ଚିଲିକାରେ ଆରମ୍ଭ ହେବ ଡଲଫିନ ଗଣନା, ନିୟୋଜିତ ହେବେ ୧୮ଟି ଟିମ

ଭୁବନେଶ୍ବର: ଏସିଆର ବୃହତ୍ତମ ଲୁଣ ହ୍ରଦ ଚିଲିକାରେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଡ଼ଲଫିନ ିଗଣନା ହେବ। ଆସନ୍ତାକାଲି ଡ଼ଲଫିନ ଗଣନା ହେବ ବୋଲି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଡ଼ିଏଫଓ ଅମ୍ଲାନ ନାୟକ ସୂଚନା ଦେଇଛନ୍ତି। ଚିଲିକା ବନ୍ୟପ୍ରାଣୀ ଡିଭିଜନର ସାତପଡା ଓ ବାଲୁଗାଁ ୨ଟି ରେଂଜ୍ ରେ ହେବ ଡଲଫିନ ଗଣନା। ୨ଟି ରେଂଜକୁ ୩ଟି ସେକ୍ଟରରେ ବିଭକ୍ତ କରାଯାଇଛି। ୩ଟି ସେକ୍ଟରରେ ୧୮ଟି ଟିମ ନିୟୋଜିତ ହେବେ ଏବଂ ପ୍ରତି ଟିମରେ ୫ ରୁ ୬ ଜଣ ସଦସ୍ୟ ସମେତ ୨ ଜଣ ଡଙ୍ଗା ଚାଳକ ସାମିଲ ରହିବେ। ଏ ନେଇ ଆଜି ଚନ୍ଦ୍ରାପୁଟ ସ୍ଥିତ ସିଡ଼ିଏ କାର‌୍ୟ୍ୟାଳୟରେ ଟ୍ରେନିଂ ଶିବିର ଅନୁଷ୍ଠିତ ହୋଇଯାଇଛି। ଆସନ୍ତାକାଲି ସକାଳ ୬ ରୁ ମଧ୍ୟାହ୍ନ ୧୨ ଟା ଯାଏଁ ସାତପଡ଼ା, ବାଲୁଗାଁ ଅଞ୍ଚଳରେ ଡଲଫିନ ଗଣନା ଜାରିରହିବ। ତେବେ ଉକ୍ତ ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ , ସିଡ଼ିଏର କର୍ମଚାରି, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟିର ଛାତ୍ରଛାତ୍ରୀ, ବୋଟ ଆସୋସିଏସନର କାର୍ଯ୍ୟକର୍ତ୍ତା ଏବଂ ସ୍ବେଚ୍ଛାସେବୀ ଆଦି ସାମିଲ ହେବେ ବୋଲି ଜଣାପଡିଛି। ତେବେ ଯଦି କୋହଲା ପାଗ ରହିବ ତେବେ ୨୧,୨୨ ଏବଂ ୨୩ ତାରିଖ ମଧ୍ୟରେ ଡଲଫିନ ଗଣନା ଶେଷ ହେବ ବୋଲି ଡ଼ିଏଫଓ କହିଛନ୍ତି। ଗଣନା ସରିବା ପରେ ଚୂଡାନ୍ତ ଗଣନା ସୂଚନା ପିସିସିଏଫ ଭୁବନେଶ୍ୱର ପକ୍ଷରୁ ଦିଆଯିବ ବୋଲି କହିଛନ୍ତି ଡ଼ିଏଫଓ ଶ୍ରୀ ନାୟକ। ସୂଚନା ଥାଉକି ଗତବର୍ଷ ଚିଲିକାରେ ସମୁଦାୟ ୧୭୩ ଗୋଟି ଡ଼ଲଫିନ ଠାବ ହୋଇଥିବା ବେଳେ ତନ୍ମଧ୍ୟରୁ ୧୫୪ ଗୋଟି ଇରାୱାଡି ପ୍ରଜାତିର ଏବଂ ୧୯ ଗୋଟି ବଟଲ ନୋଜ ପ୍ରଜାତିର ଡ଼ଲଫିନ ଚିହ୍ନଟ ହୋଇଥିଲା।

Related Articles

Leave a Reply

Your email address will not be published.

Back to top button