନୀ ଓ ତାଙ୍କ ଅବଦାନ ସମ୍ପର୍କରେ ସୁବିସ୍ତୃତ ଆଲୋଚନା କରିଥିଲେ । ବିଭାଗ ମୁଖ୍ୟ ଡ. ଚକ୍ରଧର ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ଜାତୀୟ ସେବା ଯୋଜନାର ସଂଯୋଜକ ଡ. ସଂଦୀପ କୁମାର ରାଉତ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ ।

Related Articles

Leave a Reply

Your email address will not be published.

Back to top button