ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଆରମ୍ଭ ହେବ ‘ଆସ ପଢିବା’ ଅଭିଯାନ

ଭୁବନେଶ୍ବର: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଓଡ଼ିଆ ଭାଷା ପ୍ରତି ସ୍ୱତନ୍ତ୍ର ରୁଚି ନିମନ୍ତେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ପଠନ ଆନ୍ଦୋଳନ ସୃଷ୍ଟି କରାଯିବ। ସମ୍ମିଳନୀ ସ୍ଥଳର ବିଭିନ୍ନ ସ୍ଥାନରେ ଭ୍ରାମ୍ୟମାଣ ପାଠାଗାର ବ୍ୟବସ୍ଥା କରାଯିବ। ଏଥିସହ ଏକ ବସ ମଧ୍ୟରେ ଉପାଦେୟ ପୁସ୍ତକ ମାନ ରଖାଯାଇ ଏକ ଭ୍ରାମ୍ୟମାଣ ଲାଇବ୍ରେରୀ ପ୍ରତିଷ୍ଠା କରାଯିବ। ସେହିଭଳି ସମ୍ମିଳନୀ ସ୍ଥାନରେ ୫ଟି ପାଠାଗାର ଗାଡି ପ୍ରତିଷ୍ଠା କରାଯିବ। ଏଥି ନିମନ୍ତେ ଭୁବନେଶ୍ୱରସ୍ଥିତ ବକୁଳ ଫାଉଣ୍ଡେସନ ପକ୍ଷରୁ ବୈଷୟିକ ସହଯୋଗ ପ୍ରଦାନ କରାଯିବ। ସେହିଭଳି ମହାପୁରୁଷଙ୍କ ପଠନ ସମ୍ପର୍କିତ କାଳଜୟୀ ବାର୍ତ୍ତା ଥାଇ ବୁକମାର୍କ ପ୍ରତ୍ୟେକ ପୁସ୍ତକରେ ରହିବ। ତିନିଦିନ ଧରି ଆଗନ୍ତୁକ ମାନେ ଏହା ପାଖରୁ ଦେଖୁବା ସହ ପଢ଼ିବାର ସୁଯୋଗ ପାଇବେ। ସେହିଭଳି ପଠନ ଅଭ୍ୟାସ ବୃଦ୍ଧି, ରାଜ୍ୟର ଭାଷା, କଳା, ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ପାଇଁ ଏକ ପକେଟ ପୁସ୍ତିକା ମଧ୍ୟ ପ୍ରସ୍ତୁତ କରାଯିବ।ଏଥିରେ ମହାପୁରୁଷମାନଙ୍କ ଉପାଦେୟ ବାର୍ତ୍ତା ରହିବ। ପଠନ ଅଭ୍ୟାସକୁ ଆହୁରି ମଜାଦାର କରିବାକୁ ଏକ ଡାଏରୀ ମଧ୍ୟ ରହିବ। ଏକ ପୁସ୍ତକ ପଠନ ବେଳେ କଣ ଶିଖିବାକୁ ମିଳିଲା, କେଉଁ ପାରାଚ୍ଛେଦ ମନକୁ ଛୁଇଁଲା, ପୁସ୍ତକର କେଉଁ ପୃଷ୍ଠା ପର୍ଯ୍ୟନ୍ତ ପଢିବା ଶେଷ ହୋଇଛି ଏ ସମ୍ପର୍କରେ ଉଲ୍ଲେଖ କରିବାର ସ୍ଥାନ ରହିବ। ସେହିଭଳି ଏକ କ୍ୟାଲେଣ୍ଡର ମଧ୍ୟ ଏହି ଅବସରରେ ଦେଖିବାକୁ ମିଳିବ। ବିଭିନ୍ନ ପ୍ରସିଦ୍ଧ ବ୍ୟକ୍ତି ବିଶେଷ ଏବଂ ମହାପୁରୁଷଙ୍କ ଜନ୍ମ ମାସକୁ ଭିତ୍ତିକରି ଏହା ପ୍ରସ୍ତୁତ କରାଯିବ। ଏଥିରେ ତାରିଖ ସହ ଉପାଦେୟ ବାର୍ତ୍ତା ମଧ୍ୟ ଉଲ୍ଲେଖ ରହିବ। ଏହି ସମ୍ମିଳନୀ ଆସନ୍ତା ଫେବୃଆରୀ ୩ରୁ ୫ ତାରିଖ ମଧ୍ୟରେ ସ୍ଥାନୀୟ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ ହେବ। ଏଥିରେ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା, ଗବେଷକ,ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଆ ଭାଷା ପ୍ରତି ଆଗ୍ରହ ସୃଷ୍ଟି ସହ ଭାଷାକୁ ପ୍ରୋତ୍ସାହିତ କରିବାକୁ ସମ୍ମିଳନୀରେ ବ୍ୟାପକ ଆୟୋଜନ କରାଯାଉଛି। ପ୍ରତ୍ୟେକ ବ୍ୟକ୍ତି ଏଠାକୁ ଆସି ଓଡ଼ିଆ ଭାବେ ନିଜକୁ ଗର୍ବ ଅନୁଭବ କରିବା ସହ ଅଭୁଲା ସ୍ମୃତି ନେଇ ଯିବେ।

Related Articles

Leave a Reply

Your email address will not be published.

Back to top button